୧୧ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର : ପୁରୀ ପାଇଁ ୩୨୦୮କୋଟି
୧୧ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର : ପୁରୀ ପାଇଁ ୩୨୦୮କୋଟି
admin
Oct 22, 2019 - 06:12
Updated: Oct 22, 2019 - 06:12
ଭୁବନେଶ୍ୱର : ପୁରୀର ବିକାଶ ପାଇଁ ୩୨୦୮ କୋଟି ଟଙ୍କା ବିନିଯୋଗ ହେବ । ଅବଢ଼ା ଯୋଜନାରେ ଏତେ ପରିମାଣର ଅର୍ଥ ବିନିଯୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି; ଯାହା ୩ ବର୍ଷ ମଧ୍ୟରେ ପୁରୀର ବିକାଶ କାର୍ଯ୍ୟରେ ଲାଗିବ । ଚଳିତବର୍ଷ ୭୧୯ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ପୁରୀ ଗୋବର୍ଦ୍ଧନ ପୀଠର ପରିଚାଳନାଗତ ଅଧିକାର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ ରହିବ । ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ ଅନୁଯାୟୀ ଏହା ଆଉ ପରିଚାଳିତ ହେବ ନାହିଁ । ସରକାରୀ ନିୟନ୍ତ୍ରଣରେ ଆଉ ଏହି ମଠ ରହିବ ନାହିଁ ।
ଏହାକୁ ମିଶାଇ ମୋଟ୍ ୧୧ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ କ୍ୟାବିନେଟ୍ ବୈଠକ ବସିଥିଲା । ଏଥିରେ ସରକାର ଦେବଗଡ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଂଜ ଜିଲ୍ଲାର ୭ଟି ବ୍ଲକର ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାବ୍ୟତୀତ ବାସିନ୍ଦା, ଆୟ, ଜାତିଗତ ପ୍ରମାଣ ପତ୍ର କ୍ଷେକ୍ଷତ୍ରରେ ଆବେଦନ ଓ ୟୁଜର୍ସ ଫି ଶତ ପ୍ରତିଶତ ଛାଡ଼ କରିବାକୁ ନିଷ୍ପତ୍ତି ହୋଇଛି । ।
କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଲେ ଯେ ରାଜ୍ୟ ସରକାର ପୁରୀକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ଲାଗି ସ୍ଥିର କରିଛନ୍ତି । ଆସନ୍ତା ଦିନରେ ପୁରୀରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଯାତ୍ରୀମାନଙ୍କୁ ଉନ୍ନତ ଓ ସୁଲଭ ମୂଲ୍ୟରେ ସୁବିଧା ସୁଯୋଗ ଯୋଗାଇ ଦେବେ । ଏହା ସହିତ ମନ୍ଦିର ଏକ ପ୍ରସିଦ୍ଧ ତୀର୍ଥ ସ୍ଥାନ ହୋଇଥିବାରୁ ସବୁ ଦିଗରୁ ଯାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ଜରୁରୀ ବୋଲି ବିଚାର କରାଯାଉଛି ।
