ରାହୁଲ୍ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ୍ । କହିଲେ ଦେଶର ବିକାଶ ଏମାନଙ୍କୁ ଦେଖା ଯାଉନି ।

ରାହୁଲ୍ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ୍ । କହିଲେ ଦେଶର ବିକାଶ ଏମାନଙ୍କୁ ଦେଖା ଯାଉନି ।

ଦିନିକିଆ ଓଡିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ରାଜ୍ୟରେ ଚାଲିଥିବା ସଦସ୍ୟତା ସଂଗ୍ରହ ଅଭିଯାନରେ ସେ ଯୋଗ ଦେଇ ନିଜ କର୍ମୀ ଓ ନେତାଙ୍କୁ ସମ୍ବୋଧିତ କରିଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଏକ ସଭାରେ ସେ ଅନେକ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି । ବିଶେଷତଃ ଦେଶରେ ବିଜେପି ସରକାରର ସଫଳତା ଓ ଲୋକପ୍ରିୟତାର ଢୋଲ ବଜାଇଛନ୍ତି । ସେ ମୁଖ୍ୟତଃ ଧାରା ୩୭୦, ଟ୍ରିପଲ୍ ତଲାକ୍‌, ମୁଦସ୍ଫୀତି, ଭିତ୍ତିଭୂମୀ, ସ୍ୱାସ୍ଥ୍ୟ, ଆବାସ ପ୍ରସଙ୍ଗ ଉଠାଇବା ସହ ରାହୁଲ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ  କହିଛନ୍ତି ଟ୍ରିପଲ୍ ତଲାକ ହଟାଇ ସମାଜରେ ସମାନତା ଆଣିଛି ବିଜେପି। ମୁସଲିମ୍ ରାଷ୍ଟ ବାଂଲାଦେଶ, ପାକିସ୍ତାନ, ଇରାନରେ ଟ୍ରିପଲ ତଲାକ ନାହିଁ’ କିନ୍ତୁ ଭାରତରେ ଧର୍ମନିରପେକ୍ଷ ନାଁରେ ଟ୍ରିପଲ ତଲାକ ଚାଲିଥିଲା। ରାମ ମନ୍ଦିର କରିକି ଦେଖାଇଲୁ। କାଶ୍ମୀରରୁ ଧାରା ୩୭୦ ହଟାଇଲୁ  ।

ସେହିପରି ସେ ଆହୁରି କହିଛନ୍ତି ଦେଶ ଏବେ ବିକାଶର ଦ୍ରୁତ ପଥରେ ଆଗକୁ ବଢ଼ି ଚାଲିଛି। ଆମେରିକା, ୟୁରୋପ, ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର। ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରୁଛି, ଏକଥା ବୋଧେ ସେମାନଙ୍କୁ ଦେଖାଯାଉନି। ମେଟ୍ରୋ, ଫ୍ଲାଇ ଓଭରର ଭିତ୍ତିଭୂମି ପାଇଁ ୧୦ଲକ୍ଷ ଖର୍ଚ୍ଚ ହୋଇଛି। ଆୟୁଷ୍ମାନ ଭାରତ ବିଶ୍ୱର ସବୁଠାରୁ ବଡ଼ ହେଲଥ୍ କଭର ପ୍ରୋଗ୍ରାମ । ଆବାସ ଯୋଜନାରେ ଆଉ ୩ କୋଟି ନୂଆ ଘର ନିର୍ମାଣ କରାଯିବ । ନା ନନେଇ ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ସମାଲୋଚନା କରି କହିଛନ୍ତି, ଭାଇ ଭଉଣୀ କେବଳ ବେକାରୀ ଓ ମହଙ୍ଗାଇ କଥା କହୁଛନ୍ତି। ବିଜେପି ଏକମାତ୍ର କ୍ୟାଡର୍ ପାର୍ଟି, ଯାହାର ସଦସ୍ୟତା ପ୍ରଣାଳୀ ସବୁଠୁ ସ୍ୱଚ୍ଛ। ଏଠି ନେତାର ପୁଅ ନେତା ହୁଏନି, ଗ୍ରାଉଣ୍ଡରୁ ଆସୁଥିବା ବ୍ୟକ୍ତି ନେତା ହୁଏ  ।

ତେବେ ସମ୍ବୋଧନ ବେଳେ ନଡ୍ଡା ଦେଶ ଓ ମୋଦୀ କଥା ଅଧିକ କହିଥିବା ବେଳେ ରାଜ୍ୟ କଥା କହି ନାହାନ୍ତି । କିନ୍ତୁ ରାଜ୍ୟରେ ନୂଆ ସଦସ୍ୟ ସଂଗ୍ରହ ପାଇଁ ଆସିଛନ୍ତି । ଏହି କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ସଦସ୍ୟଙ୍କ ସମେତ ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ବ୍ୟୁରୋ ରିପୋର୍ଟ, ୟୁବିସି ଓଡିଆ |