"ବିଜେପି ଘୋଡ଼ା ବେପାର ପ୍ରୟାସ କରୁଛି'

"ବିଜେପି ଘୋଡ଼ା ବେପାର ପ୍ରୟାସ କରୁଛି'

"ବିଜେପି ଘୋଡ଼ା ବେପାର ପ୍ରୟାସ କରୁଛି'
ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା-ଏନସିପି-କଂଗ୍ରେସ ତତ୍ପରତାର ସହ ଆଗକୁ ବଢ଼ୁଥିବା ବେଳେ ବିଜେପି ମଧ୍ୟ ସରକାର ଗଠନ ପାଇଁ ଦାବି କରିବ ବୋଲି ଘୋଷଣା କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଆଜି ଶିବସେନା ମୁଖପତ୍ର "ସାମନା'ରେ କୁହାଯାଇଛି ଯେ ବିଜେପି ପାଖରେ ସରକାର ଗଠନ ପାଇଁ ସଂଖ୍ୟା ନଥିଲେ ମଧ୍ୟ ଏହା ସରକାର ଗଠନ ପାଇ ଯେଭଳି ଦୃଢେ଼ାକ୍ତି ଦେଖାଉଛି ତାହା ପଛରେ ଘୋଡ଼ା ବେପାର ଅଭିପ୍ରାୟ ରହିଛି । ରାଷ୍ଟ୍ରପତି ଶାସନ ଆଳରେ ବିଜେପି ଘୋଡ଼ା ବେପାରକୁ ପ୍ରୋତ୍ସାହନ ଦେବା ପାଇଁ କାମ କରୁଛି ବୋଲି ଶିବସେନା କହିଛି । ଶିବସେନା ନେତୃତ୍ୱରେ ମିଳିତ ସରକାର ଗଠନ ପାଇଁ ରାସ୍ତା ଖୋଲିଯାଇ ଥିବାରୁ କିଛି ଲୋକଙ୍କ ପେଟରେ ଏବେ ଯନ୍ତ୍ରଣା ହେଉଛି ବୋଲି "ସାମନା'ରେ କୁହାଯାଇଛି । ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ ବିଜେପି ହିଁ ରାଜ୍ୟରେ ସରକାର ଗଠନ କରିବ ଏବଂ ଦଳ ପାଖରେ ଏବେ ୧୧୯ ଜଣ ବିଧାୟକଙ୍କ ସମର୍ଥନ ରହିଛି । ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୧୦୫ ଆସନ ହାସଲ କରିଛି ଏବଂ ୧୪ ଜଣ ସ୍ୱାଧୀନ ବିଧାୟକ ଏହାକୁ ସମର୍ଥନ କରୁଛନ୍ତି । ସୂଚନାଯୋଗ୍ୟ, କୌଣସି ଦଳ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ କରିବା ପାଇଁ ସମର୍ଥ ନହେବାରୁ ଗତ ମଙ୍ଗଳବାରଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ବିଜେପି ସହ ମେଣ୍ଟ କରି ୫୬ ଆସନ ହାସଲ କରିଥିବା ଶିବସେନାକୁ ସରକାର ଗଠନ ପାଇଁ ଏବେ ଏନସିପି (୫୪ ଆସନ) ଏବଂ କଂଗ୍ରେସ (୪୪ ଆସନ) ସହଯୋଗର ହାତ ବଢ଼ାଇଛନ୍ତି ।