ଏହାକୁ ଦୃଷ୍ଟିରେ ରଖି ୨୦୧୭-୧୮ରେ ରାଜ୍ୟ ସରକାର ଅବଢ଼ା ଯୋଜନା ଆରମ୍ଭ କରିଥିଲେ । ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏବେ ହବିଷ୍ୟାଳିଙ୍କ ରହଣି ପାଇଁ ନୂତନ ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି । ପୁରୀର ବିଭିନ୍ନ ସ୍ଥାନରେ ରାସ୍ତାର ଉନ୍ନତୀକରଣ ସହିତ ଷ୍ଟାଡିୟମ ନିର୍ମାଣ ବି ଚାଲୁ ରହିଛି ।
ମୁଖ୍ୟଶାସନ ସଚିବ କହିଥିଲେ, ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବିମଳ ପ୍ରସାଦ ଦାଶଙ୍କୁ ନେଇ ଗଠିତ ତଦନ୍ତ ଆୟୁକ୍ତଙ୍କ ସୁପାରିସ ଅନୁଯାୟୀ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଦେବୋତ୍ତର ସଂସ୍ଥାର ସୁଶାସନ ଓ ପ୍ରଶାସନ ପାଇଁ କିଛି ଯୋଜନା ଅନୁମୋଦନ କରାଯାଇଛି । ସରକାର ଏସବୁ କାର୍ଯ୍ୟକ୍ରମକୁ ଅବଢ଼ା ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି । ମୋଟ ୧୫ଟି ପ୍ରକଳ୍ପର ବିକାଶ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଷ୍ପତ୍ତି ହୋଇଛି । ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ଏବଂ ଐତିହ୍ୟ କ୍ଷେତ୍ରର ବିକାଶ ପାଇଁ ମନ୍ଦିର ଚାରିପାଖରୁ ୭୫ମିଟର ଅଞ୍ଚଳ ଖାଲି କରାଯାଇଛି । ଶ୍ରୀ ସେତୁ ପ୍ରକଳ୍ପର ବିକାଶ କରାଯାଉଛି, ଯାହା ଦ୍ୱାରା ଜଗନ୍ନାଥ ବଲ୍ଲଭ ମଠ ପର୍ଯ୍ୟନ୍ତ ବାଇ ପାସ୍ ରାସ୍ତା ନିର୍ମାଣ ହେବ । ୪.୮ କିଲୋମିଟର ଦୀର୍ଘ ମୂଷା ନଦୀର ପୁନରୁଦ୍ଧାର ଯୋଜନା ହୋଇଛି । ବହୁତଳ କାର୍ ପାର୍କିଂ, ପୁରୀ ହ୍ରଦ ଉନ୍ନତୀକରଣ ଯୋଜନା, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ଗୃହ ନିର୍ମାଣ ଯୋଜନା, ତିନି ମହଲା ବିଶିଷ୍ଟ ରଘୁନନ୍ଦନ ପାଠାଗାର, ଆଚାର୍ଯ୍ୟ ହରିହର ଛକର ପୁନଃ ଉନ୍ନତୀକରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାବ୍ୟତୀତ ଅଠରନଳା ଐତିହ୍ୟର ଉନ୍ନତୀକରଣ, ତୀର୍ଥ ପୁଷ୍କରିଣୀର ବିକାଶ, ବିଭିନ୍ନ ମଠର ଉନ୍ନତି ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଛନ୍ତି । ଏସବୁ ପ୍ରକଳ୍ପ ଲାଗି ମୋଟ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ କରାଯାଇଛି । ଯାହାକୁ କ୍ୟାବିନେଟ୍ ଆଜି ଅନୁମୋଦନ ଦେଇଛନ୍ତି । ତେବେ ତିନିଟି ପର୍ଯ୍ୟାୟରେ ଏହି ଅର୍ଥ ପ୍ରଦାନ କରାଯିବ । ୨୦୧୯-୨୦ ଆର୍ଥିକ ବର୍ଷରେ ଅର୍ଥାତ୍ ଚଳିତ ବର୍ଷ ୭୧୯ କୋଟି ଟଙ୍କା, ୨୦୨୦-୨୧ରେ ୧୪୦୨ କୋଟି ଓ ୨୦୨୧ରେ ୧୦୮୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସ୍ଥିର ହୋଇଛି ।
