ମୋ ଘର: ୨.୪୨ ଲକ୍ଷ ଆବେଦନ, ୩୯ ଅନୁମୋଦନ

ମୋ ଘର: ୨.୪୨ ଲକ୍ଷ ଆବେଦନ, ୩୯ ଅନୁମୋଦନ

ଭୁବନେଶ୍ବର: ରାଜ୍ୟରେ ଯେଉଁ ଗରିବ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ପକ୍କାଘର ଖଣ୍ଡେ କରିବାରେ ସକ୍ଷମ ହୋଇପାରୁନାହାନ୍ତି ସେମାନଙ୍କ ଲାଗି ରାଜ୍ୟ ସରକାର ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଉପରେ ରାଜ୍ୟ କ୍ୟାବିନେଟ୍‌ ଗତ ମେ ୨୯ରେ ମୋହର ମାରିଥିଲା। ମୋ ଘର ଯୋଜନାରେ ହିତାଧିକାରୀମାନଙ୍କୁ ଆବେଦନ କରିବା ପାଇଁ ସରକାର ଗତ ଜୁନ୍‌ ୧୬ରେ ଏକ ଓ୍ବେବ୍‌ସାଇଟ୍‌ ମଧ୍ୟ ଆରମ୍ଭ କରିଥିଲେ। ହେଲେ ଏହି ଯୋଜନାରୁ ଗରିବ ହିତାଧିକାରୀଙ୍କୁ ଲାଭ ମିଳିପାରୁ ନ ଥିବା ଖୋଦ୍‌ ସରକାର ଅନୁଭବ କରିବା ଆରମ୍ଭ କଲେଣି। ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ହିଁ ସବୁଠାରୁ ବଡ ସମସ୍ୟା ହୋଇ ଉଭା ହୋଇଛି; ଯେଉଁଥିଲାଗି ସରକାର ମଧ୍ୟ ଏବେ ଅକଳରେ ପଡ଼ିଯାଇଛନ୍ତି। ଏହି ଯୋଜନାରୁ ଗରିବ ଲୋକମାନେ ଲାଭ ନ ପାଇପାରିବା ସରକାରଙ୍କ ମୁଣ୍ଡବ୍ୟଥା ଏବେ ବଢ଼ାଇ ଦେଲାଣି। ଗତ ଦେଢ଼ ମାସ ମଧ୍ୟରେ ରାଜ୍ୟରୁ ମୋଟ୍‌ ୩୯ ଜଣଙ୍କୁ ମୋ ଘର ଯୋଜନାର କାର୍ୟ୍ୟାଦେଶକୁ ଅନୁମୋଦନ ମିଳିବାରେ ସମ୍ଭବ ହୋଇଛି, ଯାହାକୁ ନେଇ ଏହି ଯୋଜନାରେ ଅନେକ ନିୟମ ପରିବର୍ତ୍ତନ କରାଇବାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି।
ଏହି ଯୋଜନାରେ ରାଜ୍ୟ ସରକାର ୨୧୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଥିବା ବେଳେ ୨ ବର୍ଷରେ ପ୍ରାୟ ୪ ଲକ୍ଷ ହିତାଧିକାରୀଙ୍କୁ ଘର ଦେବେ ବୋଲି ଲକ୍ଷ୍ୟ ରଖିଛନ୍ତି। ଯୋଜନାରେ ଘର କରିବା ଲାଗି ହିତାଧିକାରୀମାନଙ୍କୁ ବ୍ୟାଙ୍କରୁ ଋଣ ନେବାର ବ୍ୟବସ୍ଥା କରାଯାଇଛି। ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ୍‌ଦେବା ପରେ ୧୦ ବର୍ଷରେ ହିତାଧିକାରୀମାନେ ଏହି ଋଣ ଅର୍ଥ ଶୁଝିପାରିବେ। ସରକାର ଋଣ ଅର୍ଥରୁ ସବ୍‌ସିଡି ପ୍ରଦାନର ବ୍ୟବସ୍ଥା କରିଛନ୍ତି। ତେବେ ହିତାଧିକାରୀମାନେ ବ୍ୟାଙ୍କରେ ନିଜ ଜମିକୁ ବନ୍ଧକ ରଖି ଋଣ ନେବାର ବ୍ୟବସ୍ଥା କରାଯାଇଛି। ହେଲେ ଜମି ବନ୍ଧକ ରଖି ଘର କରିବା ଏତେଟା ସହଜ ହୋଇ ନାହିଁ। ବ୍ୟାଙ୍କଗୁଡିକ ନିଜ ନିୟମ ବାହାରକୁ ଯାଇ ଋଣ ଦେବା ସପକ୍ଷରେ ନାହାନ୍ତି। ଯଦି ଜଣଙ୍କ ନାଁରେ ଘରର ଜମି ରେକର୍ଡ ଥିବ ସେ କ୍ଷେତ୍ରରେ ଠିକ୍‌ ଅଛି। ଯେଉଁଠି ଗୋଟିଏ ପରିବାରର ୩ରୁ ୪ ଜଣଙ୍କ ନାଁରେ ଜମିର ରେକର୍ଡ ରହିଛି ସେଠାରେ ସମସ୍ୟା ଆରମ୍ଭ ହୋଇଛି। ସରକାରଙ୍କ ପାଖରେ ତଥ୍ୟ ଆସି ପହଞ୍ଚିଛି ଯେ ଆବେଦନ କରିଥିବା ହିତାଧିକାରୀଙ୍କ ମଧ୍ୟରୁ ଜମି ରେକର୍ଡ ଏକାଧିକ ଲୋକଙ୍କ ନାଁରେ ରହିଛି। ସେ କ୍ଷେତ୍ରରେ ଜମିକୁ ପାର୍ଟିଶନ କରିବା ସେତେଟା ସହଜ କଥା ନୁହେଁ। ଯେଉଁମାନଙ୍କ ନାଁରେ ଜମିର ରେକର୍ଡ ରହିଛିଳ ସେମାନଙ୍କ ମଧ୍ୟରୁ ଅନେକେ ବ୍ୟାଙ୍କଠାରୁ ପୂର୍ବରୁ ଋଣ ନେଇ ଡିଫଲ୍ଟର ଅଛନ୍ତି। ଯଦି କେଉଁଠାରେ ଏହି ଦୁଇଟି କଥାରେ ସମସ୍ୟା ନାହିଁ, ସେଠାରେ ବ୍ୟାଙ୍କ ସେମାନଙ୍କ ସିଭିଲ ସ୍କୋର ଦେଖି ଋଣ ଦେବାକୁ ରାଜି ହେଉନାହିଁ। ରାଜ୍ୟର ଅତ୍ୟନ୍ତ ଦୁର୍ବଳ ଶ୍ରେଣୀ ବା ଗରିବ ଲୋକମାନେ ଏହି ଯୋଜନାରେ ଆବେଦନ କରୁଥିବାବେଳେ ସେମାନଙ୍କ କ୍ଷେତ୍ରରେ ବ୍ୟାଙ୍କ ଯାହା ଖୋଜୁଛି ତାହା ପ୍ରାୟ କୌଣସି ହିତାଧିକାରୀଙ୍କଠାରୁ ମିଳିବା ସମ୍ଭବପର ହେଉ ନ ଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀମାନେ ଲକ୍ଷ୍ୟ କଲେଣି।
ସରକାରୀ ତଥ୍ୟ ଅନୁୟାୟୀ ଏବେ ସୁଦ୍ଧା ରାଜ୍ୟର ୨,୪୨,୦୦୦ ହିତାଧିକାରୀ ଓ୍ବେବ୍‌ସାଇଟ୍‌ରେ ଆବେଦନ କରିଛନ୍ତି। ୮୫,୦୦୦ ହିତାଧିକାରୀଙ୍କ ରେଜିଷ୍ଟ୍ରେଶନ ହେବା ପ୍ରୋସେସ୍‌ ମଧ୍ୟରେ ଅଛି। ତେବେ ୨,୪୨,୦୦୦ ହିତାଧିକାରୀଙ୍କ ଆବେଦନପତ୍ର ମଧ୍ୟରୁ ବିଭିନ୍ନ ବ୍ଲକରୁ ମୋଟ୍‌ ୩୫,୦୦୦ଟି ଯାଞ୍ଚ କରାଯାଇ ବ୍ୟାଙ୍କଗୁଡିକୁ ପଠାଯାଇଛି, ଯେଉଁଥିରୁ ରାଜ୍ୟରେ ମୋଟ ୩୯ଟି ଆବେଦନପତ୍ରକୁ ଏ ପର୍ୟ୍ୟନ୍ତ ଅନୁମୋଦନ ମିଳିଛି।