ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ତ୍ରିମୁଖୀ ଲଢ଼େଇ

ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ତ୍ରିମୁଖୀ ଲଢ଼େଇ

ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ତ୍ରିମୁଖୀ ଲଢ଼େଇ
ଭୁବନେଶ୍ୱର: ଦକ୍ଷିଣ ଓଡିଶାରେ ଏପ୍ରିଲ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ନବରଙ୍ଗପୁର ଲୋକସଭା କ୍ଷେତ୍ର ଅଧୀନ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ମାସ ୧୧ ତାରିଖରେ ଭୋଟ ଗ୍ରହଣ ହେବ । କଂଗ୍ରେସରୁ ଲକ୍ଷ୍ମୀପ୍ରିୟା ନାୟକ, ବିଜେଡୁ ପୂର୍ଣ୍ଣଚନ୍ଦ୍ର ବାକା ଓ ବିଜେପି ପକ୍ଷରୁ ପଦୁ ମାଝୀଙ୍କ ନାମ ଘୋଷଣା କରାଯାଇଛି । ୩ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି । କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକ ରାଜନୀତିରେ ପୁରୁଣା ଚେହେରା । କାରଣ ସେ ମାଥିଲ ବ୍ଲକ୍ ଅଧ୍ୟକ୍ଷା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏପରି ସ୍ଥଳେ ବିଜେଡିର ପୂର୍ଣ୍ଣଚନ୍ଦ୍ର ବାକା ଓ ବିଜେପିର ପଦୁ ମାଝୀ ରାଜନୀତିରେ ନୂଆ ଚେହେରା । ପୂର୍ଣ୍ଣଚନ୍ଦ୍ର ବରିଷ୍ଠ କିରାଣୀରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତିକୁ ଆସିଥିବା ବେଳେ ବିଜେପି ଟିକେଟ ପାଇଥିବାରୁ ପଦୁ ମାଝୀ ଯୋଗାଣ ସହାୟକ ଚାକିରୀ ଛାଡି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ଓ ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସଂପର୍କରେ ଦାଦା ଝିଆରୀ ହୋଇଥିବାରୁ ଲଢ଼େଇରେ କାହା ପଲ୍ଲା ଭାରି ରହିବ ସେ ନେଇ ମତଦାତା ଓ ଜନସାଧାରଣଙ୍କ ମତରେ ଉକତ୍ସତା ଦେଖାଦେଇଛି । ଶାସକ ବିଜେଡିର ଆଶାୟୀ ପ୍ରାର୍ଥୀ ତାଲିକା ଲମ୍ବା ହୋଇଥିବା ବେଳେ ସମସ୍ତ ଅଭିଜ୍ଞଙ୍କୁ ପଛରେ ପକାଇ ପୂର୍ଣ୍ଣଚନ୍ଦ୍ର ଟିକେଟ ହାତେଇ ନେଇଛନ୍ତି । ପ୍ରାର୍ଥୀ ଘୋଷଣା ପରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ବିଦ୍ରୋହ ବଢ଼ିବାରେ ଲାଗିଛି । କଂଗ୍ରେସ ଟିକେଟ ପାଇଥିବା ଲକ୍ଷ୍ମୀପ୍ରିୟାଙ୍କୁ ଦଳ ଭିତରୁ ଏକ ଗୋଷ୍ଠୀ ବିରୋଧ କରି ଆସୁଥିବା ବେଳେ ଟିକେଟରୁ ବଂଚିତ ହୋଇଥିବା ଅନ୍ୟତମ ଆଶାୟୀ ତଥା ଜିଲାପରିଷଦ ସଭ୍ୟ ବାଲରାଜୁ କୋପ ବିଦ୍ରୋହୀ ଭୂମିକା ନେବେ ବୋଲି ଆଲୋଚନା ହେଉଛି । ସେ ସ୍ୱାଧୀନ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ିବାକୁ ସଜବାଜ ହେଉଥିବା ଜଣାପଡିଛି । ସବୁ ଦଳରେ ବିଦ୍ରୋହୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ଥିବାରୁ ପ୍ରମୁଖ ଦଳ ଭିତରେ କଡାଟକ୍କର ହେବା ନିଶ୍ଚିତ । ବିଜେପି ଟିକେଟ ପାଇଥିବା ପଦୁ ପଣସପୁଟର ମୂଳ ବାସିନ୍ଦା ହୋଇଥିବା ଯୋଗୁଁ ସେସବୁ ଅଂଚଳରେ ତାଙ୍କର ପତିଆରା ରହିଛି । ତେବେ ମାଓବାଦୀଙ୍କ ଧମକ ଯୋଗୁଁ ପ୍ରତି ନିର୍ବାଚନରେ ସେଠାରେ ମତଦାନ ହାର ନୈରାଶ୍ୟ ଜନକ ରହିଥାଏ । କେତେକ ସମ୍ବେଦନଶୀଳ ଅଂଚଳରେ ଆଦୌ ଭୋଟ ଗ୍ରହଣ ହୋଇପାରୁନାହିଁ । ଏପରି ସ୍ଥଳେ ଚଳିତ ନିର୍ବାଚନରେ ନିଜ ଅଂଚଳର ପ୍ରତିନିଧି ଭାବେ ପଦୁ ଉଭା ହୋଇଥିବାରୁ ତାହାର କି ପ୍ରଭାବ ସ୍ୱାଭିମାନ ଅଂଚଳରେ ପଡିବ ତାହା ଆଗାମୀ ଦିନରେ ଜଣାପଡିବ । ପୂର୍ବରୁ ବିଜେପି ଟିକେଟରେ ନିର୍ବାଚନ ଜିଣି ବିଧାନସଭାର ଉପବାଚସ୍ପତି ପଦ ସମ୍ଭାଳିଥିବା ବରିଷ୍ଠ ନେତା ପ୍ରହ୍ଲାଦ ଦୋରାଙ୍କୁ ଶେଷ ମୂହର୍ତରେ ନିରାଶ ହେବାକୁ ପଡିଛି । ବର୍ଷ ଆରମ୍ଭରୁ ବିଜେପି ପକ୍ଷରୁ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ସାଗରମ ଚର୍ଚ୍ଚା ରହି ଆସୁଥିବା ବେଳେ ଶ୍ରୀ ଦୋରାଙ୍କୁ ଟିକେଟ ନମିଳିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ସମର୍ଥକ । ସେହିପରି ବିଧାୟକ ଥିବା ଡମ୍ବରୁ ଶିଶାଙ୍କୁ ଏଥର ବିଜେଡି ଟିକେଟରୁ ବଂଚିତ କରିବା ଘଟଣାରେ ମର୍ମାହତ ହୋଇଛନ୍ତି ତାଙ୍କ ସମର୍ଥକ । ବିଜେଡି ସାଂସଦ ବଳଭଦ୍ର ମାଝୀ ବିଜେପିକୁ ଆସି ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦିତା କରୁଥିବାରୁ ବିଜେଡି ଉପରେ ଏହାର ପ୍ରଭାବ ପକାଇପାରେ ବୋଲି ବୃଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।