ଆଜି ରାହୁଲଙ୍କ ହାତ ଧରିବେ କହ୍ନେୟା

ଆଜି ରାହୁଲଙ୍କ ହାତ ଧରିବେ କହ୍ନେୟା


ନୂଆଦିଲ୍ଲୀ: ଫାୟାର ବ୍ରାଣ୍ଡ ଯୁବ ନେତା କହ୍ନେୟା କୁମାର ସିପିଆଇ ଛାଡ଼ି ଆଜି କଂଗ୍ରେସରେ ମିଶିବେ । ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ହାତ ଧରିବେ ଜେଏନୟୁ ଛାତ୍ର ସଂସଦର ଏହି ପୂର୍ବତନ ସଭାପତି । କହ୍ନେୟାଙ୍କୁ ଆଗାମୀଦିନରେ କଂଗ୍ରେସ ଏକ ବଡ଼ ଭୂମିକା ଦେବ । ଉଭୟ ବିହାର ଓ ରାଷ୍ଟ୍ରୀୟ ସ୍ତରରେ ମୋଦି ଓ ବିଜେପି ବିରୋଧୀ ଆନେ୍ଦାଳନ ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଥିବାବେଳେ କହ୍ନେୟା ଏଥିରେ ପ୍ରମୁଖ ଭୂମିକା ନେବେ । କହ୍ନେୟାଙ୍କ ସହ ଗୁଜରାଟର ଦଳିତ ବିଧାୟକ ତଥା ଚର୍ଚ୍ଚିତ ଯୁବ ନେତା ଜିଗ୍ନେଶ ମେୱାନି ମଧ୍ୟ ଆଜି କଂଗ୍ରେସରେ ମିଶିବାର କାର୍ଯ୍ୟକ୍ରମ ରହିଛି । କହ୍ନେୟାଙ୍କୁ ସ୍ୱାଗତ ପାଇଁ ନୂଆଦିଲ୍ଲୀସ୍ଥିତ କଂଗ୍ରେସ ଦପ୍ତର କାନ୍ଥରେ ବଡ଼ବଡ଼ ହୋର୍ଡିଂ ଲଗାଯାଇଛି । ଯେଉଁଥିରେ ରାହୁଲଙ୍କ ସହ କହ୍ନେୟାଙ୍କ ଫଟୋ ରହିଛି ।

  ରାଜନୈତିକ ରଣନୀତିକାର ପ୍ରଶାନ୍ତକିଶୋରଙ୍କ ପରାମର୍ଶ କ୍ରମେ କଂଗ୍ରେସର ନବକଳେବର ପର୍ବ ଆରମ୍ଭ ହୋଇଛି । ପଞ୍ଜାବରେ କ୍ୟାପଟେନ ଅମରିନ୍ଦର ସିଂଙ୍କ ଭଳି ବରିଷ୍ଠଙ୍କୁ ହଟାଇ ଜଣେ ଦଳିତ ଓ ଯୁବ ନେତା ଚରଣଜିତ ସିଂ ଚନ୍ନିଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ କରିଛି । ରାଜସ୍ଥାନରେ ବି ବଡ଼ ପରିବର୍ତ୍ତନ ହୋଇପାରେ ଅଗାମୀଦିନରେ । ସେଥିପାଇଁ ରାହୁଲ ଓ ପ୍ରିୟଙ୍କା ବାରମ୍ବାର ସଚିନ ପାଇଲଟଙ୍କ ସହ ଆଲୋଚନା ଚଳାଇଛନ୍ତି । ସେପଟେ ଦେଶର ଚର୍ଚ୍ଚିତ ଯୁବ ନେତାମାନଙ୍କୁ କଂଗ୍ରେସ ଏବେ ନିଜ ଟିମ୍ରେ ସାମିଲ କରିବାକୁ  ଲାଗିଛି । ଏହି କ୍ରମେୂର କହ୍ନେୟା ଓ ଜିଗ୍ନେଶଙ୍କୁ ରାହୁଲ ନିଜ ଟିମ୍ରେ ବଡ଼ ଭୂମିକା ଦେବେ । ଗୁଜରାଟରେ ପୂର୍ବରୁ ହାର୍ଦ୍ଧିକ ପଟେଲଙ୍କ ଭଳି ଯୁବ ନେତାଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି ମିଳିଛି । ଆଗାମୀଦିନରେ ବିଭି ଶ୍ରୀନିବାସ ମଧ୍ୟ ବଡ଼ ଭୂମିକାରେ ଓହ୍ଲାଇପାରନ୍ତି । ଜ୍ୟୋତିରାଦିତ୍ୟ ସନ୍ଧିଆ, ଜିତିନ ପ୍ରସାଦ, ପ୍ରିୟଙ୍କା ଚର୍ତୁଭେଦି, ସୁସ୍ମିତା ଦେବ ଦଳ ଛାଡ଼ିବା ପରେ ରାହୁଲ ନୂଆ ଯୁବ ଟିମ୍ ଗଢ଼ିବାକୁ ମିଶନ ଆରମ୍ଭ କରିଛନ୍ତି । ଏହି ଯୁବ ଟିମ୍ ଭରସାରେ ରାହୁଲ ୨୦୨୪ ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ।