କେଉଁଠି ଅଟକିଛି ମେଂଟ ?

କେଉଁଠି ଅଟକିଛି ମେଂଟ ?

କେଉଁଠି ଅଟକି ଯାଇଛି ବିଜେଡ଼ି ବିଜେପି ମେଂଟ ?

କାହିଁକି ଛିଣ୍ଡୁନାହିଁ ଭାଗବଂଟା ?
କେତେ ଆସନ ଚାହୁଁଛି ବିଜେପି ?
କେତେ ଆସନ ଚାହୁଁଛି ବିଜେଡ଼ି ?

ଏଭଳି ପ୍ରଶ୍ନରେ ଏବେ ଛନ୍ଦି ହୋଇଯାଇଛନ୍ତି ଦୁଇ ଦଳ  । ସମସ୍ତେ ସମସ୍ତଙ୍କ ଜିଦରେ ଅଟଳ  । କେହି କାହାକୁ ଅଧିକ ଆସନ ଛାଡ଼ିବାକୁ ରାଜିନୁହଁନ୍ତି  । ଯାହାକୁ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଅଙ୍କକଷା ଜୋରଧରିଛି  ।

ବିଜେଡ଼ି ଓ ବିଜେପି ମେଂଟ ପାଇଁ ଉଭୟ ଦଳର ଶୀର୍ଷ ନେତୃତ୍ୱ ଆଗ୍ରହୀ ଥିଲେ  ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ବି କଥା ହୋଇଥିଲା  । ଯେଉଁଥିପାଇଁ ବିଜେଡ଼ି ଓ ବିଜେପିର ଉଚ୍ଚସ୍ତରୀୟ ବୈଠକରେ ଏନେଇ ଘଂଟାଚକଟା କରାଯାଇଛି  । ହେଲେ ଆସନ ଭାଗବଂଟାକୁ ନେଇ ଏବେ ସବୁକିଛି ଅଟକି ଯାଇଛି  । 

ରାଜନୀତିକ ଅଳିନ୍ଦରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେପି ଚାହୁଁଛି ୬୦ ବିଧାନସଭା ଆସନ  । ଦଳର ଯୁକ୍ତି ହେଉଛି, ୧୪୭ ଆସନରେ ବିଜେପି ଲଢ଼ିଲେ ଅତିକମରେ ୪୦ରୁ ୪୫ ଆସନ ପାଇବ  । ଯଦି ଫାଇଦାରୁ ରହିବୁ ତାହେଲେ ମେଂଟ ହେଲେ ଲାଭ ଅଛି  । ନଚେତ ଦଳୀୟ କାର୍ଯ୍ୟକର୍ତାଙ୍କ ମନୋବଳ ଭାଙ୍ଗିଯିବା ସହ ବିଜେଡ଼ି ସହ ଲଢେ଼ଇ ଭାବନା ବି ତୁଟିଯିବ  । ଗତ ଦଶ ବର୍ଷ ମଧ୍ୟରେ ବିଜେପି ଯେଭଳି ସଶକ୍ତ ହୋଇଛି ମେଂଟ ହେଲେ ତାହା ହଠାତ ଦୁର୍ବଳ ହୋଇଯିବ  । ବିଜେଡ଼ି ଯଦି ମାତ୍ର ୪୫ ଆସନ ଛାଡେ଼ ତେବେ କିଛି ପ୍ରାର୍ଥୀ ହାରିବାର ବି ସମ୍ଭାବନା ରହିଛି  । ଫଲରେ ଦଳ ସେହି ୪୦ ଭିତରେ ହିଁ ଅଟକିଯିବ  । ଗାଏମୋଟ କହିଲେ କମ ଆସନରେ ଲଢ଼ିଲେ ବିଜେପି ଘାଟାରେ ପଡ଼ିବ ବୋଲି ରାଜ୍ୟ ବିଜେପି ନେତାମାନେ କେନ୍ଦ୍ରୀୟ ନେତାଙ୍କୁ ବୁଝାଇ ଦେଇଛନ୍ତି  ।

ସେପଟେ ବିଜେଡ଼ିର ଯୁକ୍ତି ହେଉଛି ୨୦୦୯, ୨୦୧୪ ଓ ୨୦୧୯ରେ ଦଳ ଶହେରୁ ଅଧିକ ଆସନ ପାଇଥିଲା  । ୨୦୨୪ରେ ବି ଦଳ ଶହେ ଟପିବା ନିଶ୍ଚିତ  । ତେଣୁ ବିଜେପିକୁ ଏତେ ଆସନ ଛାଡ଼ିହେବନାହିଁ  । ବିଜେପିକୁ ଅତିବେଶୀରେ ୫୦ ଭିତରେ ଆସନ ଛାଡ଼ିବାକୁ ବିଜେଡ଼ି ପ୍ରସ୍ତୁତ ଅଛି  । କାହିଁକିନା ବିଜେପିର ତୋଡ଼ଯୋଡ଼ ନୀତି ବି ବିଜେଡ଼ି ମନରେ ଛନକା ପୂରାଇ ଦେଇଛି  । ଯଦି ଦଳ ୮୦ କି ୯୦ ଆସନରେ ଲଢେ଼ ତେବେ ଦଶ ବାରଜଣ ହାରିବାର ବି ଆଶଙ୍କା ରହିଛି  । ଫଳରେ ଦଳ ପୂର୍ବଭଳି ମଜବୁତ ସରକାର ଗଢ଼ିବା ଅପେକ୍ଷା ଦୁର୍ବଳ ସରକାର ଗଢ଼ିବ  । କାଲିକିକାଲି ବିଜେପି ଯଦି ଅପରେସନ ଲୋଟସ କରେ ତେବେ ସରକାର ବି ଗଡ଼ିଯିବାର ଆଶଙ୍କା ରହିଛି  । ତେଣୁ ଉଭୟ ଦଳ ନିଜ ନିଜ ଗଣିତକୁ ଆଖିଆଗରେ ରଖି ଜିଦରେ ଅଟଳ ରହିଛି  । କିନ୍ତୁ ଏଯାଏଁ ମେଂଟ ସମ୍ଭାବନା ସମ୍ପୂର୍ଣ୍ଣ ଭାବେ ଟଳିନାହିଁ  । ସମ୍ଭବତଃ ଦିନେ ଦୁଇଦିନ ଭିତରେ ପୂରା ଚିତ୍ର ସ୍ପଷ୍ଟ ହୋଇଯିବ  ।