ଧୋଇନେଲା ଚକ୍ରତୀର୍ଥ ବେଳାଭୂମି : ପୁରୀରେ ସମୁଦ୍ରର ଉଗ୍ର ରୂପ

ପୁରୀ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପୁରୀ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଅନ୍ୟପକ୍ଷରେ ଆଜି ସମୁଦ୍ର ତା’ର ଉଗ୍ରରୂପ ଦେଖାଇଛି। ସୁଉଚ୍ଚ ଜୁଆର କୂଳ ଲଂଘିବା ସହ ବେଳାଭୂମି ବାଲିକୁ ସମୁଦ୍ର ଗର୍ଭକୁ ଟାଣି ନେଇଛି। ଫଳରେ ବେଳାଭୂମିରେ ପ୍ରାୟ ୩ ଫୁଟ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ଚକ୍ରତୀର୍ଥ ବେଳାଭୂମିରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଲଘୁଚାପ ପ୍ରଭାବରେ ଗତ ତିନିଦିନ ହେବ ପୁରୀ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ପୁରୀ ବେଳାଭୂମିରେ ସମୁଦ୍ର ଜୁଆର ବି ବହୁ ଆଗକୁ ମାଡ଼ି ଆସିଛି। କିନ୍ତୁ ଆଜି ସମୁଦ୍ର ଅଧିକ ଉଗ୍ର ହୋଇଛି। ତୁହାକୁ ତୁହା ବଡ଼ ବଡ଼ ସମୁଦ୍ର ଜୁଆର ବେଳାଭୂମିରେ ମାଡ଼ ହେବା ଫଳରେ ବେଳାଭୂମିର ବାଲି ଧସି ସମୁଦ୍ର ଗର୍ଭକୁ ଚାଲିଯାଇଛି।
ଫଳରେ ଚକ୍ରତୀର୍ଥ ରୋଡ୍ ବାଙ୍କିମୁହାଣଠାରୁ ପେଣ୍ଠକଟା ଦେଇ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ବେଳାଭୂମିର ଏକ ବଡ଼ ଅଂଶ ସମୁଦ୍ର ଗର୍ଭକୁ ଚାଲିଯାଇଛି। ବେଳାଭୂମିରୁ ଜୁଆର ଏଭଳି ବାଲି ଧୋଇ ନେଇଛି ଯେ ଏଠାରେ ପ୍ରାୟ ଦେଢ଼ରୁ ଦୁଇ କିମି ଲମ୍ବ ଗର୍ତ୍ତ ସୃଷ୍ଟି ହୋଇଛି। ପ୍ରାୟ ୩ ଫୁଟ ଗଭୀରରେ ବାଲିକୁ ସମୁଦ୍ର ଜୁଆର ସମୁଦ୍ର ଗର୍ଭକୁ ଟାଣି ନେଇଛି। ପେଣ୍ଠକଟା ମତ୍ସ୍ୟଜୀବୀ ବସ୍ତି ଅଞ୍ଚଳରେ ଯେଉଁ ସ୍ଥାନରେ ମତ୍ସ୍ୟଜୀବୀମାନେ ଡଙ୍ଗା ରଖନ୍ତି, ସେଠାରୁ ବି ଜୁଆର ବାଲି ଧୋଇ ନେଇଛି। ଦୁଇ ବର୍ଷ ତଳେ ବି ସ୍ବର୍ଗଦ୍ବାର ସମ୍ମୁଖ ପ୍ରାୟ ୨ କିଲୋମିଟର ବିସ୍ତୃତ ବେଳାଭୂମିକୁ ସମୁଦ୍ର ଜୁଆର ନିଜ ଗର୍ଭକୁ ଟାଣି ନେଇଥିଲା।