ପୁରୀ ଗୋବର୍ଦ୍ଧନ ପୀଠ ସଂପର୍କରେ ଏକ ବଡ଼ ନିଷ୍ପତ୍ତି କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏ ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟ ସଚିବ କହିଥିଲେ, ରାଜ୍ୟରେ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ମଧ୍ୟରେ ପୁରୀ ଗୋବର୍ଦ୍ଧନ ପୀଠ ଓ ଶ୍ରୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କର ଅଗ୍ରଣୀ ତଥା ମୁଖ୍ୟ ଭୂମିକା ରହିଛି । ପୁରୀ ଗୋବର୍ଦ୍ଧନ ମଠ ସମେତ ବିଭିନ୍ନ କ୍ଷେତ୍ରରୁ ଆସିଥିବା ଅନୁରୋଧ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ କ୍ରମେ ସରକାର ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ, ୧୯୫୧ରେ ସଂଶୋଧନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଅଧିନିୟମ ପରିସରରୁ ଗୋବର୍ଦ୍ଧନ ପୀଠକୁ ବାଦ୍ ଦିଆଯିବାକୁ ସ୍ଥିର ହୋଇଛି । ଫଳରେ ଏହି ମଠର ପରିଚାଳନାଗତ ଅଧିକାର ଦେବୋତ୍ତର ବିଭାଗ ପାଖରେ ଆଉ ରହିବ ନାହିଁ ବରଂ ଖୋଦ୍ ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ ରହିବ ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ କ୍ୟାବିନେଟ୍ ଆଜି ବାସିନ୍ଦା, ଆୟ ଓ ସଂପତ୍ତି ସଂକ୍ରାନ୍ତ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଲୋକଙ୍କ ଠାରୁ ଆଦାୟ କରାଯାଉଥିବା ସମସ୍ତ ଦେୟ ଅର୍ଥାତ୍ ଆବେଦନ ଓ ୟୁଜର୍ସ ଫି ଆଦି ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଉତ୍ତରାଧିକାରୀ, ଅଭିଭାବକ, ତପସିଲଭୁକ୍ତ ଜାତି, ଜନଜାତି, ପଛୁଆ ବର୍ଗ, ସାମାଜିକ ତଥା ଆର୍ଥିକ ଏବଂ ଅନଗ୍ରସର ବର୍ଗ ପ୍ରମାଣ ପତ୍ର କ୍ଷେତ୍ରରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଲାଗୁ ହେବ । ଆବେଦନ ପତ୍ର ପାଇଁ ୧ ଟଙ୍କା ଓ ୟୁଜର୍ସ ଫି ବାବଦରେ ୩୦ ଟଙ୍କା ଦେବାକୁ ପଡୁଥିଲା । ହେଲେ କମନ ସର୍ଭିସ ସେଣ୍ଟର ମାଧ୍ୟମରେ ଅର୍ଥାତ୍ ଅନଲାଇନ୍ ମାଧ୍ୟମରେ ଯଦି କେହି ଏସବୁ ପ୍ରମାଣ ପତ୍ର ପାଇଁ ଆବେଦନ କରନ୍ତି, ତେବେ ଏହି ଫି ସେମାନଙ୍କ ପାଇଁ ପୂର୍ବବତ୍ ବଳବତ୍ତର ରହିବ ।
