ରଥଯାତ୍ରାରେ ପଦ୍ମଶ୍ରୀ ହଳଧର ନାଗ ବିକିଲେ ରାଗଚଣା

ରଥଯାତ୍ରାରେ ପଦ୍ମଶ୍ରୀ ହଳଧର ନାଗ ବିକିଲେ ରାଗଚଣା

ରଥଯାତ୍ରାରେ ପଦ୍ମଶ୍ରୀ ହଳଧର ନାଗ ବିକିଲେ ରାଗଚଣା
ବରଗଡ଼ : ଲୋକକବି ରତ୍ନ ପଦ୍ମଶ୍ରୀ ଡ.ହଳଧର ନାଗ ସମ୍ବଲପୁରୀ/କୋଶଳି ଭାଷାରେ ତାଙ୍କର ଅମୂଲ୍ୟ ସାହିତ୍ୟ କୃତି ଏବଂ ସାଧନା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ପାଇଛନ୍ତି ପଦ୍ମଶ୍ରୀ ସମ୍ମାନ । ମାତ୍ର ଏତେବଡ଼ ସମ୍ମାନର ଅଧିକାରୀ ହେଲେ ମଧ୍ୟ ସେ ଏଯାଏ ଛାଡିପାରିନାହାନ୍ତି ତାଙ୍କର ରାଗଚନା (ଘୁଗୁନି) ବିକ୍ରି । ପଦ୍ମଶ୍ରୀଙ୍କ ହାତରୁ ପବିତ୍ର ରଥଯାତ୍ରା ଉପଲକ୍ଷେ ଏହି ରାଗଚଣା ଖାଇବା ପାଇଁ ଅଞ୍ଚଳବାସୀ ଯେମିତି ଅପେକ୍ଷା କରିଥାଆନ୍ତି । ହଳଧର ନାଗଙ୍କ ଡାକ ନାମ କାଳିଆ । ପୂର୍ବରୁ ସେ ଏହିପରି ରାଗଚଣା ବିକି ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ ଅନେକ ସମୟ ଘେଁସ ସ୍କୁଲରେ ରାନ୍ଧିବା କାର୍ଯ୍ୟ ମଧ୍ୟ କରିଥିଲେ । ଏହି ସମୟରେ ସ୍କୁଲ ନିକଟରେ ଥିବା ଏକ ଛୋଟ ଜାଗାରେ ଛୋଟିଆ ଠେଲାଟିଏ କରି ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଏହି ଚଣା ବିକ୍ରି କରୁଥିଲେ । ସେହି ସମୟରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ସାହିତ୍ୟ ସାଧନା । ‘ଢ଼ଡୋ ବରଗଛ’ କବିତାଠାରୁ ଆରମ୍ଭ କରି ଅନେକ କାବ୍ୟ କବିତାର ସୃଷ୍ଟି ହୋଇଛି କବିଙ୍କ ଏହି ଠେଲା ଭିତରେ । ଯାହା ଆଜି ହଳଧର ସାଧନା କୁଟିର ଭାବେ ପରିଚିତ । ସାହିତ୍ୟ ସାଧନାରେ ବ୍ୟସ୍ତ ରହିବା ସହ କୋଶଳି ସମ୍ବଲପୁରୀ ଭାଷାର ପ୍ରଚାର ପାଇଁ ବର୍ଷତମାମ ବିଭିନ୍ନ ସ୍ଥାନ ଯାଉଥିବାରୁ ସେ ଆଉ ତାଙ୍କର ଚଣା ବିକିବା କାର୍ଯ୍ୟ କରୁନାହାନ୍ତି । ସମୟ ବଦଳି ଯାଇଛି । ଘେଁସ ହାଇସ୍କୁଲ ପାଖରେ ଚଣା ବିକୁଥିବା ସେ ଦିନର କାଳିଆ ଆଜି ପଦ୍ମଶ୍ରୀ ହଳଧର ନାଗ ଭାବେ ଜଣାଶୁଣା । କିନ୍ତୁ ଏବେ ବି ତାଙ୍କ ହାତରୁ ଚଣା ଖାଇଥିବା ଲୋକ ଭୁଲି ପାରୁନାହାନ୍ତି ସେହିଦିନର ରାଗଚଣାକୁ । ସେଥିପାଇଁ ପଦ୍ମଶ୍ରୀଙ୍କ କହିବା ଅନୁସାରେ ଅଞ୍ଚଳ ତଥା ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ରଥଯାତ୍ରା ସମୟରେ ସେ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବନ୍ଦ କରି ପୁଣିଥରେ ରାଗଚଣା ବିକନ୍ତି । ଆଜି ମଧ୍ୟ ତାଙ୍କର ସେହି ସାଧନା କୁଟିରରେ ସକାଳ ୯ ଟାରୁ ଏହି ରାଗଚଣା ବିକ୍ରି ଆରମ୍ଭ କରି ଦେଇଥିଲେ । ତାଙ୍କ ହାତ ତିଆରି ରାଗଚଣାର ଏତେ ଜନାଦୃତ ଯେ ପାଞ୍ଚ ଟଙ୍କାରୁ ଆରମ୍ଭ କରି ଜଣେ ଜଣେ ୧୦୦ ଟଙ୍କାର ମଧ୍ୟ ରାଗଚଣା କିଣିଛନ୍ତି । ସେଥିପାଇଁ ଗୋଟିଏ ଦିନ ପୂର୍ବରୁ ଗାଁ ଦୋକାନୀଠାରୁ ୧୫ କିଲୋ ଚଣା ନେଇ ଏହା ପ୍ରସ୍ତୁତ କରିଥିଲେ । ଘେଁସ ଗ୍ରାମକୁ ରଥଯାତ୍ରା ଦେଖି ଆସୁଥିବା ଲୋକମାନେ ସଂଧ୍ୟା ପର୍ଯ୍ୟନ୍ତ ଏହି ରାଗଚଣା ଖାଉଥିବା ବେଳେ ଆଜି ଅପରାହ୍ନ ୧ ଟା ସମୟରେ ପଦ୍ମଶ୍ରୀଙ୍କ ରାଗଚଣା ସରିଯାଇଥିଲା । ସତରେ ସାହିତ୍ୟପ୍ରେମୀଙ୍କ ଠାରେ ହଳଧର ସାହିତ୍ୟରେ ଯେତିକି ଆଦୃତି, ହଳଧରଙ୍କୁ ଭଲ ପାଇଥିବା ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କଠାରେ ତାଙ୍କ ତିଆରି ରାଗଚଣାର ମଧ୍ୟ ସେତିକି ଚାହିଦା ବଳବତ୍ତର ରହିଛି । ଯେଉଁଥିରେ କି ଭରି ରହିଛି ତାଙ୍କୁ ଭଲପାଇବା, ସ୍ନେହ କରିବା ଓ ସମ୍ମାନ କରିବାର ଅସରନ୍ତି ଧାରା ।