ପୃଥିବୀ ଉପରେ ଖସିପଡ଼ିବ ଚୀନର ମହାକାଶ ଗବେଷଣା କେନ୍ଦ୍ର!
ପୃଥିବୀ ଉପରେ ଖସିପଡ଼ିବ ଚୀନର ମହାକାଶ ଗବେଷଣା କେନ୍ଦ୍ର!
admin
Jun 8, 2019 - 12:00
Updated: Jun 8, 2019 - 12:00
ନୂଆଦିଲ୍ଲୀ : ଏଇ ବର୍ଷ କି ଆର ବର୍ଷ ପୃଥିବୀ ଉପରେ ଖସି ପଡ଼ିବ ଚୀନର ମହାକାଶ ଗବେଷଣା କେନ୍ଦ୍ର ଟିଆଙ୍ଗଙ୍ଗ-୧ । ମାତ୍ର ୬ ବର୍ଷରେ ଯନ୍ତ୍ରଟି ଅଚଳ ହୋଇ ମହାକାଶରୁ ଖସିବା ଆରମ୍ଭ କରିଛି । ସେଥିପାଇଁ ସତର୍କ ରହିବାକୁ ମିଳିତ ଜାତିସଂଘକୁ ଜଣାଇ ଦେଇଛି ଚୀନ ।
୨୦୧୧ ମସିହାରେ ଟିଆଙ୍ଗଙ୍ଗ-୧କୁ ମହାକାଶରେ ଅବସ୍ଥାପିତ କରିଥିଲା ଚୀନ । ଏହା ଥିଲା ଏସିଆ ମହାଦେଶର ପ୍ରଥମ ମହାକାଶ କେନ୍ଦ୍ର । ଏହା ଜରିଆରେ ଚୀନ ନିଜ ଶକ୍ତିର ପ୍ରମାଣ ବି ଦେଇଥିଲା । କିନ୍ତୁ ମାତ୍ର ୬ ବର୍ଷ ଭିତରେ ଏହା ମହାକାଶରେ ଅଚଳ ହୋଇଯାଇଛି । ଏବେ ଏହା ପୃଥିବୀ ଆଡ଼କୁ ଖସିବା ଆରମ୍ଭ କରିଛି । ଏହାର ଖସିବାର ଗତି ମଧ୍ୟ କ୍ରମେ କ୍ରମେ ବଢ଼ି ଚାଲିଛି ।
ଆମେରିକାର ହାଭାଡର଼୍ ବିଶ୍ୱବିଦ୍ୟାଳୟର ଜ୍ୟୋତିପଦାର୍ଥ ବିଜ୍ଞାନୀ ଜନାଥନ ମ୍ୟାକଡୋୱେଲ ଗାଡର଼୍ିଆନ ଖବରକାଗଜକୁ କହିଛନ୍ତି ଯେ ଏହାର ଦ୍ରୁତ ଅବକ୍ଷୟ ଘଟୁଛି, ଖସିବାର ବେଗ ଦ୍ରୁତ ହେଉଛି । ୨୦୧୭ ଶେଷ କିମ୍ବା ୨୦୧୮ ଆରମ୍ଭ ଆଡ଼କୁ ଏହା ଆମ ଉପରେ ଖସିପାରେ ବୋଲି କହିଛନ୍ତି ଜନାଥନ ।
ନିଜ ବୃହତ ଶକ୍ତିର ପରିଚୟ ଦେବାକୁ ଚୀନ ଏହି ଯନ୍ତ୍ରକୁ ମହାକାଶ ପଠାଇଥିଲା । ଏହାକୁ ସ୍ୱର୍ଗୀୟ ପ୍ରାସାଦ ଭାବେ ଅଭିହିତ କରିଥିଲା ଚୀନ । ଏହି ମହାକାଶ ଗବେଷଣା କେନ୍ଦ୍ରରୁ ମହାକାଶରେ ଅନେକ ପ୍ରକାର ଅଭିଯାନ ଚଳାଇବାକୁ ଯୋଜନା ଥିଲା । ଏଠାରେ ମହାକାଶଚାରୀ ରହିବାର ବ୍ୟବସ୍ଥା ବି ହୋଇଥିଲା ।
