ଜଟଣୀ ନିର୍ବାଚନ ମଣ୍ଡଳୀ :ଆଶାୟୀ ସଂଖ୍ୟା ଅଧିକ, ଆଶଙ୍କାରେ ପ୍ରାର୍ଥୀ

ଜଟଣୀ ନିର୍ବାଚନ ମଣ୍ଡଳୀ :ଆଶାୟୀ ସଂଖ୍ୟା ଅଧିକ, ଆଶଙ୍କାରେ ପ୍ରାର୍ଥୀ

ଜଟଣୀ ନିର୍ବାଚନ ମଣ୍ଡଳୀ :ଆଶାୟୀ ସଂଖ୍ୟା ଅଧିକ, ଆଶଙ୍କାରେ ପ୍ରାର୍ଥୀ
ଜଟଣୀ :୨୦୧୯ ସାଧାରଣ ନିର୍ବାଚନ ପାଇଁ ରବିବାର ନିର୍ବାଚନୀ ବିଗୁଲ୍ ବାଜିଛି । ଦୀର୍ଘ ମାସ ପୂର୍ବରୁ ଜଟଣୀ ନିର୍ବାଚନ ମଣ୍ଡଳୀରେ ତିନୋଟି ପ୍ରମୁଖ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥୀମାନେ ଜଟଣୀର ଉନ୍ନୟନ ପାଇଁ ଅଂଟା ଭିଡୁଥିବା ଲୋକ ଲୋଚନକୁ ଆସୁଛି । କିନ୍ତୁ ପ୍ରକୃତରେ ରାଜନେତାଙ୍କୁ ବାଦ୍ ଦେଇ ଜଟଣୀର କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଜଟଣୀର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ବହୁ ଉଦାହରଣ ରହିଛି । ତେବେ ଜଟଣୀକୁ ରାଜନୀତିର ପେଣ୍ଠସ୍ଥଳୀ କୁହାଯାଉଥିବା ବେଳେ ଏହାର ଭୌଗଳିକ ପରିସ୍ଥିତି ଅତି ଦୟନୀୟ । ଏ ସବୁର ସୁଧାର ପାଇଁ ଜଟଣୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବ୍ୟତୀତ ବିଜେଡି ଓ ବିଜେପି ଦଳରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଆଶାୟୀମାନଙ୍କ ମଧ୍ୟରେ ଦଳର ଟିକେଟ ହାତେଇବା ପାଇଁ ଆଶା ଓ ଆଶଙ୍କାରେ ରହିଛନ୍ତି ପ୍ରାର୍ଥୀମାନେ । ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ୧୯୭୪ ମସିହାରେ ଅଲଗା ହୋଇ ଜଟଣୀ ନିର୍ବାଚନ ମଣ୍ଡଳୀ ସ୍ୱତନ୍ତ୍ର ମାନ୍ୟତା ପାଇଥିଲା । ଜଟଣୀ ବ୍ଲକର ୧୫ଟି, ଖୋର୍ଦ୍ଧା ବ୍ଲକ୍ ର ୭ଟି, ଭୁବନେଶ୍ୱର ବ୍ଲକ୍ ର ୯ଟି ଏବଂ ଜଟଣୀ ମ୍ୟୁନିସିପାଲିଟିର ୨୩ ୱାର୍ଡକୁ ନେଇ ଜଟଣୀ ନିର୍ବାଚନ ମଣ୍ଡଳୀ ଗଠନ କରାଯାଇଛି । ୧୯୭୪ ମସିହା ଠାରୁ ୨୦୧୪ ମଧ୍ୟରେ ୧୦ ଥର ନିର୍ବାଚନ ହୋଇଥିଲେ ମଧ୍ୟ ଜଟଣୀର ବିକାଶ ପ୍ରତି କାହାରି ଆନ୍ତରିକତା ସେତେଟା ସୁଦୃଢ ନଥିବା ଅଭିଯୋଗ ହେଉଛି । ଦିନ ଥିଲା କଟକ ମାଲଗୋଦାମର ଦର ତାଲିକା ପରେ ଆକାଶବାଣୀରୁ ଶୁଣିବାକୁ ମିଳୁଥିଲା ଜଟଣୀ ବ୍ୟବସାୟର ଦର ତାଲିକା । କାହ୍ନୁ ଚରଣ ଲେଙ୍କା ରେଳ ରାଷ୍ଟ୍ର ମନ୍ତ୍ରୀ ଥିବାବେଳେ ଖୋର୍ଦ୍ଧାରୋଡ ରେଳ ଷ୍ଟେସନରେ ୱାଗନ୍ ସେଡ୍ ପାଇଁ ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ତାହାର ମଧ୍ୟ ଉନ୍ନୟନ ହେଲା