ସ୍ବର ସମ୍ରାଜ୍ଞୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା
ସ୍ବର ସମ୍ରାଜ୍ଞୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା
ମୁମ୍ବାଇ: ତାଙ୍କ କଣ୍ଠରେ ରହଛି ଯାଦୁ। ତାଙ୍କ କଣ୍ଠରେ ବିଜେ କରିଛନ୍ତି ମା ସରସ୍ବତୀ। ଆଜି ବି ତାଙ୍କ କଣ୍ଠର ସଂଗୀତ ସବୁ ବର୍ଗର ଲୋକଙ୍କୁ ତଲ୍ଲୀନ କରେ। ବାନ୍ଧି ରଖେ। ମନରେ ଶାନ୍ତି ଆଣି ଦିଏ। ସେ ହେଉଛନ୍ତି କୋକିଳ କଣ୍ଠୀ। ସ୍ୱର ସମ୍ରାଜ୍ଞୀ। ତାଙ୍କ ଗୀତ ଏବେ ବି ଲୋକଙ୍କ ହୃଦୟରେ ସୃଷ୍ଟିକରେ ସଂଗୀତର ମଧୁର ମୂର୍ଚ୍ଛନା। ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ, ଭାରତ ରତ୍ନ ଲତା ମଙ୍ଗେସକର। ଆଜି ହେଉଛି ଲତା ମଙ୍ଗେସକରଙ୍କ ଜନ୍ମଦିନ। ଆଜିର ଦିନରେ ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ ଲତା ମଙ୍ଗେସକର। ତାଙ୍କ ଜନ୍ମଦିନରେ ଅବସରରେ ତାଙ୍କ ଜୀବନୀ ସଂପର୍କରେ କିଛି ଅଜଣା କଥା।
ଲତା ମଙ୍ଗେସକର ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ। ପିତା ଦିନାନାଥ ମଙ୍ଗେସକର ଥିଲେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥିଏଟର କଳାକାର। ପିଲା ବେଳୁ ହଁକ ସଙ୍ଗୀତ ପ୍ରତି ମନ ବଳାଇଥିଲେ ଲତା। ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ। ହେଲେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଆଉ ପରିବାର ଚଳାଇବା ପାଇଁ ଶେଷରେ ୧୯୪୨ ମସିହାରେ ସଙ୍ଗୀତ ଜଗତରେ ପାଦ ଦେଇଥିଲେ ଲତା ମଙ୍ଗେସକର।
୧୯୪୨ରୁ ୧୯୪୮ ମସିହା ମଧ୍ୟରେ ଲତା ମଙ୍ଗେସକର ହିନ୍ଦୀ ଓ ମରାଠୀ ଭାଷାରେ ୮ଟି ସଙ୍ଗୀତରେ କଣ୍ଠଦାନ କରିଥିଲେ। ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର କିଟ୍ଟି ହାସଲରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ମଜବୁର, ବେଦର୍ଦ ଭଳି ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇ ପରିଚିତ ହେବା ପରେ ପୂରା ସଙ୍ଗୀତ ଜଗତରେ ଛାଇ ଯାଇଥିଲେ ଲତା ମଙ୍ଗେସକର।
୧୯୬୩ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଗୀତ ‘ଏ ମେରେ ବତନ କେ ଲୋଗୋଁ’ ଅନେକ ଲୋକଙ୍କ ମନକୁ ଛୁଇଁଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବବିହ୍ୱଳ ହୋଇପଡିଥିଲେ । ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ଲତା ମଙ୍ଗେସକର ‘ଲଗଜା ଗଲେ’, ‘ପ୍ୟାର କା ନଗମା’, ‘ସିସା ହୋ ୟା ଦିଲ’, ‘ତେରେ ବିନା ଜିନ୍ଦେଗୀ ସେ କୋଇ ସିଖବା ନେହିଁ’ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ ।
ନିଜ କ୍ୟାରିୟର ଭିତରେ ଭାରତୀୟ ସିନେମାକୁ ଅନେକ ସଙ୍ଗୀତ ଭେଟି ଦେଇଛନ୍ତି ଲତା ମଙ୍ଗେସକର । କେବଳ ହିନ୍ଦି ନୁହେଁ ଅନ୍ୟ ଆଞ୍ଚଳିକ ଗୀତରେ କଣ୍ଠଦାନ କରି ସେ ପ୍ରସିଦ୍ଧି ଲାଭ କରିଛନ୍ତି । ସଙ୍ଗୀତରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
୧୯୫୮ ମସିହାରେ- ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ
୧୯୬୯ ମସିହାରେ- ପଦ୍ମ ଭୂଷଣ
୧୯୮୯ ମସିହାରେ- ଦାଦା ସାହେବ ଫାଲକେ ଆୱାର୍ଡ
୧୯୯୩ ମସିହାରେ- ଜୀବନ ବ୍ୟାପୀ ସାଧନା ପୁରସ୍କାର
୧୯୯୭ ମସିହାରେ- ମହାରାଷ୍ଟ୍ର ଭୂଷଣ ପୁରସ୍କାର
୧୯୯୯ ମସିହାରେ- ପଦ୍ମ ବିଭୂଷଣ
୨୦୦୧ ମସିହାରେ- ଭାରତ ରତ୍ନ
୨୦୦୯ ମସିହାରେ- ୩ଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ
ଲତା ମଙ୍ଗେସକର ହେଉଛନ୍ତି ଭାରତୀୟ ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତି କଣ୍ଠଶିଳ୍ପୀ। ସଙ୍ଗୀତ ଜଗତରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ତାଙ୍କ କଣ୍ଠର ପ୍ରତିଟି ସଂଗୀତ ଯୁବ ବର୍ଗକୁ ମତୁଆଲା କରେ। ଲତା ମଙ୍ଗେସକରଙ୍କ ଜନ୍ମଦିନ ଅବସରରେ ଆମର କୋଟି କୋଟି ନମନ, ଶୁଭେଚ୍ଛା।