ତେବେ ୨୦୧୬ ସେପ୍ଟେମ୍ବର ମାସରେ ଚୀନା ନ୍ୟାସନାଲ ସ୍ପେଶ ଏଜେନ୍ସି ବା ସିଏନଏସଏର ବୈଜ୍ଞାନିକମାନେ ସ୍ୱୀକାର କରିଥିଲେ ଯେ ସେମାନେ ଏହି ଯନ୍ତ୍ର ଉପରୁ ନିୟନ୍ତ୍ରଣ ହରାଇଛନ୍ତି । ଏହାର ସ୍ଥିତି ନେଇ ସେମାନଙ୍କ ନିକଟରେ ଆଉ କୌଣସି ଖବର ନାହିଁ । ଏହା ପୃଥିବୀକୁ ଖସିପଡ଼ିବ ବୋଲି ସେମାନେ ସଂକେତ ଦେଇଥିଲେ । ଚୀନ ବୈଜ୍ଞାନିକମାନଙ୍କର ଏହି ଘୋଷଣା ପରେ ଏହାର ଗତିପଥ ଉପରେ ଅନୁଶୀଳନ କରାଯାଇଥିଲା ଏବଂ ଏହା ପୃଥିବୀରେ ଖସିପଡ଼ିଲେ ପୃଥିବୀର କି କ୍ଷତି ହେବ ସେନେଇ ଆକଳନ ଆରମ୍ଭ ହୋଇଥିଲା ।
ଏବେ ଇଂଲଣ୍ଡର ଇଣ୍ଡିପେଣ୍ଡେଣ୍ଟ ନାମକ ଏକ ଖବରକାଗଜରେ ପ୍ରକାଶ ପାଇଛି ଯେ ଟିଆଙ୍ଗଙ୍ଗ ଖସିପଡ଼ିବା ଦ୍ୱାରା କାହାର କୌଣସି କ୍ଷତି ହେବ ନାହିଁ । କାରଣ ଏହା ସମୁଦ୍ର ଭିତରେ ଖସିପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ତଥାପି ଏହା ଜନବସତି ଅଂଚଳରେ ଖସିବାର ମଧ୍ୟ ସମ୍ୟକ ସମ୍ଭାବନା ଅଛି । ଇଂଜନିଅରମାନେ ଏହି ଯନ୍ତ୍ର ଉପରୁ ନିୟନ୍ତ୍ରଣ ହରାଇଥିବାରୁ ଏହା କେଉଁଠି କେତେବେଳେ ଖସିବ ତାହା ନିର୍ଦ୍ଧିଷ୍ଟ ଭାବରେ ଜାଣି ହେଉନାହିଁ । ପାଣିପାଗରେ ଟିକିଏ ଏପଟସେପଟ ହେଲେ ବି ଏହା ଗୋଟିଏ ମହାଦେଶ ଉପରୁ ଆଉ ଗୋଟିଏ ମହାଦେଶକୁ ଚାଲିଯାଇ ପାରେ ।
ତେବେ ଆଶ୍ୱାସନାର ବିଷୟ ଏହି କି ଯେ ଏହା ପୃଥିବୀରେ ପହଂଚିଲାବେଳକୁ ଯନ୍ତ୍ରଟିର ବହୁଳାଂଶ ଜଳିପୋଡ଼ି ପାଉଁଶ ହୋଇଯାଇଥିବ । ତଥାପି ଏହାର ପ୍ରାୟ ୧୦୦ କିଲୋଗ୍ରାମ ଓଜନର ଅଂଶ ପୃଥିବୀ ପୃଷ୍ଠରେ ପଡ଼ିବାର ଆଶଙ୍କା ରହିଛି ବୋଲି ମ୍ୟାକଡୋୱେଲ କହିଛନ୍ତି ।