ପୁରୀ-କୋଣାର୍କକୁ କ’ଣ ଭୂକମ୍ପ ବିପଦ ଅଛି

ପୁରୀ-କୋଣାର୍କକୁ କ’ଣ ଭୂକମ୍ପ ବିପଦ ଅଛି


ହେବ ମାଇକ୍ରୋ ଜୋନ୍ ସର୍ଭେ

ପୁରୀ: ଭୂକମ୍ପ ହେଲେ ପୁରୀ-କୋଣାର୍କର କ’ଣ ହେବ? ପୁରୀ ମାଟି ତଳେ କେଉଁଠି ଅଛି ଫଲ୍ଟ ଜୋନ? ମାଟି ଫାଟ ଅଛି କି? ଯଦି ଥାଏ...? ବଙ୍ଗୋପସାଗର ଫଲ୍ଟ ଜୋନଠାରୁ ନିରାପଦରେ ପୁରୀ ଅଛି ନା ନାହିଁ? ଯଦି ଭୂକମ୍ପ ହେବ, ପୁରୀ-କୋଣାର୍କର କେଉଁ ଅଂଚଳ ବେଶି କ୍ଷତିଗ୍ରସ୍ତ ହେବ? ଐତିହ୍ୟ, କୀର୍ତ୍ତିରାଜି ସୁରକ୍ଷିତ ରହିବ ତ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜାଯିବ । ଆଉ ଉତ୍ତର ଖୋଜି ବାହାର କରିବ ଭାରତୀୟ ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା (ଜିଏସଆଇ) । 

  ପୁରୀ-କୋଣାର୍କ ପାଇଁ ହେବ ମାଇକ୍ରୋ ଜୋନ୍ ସର୍ଭେ । ପ୍ରତି ଅଂଚଳର ଟିକିନିଖି ଭୂତତ୍ୱଭିତ୍ତିକ ସର୍ଭେ କରାଯିବ । ଚିହ୍ନଟ ହେବ ଦୁର୍ବଳ ଜୋନ । ଏହି ସର୍ଭେ ସରିବା ପରେ ଆବଶ୍ୟକ ସ୍ଥଳେ ଭୂକମ୍ପ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରାଯିବ । ଏଭଳି ଯୋଜନାରେ ଅଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ଜିଏସଆଇକୁ ସର୍ଭେ ପାଇଁ ଲେଖିବେ ରାଜ୍ୟ ସରକାର । ଜିଏସଆଇ ମୁଖ୍ୟାଳୟ ହଁ ଭରିବା ପରେ ବର୍ଷେ ବ୍ୟାପି ସର୍ଭେ ଚାଲିବ । ପୂର୍ବରୁ ଭୁବନେଶ୍ୱର ପାଇଁ ଏଭଳି ମାଇକ୍ରୋ ଜୋନ୍ ସର୍ଭେ କରାଯାଇଛି । 

  ଏବେ ପ୍ରଶ୍ନ ଉଠୁଛି, କ’ଣ ପାଇଁ ସରକାରଙ୍କ ମୁଣ୍ଡରେ ଏଭଳି ଚିନ୍ତା ପଶିଲା । ଏ ଚିନ୍ତା ଏବେ ନୁହେଁ, ଗତ କିଛି ବର୍ଷ ହେବ ସରକାରଙ୍କୁ ଘାରିଛି । ୨୦୧୪ ମେ’ ୨୧ ତାରିଖ ରାତିରେ ଓଡ଼ିଶାକୁ ଥରାଇ ଦେଇଥିଲା ୫.୯ ତୀବ୍ରତାର ଭୂକମ୍ପ । ଏମିତି ଭୂକମ୍ପ ଝଟକା ଓଡ଼ିଶା କେବେ ଅନୁଭବ କରିନଥିଲା । ସୌଭାଗ୍ୟବଶତଃ ଓଡ଼ିଶାରେ କିଛି କ୍ଷୟକ୍ଷତି ହୋଇନଥିଲା । ମାତ୍ର ଯଦି ଭୂକମ୍ପ ତୀବ୍ରତା ସାମାନ୍ୟ ଅଧିକ ହୋଇଥାନ୍ତା, ତେବେ ଅଘଟଣ ଘଟିଥାନ୍ତା । ସେଦିନର ଭୂକମ୍ପ ବଙ୍ଗୋପସାଗରରୁ ଉପôତ୍ତି ହୋଇଥିଲା । ବଙ୍ଗୋପସାଗର ଯେଉଁ ସ୍ଥାନରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା, ତାହା କୋଣାର୍କରୁ ଦୂରତା ଥିଲା ୨୭୬ କିମି । ସମୁଦ୍ରରେ ଏହି ଦୂରତା ବେଶି ନୁହେଁ । ଯଦି ଭୂକମ୍ପର ତୀବ୍ରତା ଅଧିକ ହୋଇଥାନ୍ତା, ତେବେ ବଡ଼ କ୍ଷତି କରିବା ସହ ପୁରୀ, କୋଣାର୍କ, ଅସ୍ତରଙ୍ଗ, ପାରାଦୀପରେ ହୁଏତ ସୁନାମି ଆସିଥାନ୍ତା ବୋଲି ବିଶେଷଜ୍ଞ କହନ୍ତି ।

  ଏବେ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟନଗରୀ ରୂପ ଦେବାକୁ ରାଜ୍ୟ ସରକାର ବ୍ୟାପକ ଯୋଜନା ହାତକୁ ନେଇଛନ୍ତି । କୋଣାର୍କ ଚାରିପାଖ ଅଂଚଳକୁ ବି ନୂଆ ରୂପ ଦିଆଯାଉଛି । ଖାଲି ସେତିକି ନୁହେଁ, ପୁରୀରେ ବିଶ୍ୱସ୍ତରୀୟ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଯୋଜନା ଅଛି । ଏସବୁ କାର୍ଯ୍ୟ ହେଲେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଂସ୍ଥା ପୁରୀରେ ଆସି ବ୍ୟବସାୟ ପସରା ଖୋଲିବେ । ବହୁ ଆବାସିକ, ବ୍ୟବସାୟିକ ଉଚ୍ଚ ଅଟ୍ଟାଳିକା ଗଢ଼ି ଉଠିବ । ହେଲେ ଭୂକମ୍ପ ଜୋନରେ ଯଦି ଏସବୁ ନିର୍ମାଣ ହେବ, ଭବିଷ୍ୟତରେ ବିପଦ ହୋଇପାରେ । ଏହାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ପୁରୀ-କୋଣାର୍କକୁ ଭୂକମ୍ପ ପ୍ରତିରୋଧକ ସହର ଭାବେ ଛିଡ଼ା କରିବାକୁ ଲକ୍ଷ୍ୟ ରଖିଛନ୍ତି ।