ରାଜ୍ୟ ସରକାର ଆଜି ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ମଧ୍ୟ ଏକାଧିକ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ବସୁଧା ଯୋଜନାରେ ରାଜ୍ୟର ଢେଙ୍କାନାଳ ଜିଲ୍ଲାରେ ଦୁଇଟି ପ୍ରକଳ୍ପକୁ ଗୋଟିଏ ପ୍ୟାକେଜରେ କାର୍ଯ୍ୟକାରୀ କରିବାକୁ ସ୍ଥିର ହୋଇଛି । ଓଡ଼ାପଡା ବ୍ଲକ ଅନ୍ତର୍ଗତ ୨୮ଟି ପଞ୍ଚାୟତ ଅଧୀନରେ ଥିବା ୧୩୨ଟି ଗାଁର ୧ଲକ୍ଷ ୪୩ ହଜାର ୪୮୨ ଲୋକଙ୍କୁ ନିରାପଦ ଜଳ ଯୋଗାଇ ଦିଆଯିବ । ସେହିପରି ହିନେ୍ଦାଳ ବ୍ଲକ ଅନ୍ତର୍ଗତ ୩୫ଟି ପଞ୍ଚାୟତ ଅଧୀନରେ ୧୮୫ଟି ଗାଁର ୧ଲକ୍ଷ ୭୪ ହଜାର ୪୩୨ ଲୋକଙ୍କ ପାଇଁ ଆଉ ଏକ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ମେସର୍ସ ଭୋଲଟାଜ୍ ଲିମିଟେଡ୍ ୩୪୯ କୋଟି ୩୮ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କରିବେ । ୨୪ ମାସ ସମୟସୀମା ମଧ୍ୟରେ ସରକାର ଏସବୁ ପ୍ରକଳ୍ପକୁ ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।
ରାଜ୍ୟ ସରକାର ଏନଆରଡିଡବ୍ଲୁପି ଯୋଜନାରେ ଦେବଗଡ ଜିଲ୍ଲାରେ ଦୁଇଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସ୍ଥିର କରିଛନ୍ତି । ଏହାଦ୍ୱାରା ବାରକୋଟ ବ୍ଲକ ଅନ୍ତର୍ଗତ ୨୧୬ଟି ଗାଁର ୧ଲକ୍ଷ ୨୨୫ ଲୋକ ଓ ରିଆମାଳ ବ୍ଲକର ୨୧୬ଟି ଗାଁର ୯୧ ହଜାର ୬୬୮ ଲୋକ ପାନୀୟ ଜଳ ପାଇପାରିବେ । ମେସର୍ସ ଭୋଲଟାଜ୍ ଲିମିଟେଡ୍ ଏହି ପ୍ରକଳ୍ପ ମଧ୍ୟ କରିବ । ଏଥିପାଇଁ ମୋଟ ୩୩୩ କୋଟି ୮୮ଲକ୍ଷ ଟଙ୍କା ବିନିଯୋଗ ହେବ । ଏହି ପ୍ରକଳ୍ପକୁ ମଧ୍ୟ ୨୪ମାସ ସମୟ ସୀମା ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ୩ଟି ବ୍ଲକ ଅନ୍ତର୍ଗତ ୩୮୪ ଟି ଗ୍ରାମରେ ଭୂତଳ ଜଳ ଖଣି ଦ୍ୱାରା ପ୍ରଭାବିତ ହୋଇଛି । ଏହି ପରିପ୍ରେକ୍ଷୀରେ ଓଏମବିଏଡିସି ଅର୍ଥ ସହାୟତାରେ ଭୁପୃଷ୍ଠ ଜଳକୁ ବିଶୋଧନ କରି ବିଶୁଦ୍ଧ ଜଳ ଯୋଗାଇ ଦେବା ନିମନ୍ତେ ସରକାର ପ୍ରକଳ୍ପ ହାତକୁ ନେଇଛନ୍ତି ।
ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ୨୦ଟି ପଞ୍ଚାୟତ ଅଧୀନରେ ଥିବା ୭୧ଟି ଗ୍ରାମର ୧ଲକ୍ଷ ୧ ହଜାର ୬୮ ଜଣ ଲୋକଙ୍କ ପାଇଁ ଏକ ପ୍ରକଳ୍ପ ହାତକୁ ନିଆଯାଇଛି । ସେହିଭଳି କେନ୍ଦୁଝର ଜିଲ୍ଲାର ହାଟଡିିହି ବ୍ଲକ ଅନ୍ତର୍ଗତ ୨୯ଟି ପଞ୍ଚାୟତ ଅନ୍ତର୍ଗତ ୨୦୦ଟି ଗାଁର ୧ଲକ୍ଷ ୨୬ ହଜାର ୬୩୩ ଜଣଙ୍କ ପାଇଁ ଅନ୍ୟ ଏକ ପ୍ରକଳ୍ପ ହେବ ।