ଭିକାରୁଣୀରୁ ବୋହୁରାଣୀ.....

ଭିକାରୁଣୀରୁ ବୋହୁରାଣୀ.....

ଭିକାରୁଣୀରୁ ବୋହୁରାଣୀ.....
କାନପୁର: କାହାର ଭାଗ୍ୟରେଖା କେତେବେଳେ ଫିଟିବ, ତାହା କେହି କହିପାରିବେ ନାହିଁ । ଏଭଳି ଏକ ଘଟଣା ନିକଟରେ ୟୁପିର କାନପୁର ସହରରେ ଘଟିଛି । ଏଠାରେ ଜଣେ ଭିକାରୁଣୀକୁ ଯେଉଁ ବ୍ୟକ୍ତି ଖାଦ୍ୟ ଯୋଗାଉଥିଲେ, ପରେ ତାର ପ୍ରେମରେ ପଡ଼ି ତାକୁ ବିବାହ କରିଛନ୍ତି । ଗତ ବୁଧବାର ଭଗବାନ ବୁଦ୍ଧଙ୍କ ଆଶ୍ରମରେ ଉଭୟଙ୍କ ବିବାହ ଉତ୍ସବ ଆୟୋଜିତ ହୋଇଥିଲା । ରିପୋର୍ଟ ଅନୁଯାୟୀ କାନପୁରର ଜଣେ ପ୍ରପର୍ଟି ଡିଲର ଲାଲତା ପ୍ରସାଦ ଲକଡାଉନ ସମୟରେ ନୀଲମ ନାମ୍ନୀ ଜଣେ ଯୁବତୀଙ୍କୁ ଭିକ ମାଗୁଥିବାର ଦେଖିବା ପରେ ତାକୁ ସହାୟତା କରିବାକୁ ସ୍ଥିର କରିଥିଲେ । ସେ ନୀଲମ ସହିତ ଅନ୍ୟ ଭିକାରୀମାନଙ୍କୁ ନିୟମିତ ଦିନର ଖାଦ୍ୟ ଯୋଗାଇବା ପାଇଁ ନିଜ ଡ୍ରାଇଭର ଅନୀଲଙ୍କୁ କହିଲେ । ଅନୀଲ ସେବେଠାରୁ ପ୍ରତିଦିନ ନୀଲମ ଓ ଅନ୍ୟ ଭୀକାରୀମାନଙ୍କୁ ଖାଦ୍ୟ ଯୋଗାଇବା ଆରମ୍ଭ କଲେ । କିନ୍ତୁ ନୀଲମଙ୍କୁ ଖାଦ୍ୟ ଯୋଗାଉ ଯୋଗାଉ ସେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ । ସେ ପ୍ରତିଦିନ ଖାଦ୍ୟ ଯୋଗାଇ ଫେରିବା ପରେ ନିଜ ମାଲିକଙ୍କ ସହିତ ନୀଲମ ବିଷୟରେ ଚର୍ଚ୍ଚା କରୁଥିଲେ । ଏଥିରୁ ଅନୀଲଙ୍କ ମନରେ ନୀଲମଙ୍କ ପ୍ରତି ପ୍ରେମ ସୃଷ୍ଟି ହୋଇଛି ବୋଲି ମାଲିକ ବୁଝିଥିଲେ । ସେ ତାଙ୍କୁ ପ୍ରଶ୍ନ କଲେ କି ତୁ ତ ପ୍ରତିଦିନ ତାକୁ ଦିନରେ ଖାଦ୍ୟ ଯୋଗାଇ ଆସୁଛୁ । କିନ୍ତୁ ରାତିରେ ସେ ଖାଉଛି କି ନାହିଁ, ତାହା ବୁଝିବାକୁ କେହି ଅଛି କି? ଏହା ପରେ ଅନୀଲ ପ୍ରତିଦିନ ରାତିରେ ନିଜେ ଖାଦ୍ୟ ପ୍ରସ୍ତୁତ କରି ନୀଲମ ଏବଂ ଅନ୍ୟ ଭିକାରୀମାନଙ୍କୁ ଯୋଗାଇବା ଆରମ୍ଭ କଲେ । ସେ ୪୫ ଦିନ ଧରି ଏପରି କରିଥିଲେ । ଏହା ପରେ ତାଙ୍କର ମାଲିକ ତାଙ୍କ ପରିବାର ଲୋକଙ୍କ ସହିତ କଥା ହେଲେ ଏବଂ ନୀଲମଙ୍କ ସହିତ ଅନୀଲଙ୍କ ବିବାହ କରାଇବା ପାଇଁ ପ୍ରସ୍ତାବ ଦେଲେ । ପରିବାର ଲୋକଙ୍କ ସହମତି ପରେ ବୁଧବାର ଉଭୟଙ୍କର ବିବାହ ଅନୁଷ୍ଠିତ ହୋଇଛି । କିନ୍ତୁ ବିବାହ ଉତ୍ସବ ସମୟରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସାମାଜିକ ଦୂରତ୍ୱ ବଜାୟ ରଖାଯାଇଥିଲା ।