କେନ୍ଦ୍ରରେ ଖାଲି ପଡ଼ିଛି ୭ ଲକ୍ଷ ପଦବି

କେନ୍ଦ୍ରରେ ଖାଲି ପଡ଼ିଛି ୭ ଲକ୍ଷ ପଦବି

କେନ୍ଦ୍ରରେ ଖାଲି ପଡ଼ିଛି ୭ ଲକ୍ଷ ପଦବି
ନୂଆଦିଲ୍ଲୀ: ବର୍ଷକୁ ୨ କୋଟି ନୂଆ ନିଯୁକ୍ତିର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ମୋଦୀ ସରକାରଙ୍କ ପାଇଁ ଏବେ ଦେଶର ବେକାରି ସମସ୍ୟା ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ନୂଆ ନିଯୁକ୍ତି ଦେବା ତ ଦୂରର କଥା ଖାଲିଥିବା ପଦବି ମଧ୍ୟ ପୂରଣ ହୋଇପାରୁନାହିଁ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ପାଖାପାଖି ୭ ଲକ୍ଷ ପଦବିରେ କର୍ମଚାରୀ ନାହାନ୍ତି । ଗତବର୍ଷ ମାର୍ଚ୍ଚ ୧ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଏସବୁ ପଦବି ଖାଲି ପଡ଼ିଛି । ଗୁରୁବାର ରାଜ୍ୟସଭାରେ ସରକାର ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୨୦୧୮ ମାର୍ଚ୍ଚ ୧ ସୁଦ୍ଧା ମୋଟ ୬ ଲକ୍ଷ ୮୩ ହଜାର ୮୨୩ଟି ପଦବି ଖାଲି ପଡ଼ିଛି । ଏଥିରୁ "ଗ୍ରୁପ୍ ସି' ବର୍ଗରେ ୫ ଲକ୍ଷ ୭୪ ହଜାର ୨୮୯ଟି ପଦବି ଖାଲି ଥିବାବେଳେ "ଗ୍ରୁପ୍ ବି' ବର୍ଗରେ ୮୯ ହଜାର ୬୩୮ ପଦବି, "ଗ୍ରୁପ୍ ଏ' ବର୍ଗରେ ୧୯ ହଜାର ୮୯୬ ପଦବି ଖାଲି ରହିଛି । ଦେଶରେ ଗୁରୁତ୍ୱପୂର୍ଣ୍ଣ ଅପରାଧର ତଦନ୍ତ କରୁଥିବା ସିବିଆଇରେ ମଧ୍ୟ ୧୦ ହଜାରରୁ ଅଧିକ ପଦବି ଫାଙ୍କା ରହିଛି । ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି । ତେବେ ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି, ଖାଲି ପଡ଼ିଥିବା ପଦବି ସମ୍ପର୍କରେ ବିଭିନ୍ନ ବିଭାଗ ଦେଇଥିବା ରିପୋର୍ଟକୁ ଭିତ୍ତିକରି କର୍ମଚାରୀ ଚୟନ ଆୟୋଗ ୨୦୧୯-୨୦ ବର୍ଷରେ ୧ ଲକ୍ଷ ୫ ହଜାର ୩୩୮ଟି ପଦବି ପୂରଣ ପାଇଁ ପଦକ୍ଷେପ ନେଇଛି । ଏହା ପୂର୍ବରୁ ରେଳ ମନ୍ତ୍ରାଳୟ ଏବଂ ରେଳ ନିଯୁକ୍ତି ବୋର୍ଡ ଗୁଡ଼ିକ ପକ୍ଷରୁ ୨୦୧୭-୧୮ ବର୍ଷରେ ଗ୍ରୁପ୍ ସି ଏବଂ ଲେଭଲ-୧ ବର୍ଗରେ ୧ ଲକ୍ଷ ୨୭ ହଜାର ୫୭୩ଟି ପଦବି ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି । କେନ୍ଦ୍ରୀୟ ନିଯୁକ୍ତି ବିଜ୍ଞାପନ ଅନୁଯାୟୀ ଏହା କରାଯାଇଛି । ସେହିଭଳି ଅନ୍ୟ ୫ଟି କେନ୍ଦ୍ରୀୟ ନିଯୁକ୍ତି ବିଜ୍ଞପ୍ତିରେ ୨୦୧୮-୧୯ ବର୍ଷରେ ୧ ଲକ୍ଷ ୫୬ ହଜାର ୧୩୮ଟି ଗ୍ରୁପ୍ ସି ଏବଂ ଲେଭଲ-୧ ପବଦି ପୂରଣ ପାଇଁ ପଦକ୍ଷେପ ନିଆଯାଇଛି । ଡାକ ବିଭାଗ ପକ୍ଷରୁ ଖାଲିଥିବା ୧୯ ହଜାର ୫୨୨ଟି ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ପରୀକ୍ଷା କରାଯାଇଛି । ତେଣୁ କର୍ମଚାରୀ ଚୟନ ଆୟୋଗ, ରେଳବାଇ ନିଯୁକ୍ତି ବୋର୍ଡ ଏବଂ ଡାକ ବିଭାଗ ପକ୍ଷରୁ ୪ ଲକ୍ଷ ୮ ହଜାର ୫୯୧ଟି ପଦବି ପୂରଣ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ନିଯୁକ୍ତି ପ୍ରକ୍ରିୟାକୁ କମ୍ ଦିନ ମଧ୍ୟରେ ଶେଷ କରିବା ପାଇଁ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଗୁଡ଼ିକ କମ୍ପୁ୍ୟଟରରେ ଅନଲାଇନ୍ ପରୀକ୍ଷା କରାଯାଉଛି । ଅଣ ଗେଜେଟେଡ୍ ପଦବି ପାଇଁ ସାକ୍ଷାତକାରକୁ ବାଦ୍ ଦିଆଯାଇଛି । ୨୦୧୬ ଜାନୁଆରି ପହିଲାରୁ ଏଭଳି କରାଯାଉଛି ।