ବୁଷ୍ଟର ଡୋଜ୍ ନେଲେ ଆମେରିକା ରାଷ୍ଟ୍ରପତି
ବୁଷ୍ଟର ଡୋଜ୍ ନେଲେ ଆମେରିକା ରାଷ୍ଟ୍ରପତି
ନୂଆଦିଲ୍ଲୀ: କରୋନାରୁ ସଂପୂର୍ଣ୍ଣ ସୁରକ୍ଷିତ ରହିବା ପାଇଁ ଶରୀରରେ ଆଣ୍ଟିବଡ଼ି ବଢ଼ାଇବା ଜରୁରୀ। ଏହାକୁ ଦୃଷ୍ଟିରେ ରଖି ଆମେରିକାରେ ୬୫ ବର୍ଷ ବୟସରୁ ଅଧିକ ନାଗରିକ ଏବଂ ଗୁରୁତର ରୋଗରେ ପୀଡ଼ିତ ଲୋକଙ୍କୁ ବୁଷ୍ଟର ଡୋଜ୍ ଅର୍ଥାତ ତୃତୀୟ ଡୋଜ୍ ଟିକା ନେବାକୁ ପରାମର୍ଶ ଦିଆଯାଇଛି। ପ୍ରଥମେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ବୁଷ୍ଟର ଡୋଜ୍ ନେଇଛନ୍ତି। ହ୍ୱାଇଟ୍ ହାଉସରେ ଫାଇଜର ଟିକାର ତୃତୀୟ ଡୋଜ୍ ନେଇଛନ୍ତି ଆମେରିକା ରାଷ୍ଟ୍ରପତି । ଏହା ସହ ଆମେରିକାବାସୀଙ୍କୁ ସେ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେଇଛନ୍ତି ।
ବୁଷ୍ଟର ଡୋଜ୍ ନେବା ପରେ ବାଇଡେନ୍ କହିଛନ୍ତି, ଆମେରିକାର ଗୋଟିଏ ଅଂଶର ଲୋକେ ଟିକା ନେବାରେ ବାଧା ସୃଷ୍ଟି କରୁଛନ୍ତି । କରୋନାର ଗୋଟିଏ ଡୋଜ୍ ନେବା ପାଇଁ ବି ମନା କରୁଛନ୍ତି । ଯାହା ଫଳରେ ଦେଶରେ ଘାତକ ଡେଲଟା ଭାଇରସ ବ୍ୟାପିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ୭୭ ପ୍ରତିଶତ ଆମେରିକୀୟ ଟିକା ନେଇ ସାରିଲେଣି, ଯାହାକି ପର୍ୟ୍ୟାପ୍ତ ନୁହଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଏବେ ବି ଏକ ଚତୁର୍ଥାଂଶ ଟିକା ନେବାକୁ ମନା କରୁଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କର ପ୍ରଥମ ଡୋଜ୍ ଗତବର୍ଷ ଡିସେମ୍ବର ୨୧ ତାରିଖରେ ନେଇଥିଲେ । ତୃତୀୟ ସପ୍ତାହ ପରେ ଜାନୁଆରି ୧୧ରେ ସେ ଦ୍ୱିତୀୟ ଡୋଜ୍ ନେଇଥିଲେ ।