ସଂସଦୀୟ କମିଟିରେ ସ୍ଥାନ ପାଇଲେ ଓଡ଼ିଆ ସାଂସଦ

ସଂସଦୀୟ କମିଟିରେ ସ୍ଥାନ ପାଇଲେ ଓଡ଼ିଆ ସାଂସଦ

ସଂସଦୀୟ କମିଟିରେ ସ୍ଥାନ ପାଇଲେ ଓଡ଼ିଆ ସାଂସଦ
ଭୁବନେଶ୍ୱର: ମୋଦି ସରକାର ସଂସଦର କିଛି କମିଟି ସମ୍ପର୍କରେ ଗତକାଲି ଘୋଷଣା କରିଛନ୍ତି। ଏହି କମିଟିରେ ଶାସକ ଓ ବିରୋଧୀ ଉଭୟ ଦଳର ନେତାଙ୍କୁ ସାମିଲ କରାଯାଇଛି। ଏଥିସହିତ ସଂସଦୀୟ କମିଟିରେ ସ୍ଥାନ ପାଇଛନ୍ତି ବହୁ ଓଡ଼ିଆ ସାଂସଦ। ଜୁଏଲ ଓରାମଙ୍କ ଅଧ୍ୟକ୍ଷ ଥିବା ପ୍ରତିରକ୍ଷା କମିଟିରେ ସ୍ଥାନ ପାଇଛନ୍ତି ଦୁଇ ଓଡ଼ିଆ ସାଂସଦ। ଦେବଗଡ ସାଂସଦ ନୀତିଶ ଗଙ୍ଗଦେବ ଓ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକଙ୍କୁ ପ୍ରତିରକ୍ଷା କମିଟିର ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ବୈଦେଶିକ ବ୍ୟାପାର କମିଟିରେ ସ୍ଥାନ ପାଇଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। ଗୃହ ବିଭାଗ କମିଟିରେ ସଦସ୍ୟ ଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀଙ୍କୁ ବି ନିଯୁକ୍ତି ମିଳିଛି। ସେହିଭଳି ଜୟନ୍ତ ସିହ୍ନାଙ୍କ ନେତୃତ୍ୱାଧୀନ ଫାଇନାନ୍ସ କମିଟିରେ ସ୍ଥାନ ପାଇଲେ ସାଂସଦ ପିନାକୀ ମିଶ୍ର ଓ ଅମର ପଟ୍ଟନାୟକ। ତେବେ ଏହି ସଂସଦୀୟ କମିଟିରେ ରାଜ୍ୟର ସମସ୍ତ ସାଂସଦଙ୍କୁ ନିଯୁକ୍ତି ଦିଆଯାଇଛି। ବାଣିଜ୍ୟ କମିଟିରେ ସଦସ୍ୟ ଭାବେ ନିଯୁକ୍ତି ପାଇଲେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ। ସଂସଦୀୟ କୋଇଲା ଓ ଖଣି କମିଟିରେ ଦୁଇ ଓଡ଼ିଆ ସାଂସଦ ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କୁ କମିଟିର ସଦସ୍ୟ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ସଂସଦୀୟ ଶ୍ରମ ଓ ନିୟୋଜନ କମିଟିର ଅଧ୍ୟକ୍ଷ ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନୂଆ ଦାୟିତ୍ୱ ମିଳିଛି ଏବଂ ସଂସଦୀୟ ରେଲୱେ କମିଟିର ସଦସ୍ୟ ଭାବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସଂହଦେଓଙ୍କୁ ମିଳିଛି ନୂଆ ଦାୟିତ୍ୱ। ସେହିଭଳି ସହରାଞ୍ଚଳ ବିକାଶ କମିଟିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସ୍ଥାନ ପାଇଥିବା ବେଳେ ସଂସଦୀୟ ଜଳ ସମ୍ପଦ କମିଟିରେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ରାଜ୍ୟସଭା ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁ।