ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଇସ୍ତଫା ଦାବି କଲା ବିଜେପି

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଇସ୍ତଫା ଦାବି କଲା ବିଜେପି

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଇସ୍ତଫା ଦାବି କଲା ବିଜେପି
ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ଶାସନରେ ପ୍ରଥ୍ୟେକ ଦିନ ନାବାଳିକା ଓ ମହିଳାମାନଙ୍କ ଉପରେ ଅତ୍ୟାଚାର ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟା କ୍ରମାଗତ ଭାବେ ବୃଦ୍ଧିପାଇବାରେ ଲାଗିଛି । ବାରମ୍ବାର ମହିଳା ସଶକ୍ତିକରଣ, ମା’କୁ ସମ୍ମାନ କଥା କହି ଭୋଟ ନେଇ ସରକାର ଗଢ଼ିଥିବାର ଡିଣ୍ଡିମ ପିଟୁଛି । ସେହି ସରକାର ମହିଳାମାନଙ୍କୁ ସୁରକ୍ଷା ଦେବା ଦୂରର କଥା ସିଧାସଳଖ ଭାବେ ମହିଳାଙ୍କ ଉପରେ ଅତ୍ୟାଚାର, ଦୁଷ୍କର୍ମ ଆଦିରେ ଭାଦୀଦାର ହୋଇଅଛି । ବିଜେଡ଼ି ସରକାର ଅପରାଧୀମାନଙ୍କୁ ଘଣ୍ଟ ଘଉଡ଼ାବା ସହ ସେମାନଙ୍କୁ ସମସ୍ତ ପ୍ରକାରର ସୁରକ୍ଷା ଦେଇଚାଲିଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପିକା ରୁକ୍ମିଣୀ ମଣ୍ଡଳ ଏକ ମାସ ପୂର୍ବରୁ ଥାନାରେ ଲିଖିତ ଅଭିଯୋଗ କରିବା ଓ ଏସପିଙ୍କ ସହ କଥା ହେବା ପରେ ନ୍ୟାୟ ନପାଇ ଶେଷରେ ଆତ୍ମହତ୍ୟା କରିବା ଘଟଣା ଅତ୍ୟନ୍ତ ମର୍ମସ୍ପର୍ଶୀ । ଆତ୍ମହତ୍ୟା କରିଥିବା ମହିଳା ଅଧ୍ୟାପିକାଙ୍କ ନିକଟରୁ ପୁଲିସ ଏଫ୍ଆଇଆର୍ ନେବା ପରେ ତୁରନ୍ତ ତଦନ୍ତ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ହାତବାନ୍ଧି ବସିଯିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ । ଗୃହ ବିଭାଗର ଏହି ପ୍ରକାରର ବେପରୁଆ , ଖାମଖିଆଲି ମନୋଭାବ କାରଣରୁ ରୁକ୍ମିଣୀ ଭଳି ଅନେକ ମହିଳା ଆଜି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ଗୃହ ବିଭାଗର ମୁଖ୍ୟ ଭାବେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ମୁଖପାତ୍ର ତଥା ବିଜେପି ରାଜ୍ୟ ସମ୍ପାଦିକା ଡ଼ଃ. ଲେଖାଶ୍ରୀ ସାମନ୍ତ ସିଂହାର ବାରିପଦା ଷ୍ଟାଡ଼ିୟମ ସମ୍ମିଳନୀ ଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ସେହିପରି ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟା ଭଳି ସଙ୍ଗୀନ ମାମଲାରେ ପୁଲିସ ପିଡ଼ିତାଙ୍କ ନିକଟରୁ ଏତାଲା ଗ୍ରହଣ କରିନଥିଲା । ଯାଜପୁର ପିଇଓ ସ୍ମିତାରାଣୀ ଘଟଣାରେ ଶାସକ ଦଳ ଚାପରେ ପୁଲିସ ପକ୍ଷପାତିତା କରି ସମସ୍ତ ପ୍ରମାଣକୁ ନଷ୍ଟ କରିଛି । ପୁଲିସ ଦୁଷ୍କର୍ମ ରୋକିବା ସହ ମହିଳାମାନଙ୍କୁ ସୁରକ୍ଷା ଦେବା ବଦଳରେ ଦୁଇ ଦିନ ତଳେ ପୁରୀ ଗଣଦୁଷ୍କର୍ମ ମାମଲାରେ ପୁଲିସ ନିଜେ ସାମିଲ ହୋଇଛି । ଗୃହ ବିଭାଗର ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀ ନବୀନ ମହିଳାମାନଙ୍କୁ ସୁରକ୍ଷା ଯୋଗାଇବା ପରିବର୍ତ୍ତେ ଅପରାଧୀମାନଙ୍କୁ ସୁରକ୍ଷା ଦେଉଛନ୍ତି । ଯାହାଫଳରେ ଅପରାଧୀ ଖୁଲମଖୁଲା ଭାବେ ଗୋଟାଏ ପରେ ଗୋଟାଏ ଅପରାଧ ଘଟାଇ ଚାଲିଛି । ତିନିଦିନ ତଳେ ଯାଜପୁର ଜିଲ୍ଲାରେ ୯ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛି । ପୁଲିସର ନିଷ୍କ୍ରିୟତା ପଛରେ ବିଜୁ ଜନତାଦଳ ଓ ଦଳର ମୁଖିଆଙ୍କ ହାତ ରହିଛି । ଗତ ଶୀତକାଳୀନ ବିଧାନସଭା ଅଧିବେସନରେ ମୁଖ୍ୟ ବିରୋଧୀ ଦଳ ବିଜେପି ଗୃହରେ ସ୍ମିତାରାଣୀ ଘଟଣା ଉପରେ ଆଲୋଚନା କରିବାକୁ ଚାହିଥିବା ବେଳେ ସୁଯୋଗ ଦିଆଗଲା ନାହିଁ । ସାଂସଦରେ ସ୍ମିତାରାଣୀ ପ୍ରସଙ୍ଗ ଉଠିବା ସମୟରେ ବିଜେଡ଼ିର ସାଂସଦମାନେ ଏହାକୁ ବିରୋଧ କଲେ । ଏହି ଘଟଣାରୁ ମହିଳାମାନଙ୍କୁ ନ୍ୟାୟ ମିଳୁ ବୋଲି ବିଜୁ ଜନତା ଦଳ ଚାହୁଁନଥିବା ସ୍ପଷ୍ଟ ପ୍ରମାଣିତ କରାଉଛି ବୋଲି ଡ଼ଃ. ସାମନ୍ତସିଂହାର ପ୍ରକାଶ କରିଛନ୍ତି । ପୁଣି ଓଡ଼ିଶା ମହିଳା ବିରୋଧୀ ଅତ୍ୟାଚାର କ୍ଷେତ୍ରରେ ପ୍ରଥମ ସ୍ଥାନରେ ଥିବାର ଏନସିଆରବି ରିପୋର୍ଟରେ କୁହାଯାଇଛି । ମୁଖ୍ୟମନ୍ତ୍ରୀ ନବୀନଙ୍କ ୨୦ ବର୍ଷର ଶାସନରେ ସର୍ବାଧିକ ମହିଳାମାନଙ୍କ ପ୍ରତି ଅତ୍ୟାଚାର, ଦୁଷ୍କର୍ମ , ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ଏବଂ ଏହି ଏନସିଆରବି ରିପୋର୍ଟ ଓଡ଼ିଶାରେ କିପରି ଶାସନ ଚାଲିଛି ତାର ଗୁମର ଫିଟାଇ ଦେଇଛି । ଆଦିବାସୀ ଅଧୁ୍ୟଷିତ ପଛୁଆ ଜିଲ୍ଲା ମୟୂରଭଞ୍ଜରେ ଅଧ୍ୟାପିକା ସହ ଦୁଷ୍କର୍ମ ଏବଂ ଉକ୍ତ ମାମଲାରେ ପୁଲିସ ମିଳାମିଶା, ମିମାଂସା ଓ କେଶ ନ କରିବା ନିମନ୍ତେ ପିଡ଼ିତାକୁ ପ୍ରବର୍ତ୍ତାଇବା, ଝାରପୋଖରୀଆ ଥାନା ଆଇଆଇସି ଶରତ ମହାଳିକଙ୍କୁ ସସପେଣ୍ଡ ନକରି କାହିଁକି ଗିରଫ କରା ନଯିବା , ଯାଜପୁର ସ୍ମିତାରାଣୀ ମାମଲାରେ ଏସପି ପିଡ଼ିତାକୁ ନ୍ୟାୟ ଦେବା ବଦଳରେ ତାର ଚରିତ୍ର ଉପରେ ପ୍ରଶ୍ନ ଉଠାଇବା ସହ ତାହା ହତ୍ୟା ନୁହେଁ ଆତ୍ମହତ୍ୟା ବୋଲି ପ୍ରମାଣିତ କରାଇବା ନିମନ୍ତେ ଉଦ୍ୟମ , ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟସିଂ ମିଶ୍ରଙ୍ଜ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ମହିଳା ଦୁଷ୍କର୍ମ ମାମଲାରେ ବିଜେଡ଼ିର କଳାହାଣ୍ଡି ଜିଲ୍ଲା ସଭାପତିଙ୍କ ଡ୍ରାଇଭରର ସମ୍ପୃକ୍ତି ଥିବାରୁ ମାମଲାକୁ ଚପାଇ ଦିଆଯିବା , ଓଡ଼ିଶାରେ ମହିଳାମାନେ ପ୍ରତିଷ୍ଠା ପାଇଁ ସଂଗ୍ରାମ କରୁଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ସେମାନଙ୍କୁ ସୁରକ୍ଷା ଦେବା ବଦଳରେ ଦୁଷ୍କର୍ମକୁ ନେଇ ରାଜନୀତି ନ କରିବାକୁ ପରାମର୍ଶ ଦେବା ମୁଖ୍ୟମନ୍ତ୍ରୀ ନବୀନଙ୍କ ୫ଟି କାର୍ଯ୍ୟକ୍ରମ ପରିସର ମଧ୍ୟରେ ଯାଉଛି କି ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ମହିଳାକୁ ସମ୍ମାନ, ସୁରକ୍ଷା ଦେବା ବଦଳରେ ମହିଳାମାନଙ୍କ ଉପରେ ଅତ୍ୟାଚାର, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟା ଆଦି ମାମଲାରେ ସରକାର ପରୋକ୍ଷ ଏବଂ ପ୍ରତ୍ୟକ୍ଷରେ ସାମିଲ ରହିଥିବାର ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ନବୀନଙ୍କ ଇସ୍ତଫା ଦାବି କରିଥିଲେ ବିଜେପି ରାଜ୍ୟ ସମ୍ପାଦିକା ଡ଼ଃ. ଲେଖାଶ୍ରୀ ସାମନ୍ତ ସିଂହାର । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡ଼ା. ବୁଢ଼ାନ ମୁର୍ମୁ, ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିତ ଦାସ, ପରେଶ ମହାନ୍ତ, କବିବିଷ୍ଣୁ ଶତପଥୀ, ଇଂ କମଳେନ୍ଦୁ ମହାନ୍ତ ପ୍ରମୁଖ ମଞ୍ଚାସୀନ ଏବଂ ସୁବାଷ ପ୍ରଧାନ, ପ୍ରଦୀପ ମହାନ୍ତି, ଲକ୍ଷ୍ମଣ ତ୍ରିପାଠୀ, କୁମାର ମଙ୍ଗଳମ୍, ବିଜୟ ହୋତା ପ୍ରମୁଖ ଉପସ୍ଥିତ ରହିଥିଲେ ।