ନାହିଁ । ଜଟଣୀ ସହରର ଦୁଃଖ କୁହାଯାଉଥିବା ରେଲୱେ ଅଣ୍ଡର ଗ୍ରାଉଣ୍ଡ୍ ଉପରେ ଓଭରବ୍ରିଜ୍ ନିର୍ମାଣ ପାଇଁ କାମ ଆରମ୍ଭ ହୋଇଥିଲା ବେଳେ ରାଜନୈତିକ ଓ ସ୍ଥାନୀୟ ସମସ୍ୟା ଯୋଗୁଁ ଅଟକି ରହିଲା । ବେକାରୀ ସମସ୍ୟା ବଢି ଚାଲିଥିବା ବେଳେ କୃଷି କ୍ଷେତ୍ରରେ ମଧ୍ୟ ସମସ୍ୟା ରହିଛି । ଜଟଣୀର ୧୬ ରୁ ୧୮ଟି ରାଜସ୍ୱ ଗ୍ରାମର ଭିଟାମାଟି ଶ୍ରୀଜଗନ୍ନାଥ ବିଜେ ପୁରୀଙ୍କ ନାମରେ ନାମିତ ହୋଇଯାଇଥିବା ବେଳେ ରାଜନେତା ତଥା ସ୍ଥାନୀୟ ବିଧାୟକ ମଧ୍ୟ ଏଥିରେ ମୁହଁ ଖୋଲୁ ନାହାଁନ୍ତି । ଝୁମ୍ପୁଡି ବାସୀନ୍ଦାଙ୍କୁ ସ୍ଥାୟୀ ଗୃହ ମଧ୍ୟ ମିଳି ପାରିଲା ନାହିଁ । ଏହି ସବୁ ସମସ୍ୟା ଚଳିତ ୨୦୧୯ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଜଟଣୀବାସୀ କହିଛନ୍ତି । ତେଣୁ ଜଣେ ଦକ୍ଷ ଓ ନିସ୍ୱାର୍ଥପର ବ୍ୟକ୍ତିହିଁ ଏହିସବୁ ସମସ୍ୟା ସମାଧାନ କରିପାରିବେ ବୋଲି ଜଟଣୀବାସୀ ମନରେ ଆଶା ବାନ୍ଧିଛନ୍ତି । ୧୯୭୪ ମସିହାରେ ଜଟଣୀ ନିର୍ବାଚନ ମଣ୍ଡଳୀରୁ ସତ୍ୟପ୍ରିୟ ମହାନ୍ତି ଉତ୍କଳ କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ । ତାଙ୍କ ସମୟରେ ସୁନ୍ଦରପଦା-ଜଟଣୀ ରାସ୍ତାର ଭିତିପ୍ରସ୍ତର ପଡିଥିଲା । ୧୯୭୭ ମସିହାରୁ ୧୯୮୫ ପର୍ଯ୍ୟନ୍ତ ସୁରେଶ କୁମାର ରାଉତରାୟ ଲଗାତାର ଭାବେ ବିଜୟ ଲାଭ କଲେ । ହେଲେ ଯେଉଁ ଅନୁସାରେ ଏହି ସହରର ବିକାଶ ହେବା କଥା ତାହା ହେଲା ନାହିଁ । ପ୍ରଥମେ ଜନତା ପାଟିରୁ ଶ୍ରୀ ରାଉତରାୟ ପ୍ରାର୍ଥୀ ହୋଇଥିବା ବେଳେ ୧୯୮୦ ରେ ଭାରତୀୟ ଜାତୀୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ । ୧୯୯୦ ମସିହାରେ ଜନତା ଦଳରୁ ଶରତ ଚନ୍ଦ୍ର ପାଇକରାୟ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ । ଏହାପରେ ପୁଣି ସୁରେଶ କୁମାର ରାଉତରାୟ ଜାତୀୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ କ୍ଷମତାରେ ରହିଥିଲେ । ଏହି ସମୟ ମଧ୍ୟରେ କେବଳ ଜଟଣୀରେ ଅଗ୍ନିଶମ କେନ୍ଦ୍ର ଓ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା । ୨୦୦୪ ମସିହା ନିର୍ବାଚନରେ ପୁନର୍ବାର ବିଜୁ ଜନତା ଦଳରୁ ଶରତ ଚନ୍ଦ୍ର ପାଇକରାୟ ବିଜୟ ଲାଭ କରିଥିଲେ । ସେ କେବଳ ସେହି ସମୟରେ ରାସ୍ତା ଘାଟର ପୁନରୁଦ୍ଧାର ସହ ବିଭିନ୍ନ ପ୍ରକଳ୍ପର ଫଳକ ଲଗାଇ କାର୍ଯ୍ୟକାଳ ସାରିଥିଲେ । ଏହାପରେ ୨୦୦୯ରେ ବିଭୁତି ଭୁଷଣ ବଳବନ୍ତରାୟ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିବା ପରେ ଜଟଣୀ ନିର୍ବାଚନ ମଣ୍ଡଳୀକୁ ସ୍ୱତନ୍ତ୍ର ଆଧୁନିକ ଜଟଣୀର ସ୍ୱପ୍ନ ଦେଖାଇଥିଲେ । ତାହା ମଧ୍ୟ ସ୍ୱପ୍ନରେ ରହିଗଲା । ନବୀନ ବାବୁଙ୍କ ବିକାଶକୁ ଦେଖି ୨୦୧୪ ମସିହାରେ ବିଜେଡି ଦଳରୁ ଭାଗିରଥୀ ବଡଜେନାଙ୍କୁ ଜଟଣୀ ବାସିନ୍ଦା ବିଧାୟକ ଭାବରେ ବାଛିଥିଲେ । ଭାଗିରଥୀ ଓ ସୁର ମଧ୍ୟରେ ବ୍ୟକ୍ତିତ୍ୱ ସ୍ତରରେ ଭୋଟରମାନେ ଦ୍ୱନ୍ଦ୍ୱରେ ପଡି ନିର୍ବାଚନ ସଂଘର୍ଷପୂର୍ଣ୍ଣ ହୋଇଥିଲା । ବହୁ କଷ୍ଟେ ମଷ୍ଟେ ଶ୍ରୀ ବଡଜେନା କଂଗ୍ରେସର ସୁରେଶ କୁମାର ରାଉତରାୟଙ୍କୁ ମାତ୍ର ପାଂଚ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହେଲେ । ନିର୍ବାଚନ ପରଠାରୁ ଜଟଣୀରେ ତାଙ୍କ ପାଦ ପଡିଲା ନାହିଁ, ଲୋକେ ସେମାନଙ୍କର ବିଧାୟକଙ୍କୁ ଚିହ୍ନି ନଥିବା କହିଥିଲେ । ଗତ ନିର୍ବାଚନ ସୁର ରାଉତରାୟଙ୍କ ପାଇଁ ତାଙ୍କ ପୁତୁରା ବୁମେରାଂ ସାଜି ଥିବା ବେଳେ ଅନ୍ୟ ଏକ ପ୍ରମୁଖ କାରଣ ହେଲା ୨୦୦୯ ମସିହାରେ ନିର୍ବାଚନ ମଣ୍ଡଳୀର ସୀମା ପରିବର୍ତନ । ତେବେ ଚଳିତ ନିର୍ବାଚନ ପାଇଁ ଦକ୍ଷ ବ୍ୟକ୍ତି ହିଁ ଉଚିତ୍ ପ୍ରାର୍ଥୀ ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ୨୦୧୯ ନିର୍ବାଚନରେ ଜଟଣୀ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାର ୨୦୨ ହୋଇଥିବାବେଳେ ଭୋଟ ଗ୍ରହଣ ପାଇଁ ୨୫୪ଟି କେନ୍ଦ୍ରର ବ୍ୟବସ୍ଥା କରାଯିବ । କଂଗ୍ରେସରୁ ଏକଦା ସୁର ରାଉତରାୟ ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ସେହିପରି ବିଜେପି ଦଳ ପକ୍ଷରୁ ସୁଦିପ୍ତ ରାୟ, ସନ୍ତୋଷ ଜେନା ଓ ବିଶ୍ୱରଞ୍ଜନ ବଡଜେନା ବିଜେପି ଟିକେଟ ପାଇଁ ଆଶାୟୀ ଥିବା ବେଳେ ବିଜେଡି ଦଳରୁ ବିଭୁତି ବଳବନ୍ତରାୟ, ବିଜୟ କୁମାର ଛୋଟରାୟ, ଅର୍ଜୁନ ପରିଡା, ଇଂ. ସୁରଜ କୁମାର ପାଇକରାୟ, ପର୍ଶୁନାଥ ସୁବୁଦ୍ଧି, ଅର୍ଦ୍ଧେନ୍ଦୁ ଦାସ, ପତିତପାବନ ପଣ୍ଡା, ପ୍ରମୋଦ ହରିଚନ୍ଦନ ପ୍ରମୁଖ ଦଳରୁ ଟିକେଟ ପାଇ ବିଧାୟକ ହେବାର ଆଶା ରଖିଛନ୍ତି । ତେବେ ଦଳର ମୁଖିଆ କାହାକୁ ନିଜର ଦକ୍ଷକର୍ମୀ ଓ ଲୋକପ୍ରତିନିଧି ଭାବରେ ବାଛି ଟିକେଟ୍ ଦେବେ ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ ।