ଶିଶୁଙ୍କ ବିକାଶ ଧିମାଇଦିଏ ଫୋନ୍‌

ଶିଶୁଙ୍କ ବିକାଶ ଧିମାଇଦିଏ ଫୋନ୍‌

ଭୁବନେଶ୍ବର : କାମରେ ବ୍ୟସ୍ତ ଥିଲା ବେଳେ ଅଝଟ ଶିଶୁ ହାତରେ ଫୋନ୍‌ କି ଟାବଲେଟ୍‌ ଧରାଇଦେବା ଏକ ସହଜ କୌଶଳ ବୋଲି ଅନେକ ଅଭିଭାବକ ବିଚାର କରିଥାନ୍ତି। ମାତ୍ର ଶିଶୁମାନେ ଅଧିକ ସମୟ ଧରି ଫୋନ୍‌ ଦେଖିବା ଦ୍ବାରା ସେମାନଙ୍କ ମାନସିକ ବିକାଶ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ନୂଆ ଅନୁଧ୍ୟାନରୁ ଜଣାଯାଇଛି। ଜଣେ ଏକ ବର୍ଷର ଶିଶୁ ଦୈନିକ ଘଣ୍ଟାଏରୁ ଚାରିଘଣ୍ଟା ଯାଏ ଫୋନ୍‌ ପରଦାକୁ ଚାହିଁ ରହିଲେ ତାହାର ଭାବ ବିନିମୟ ଓ ସମସ୍ୟା ସମାଧାନ ଦକ୍ଷତା ଭୀଷଣ ଭାବେ ପ୍ରଭାବିତ ହୋଇଥାଏ।

ସେହିପରି ଜଣେ ଦୁଇ ବର୍ଷର ଶିଶୁ ପାଇଁ ଅନୁରୂପ ଫୋନ୍‌ ବ୍ୟବହାର ତାହାର ବ୍ୟକ୍ତିଗତ ଓ ସାମାଜିକ ଦକ୍ଷତାକୁ ଧିମେଇ ଦେଇଥାଏ ବୋଲି ଜଣାଯାଇଛି। କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଦଳେ ଶିଶୁ ବିଶେଷଜ୍ଞ ଏପରି ନିର୍ଯାସରେ ଉପନୀତ ହୋଇଛନ୍ତି। ୨୦୧୩ ଜୁଲାଇ ଓ ୨୦୧୭ ମାର୍ଚ୍ଚ ମଧ୍ୟରେ ଜାପାନର ତୋହୋକୁ ଭେଷଜ ପ୍ରକଳ୍ପ ଅନ୍ତର୍ଗତ ୫୦ଟି ପ୍ରସୂତି ଡାକ୍ତରଖାନାର ୭,୦୯୭ ଜଣ ଶିଶୁଙ୍କୁ ଏହି ଅନୁଧ୍ୟାନରେ ସେମାନେ ସାମିଲ କରିଥିଲେ। ବିଭିନ୍ନ ବୟସ ବର୍ଗର ଶିଶୁମାନେ ଫୋନ୍‌ ପରଦା ଆଗରେ କାଟୁଥିବା ସମୟ ସମ୍ପର୍କରେ ସେମାନଙ୍କ ମାଆମାନଙ୍କ ଠାରୁ ରିପୋର୍ଟ ସଂଗ୍ରହ କରି ତାହାକୁ ବିଶ୍ଳେଷଣ କରାଯାଇଥିଲା।

ଦୁଇ ବର୍ଷ ବୟସ ସୁଦ୍ଧା ଦୈନିକ ଚାରିଘଣ୍ଟା ଯାଏ ଫୋନ୍‌ ପରଦାକୁ ଚାହିଁ ରହୁଥିବା ଶିଶୁଙ୍କର ବିକାଶରେ ତିନିଗୁଣ ବିଳମ୍ବ ଘଟିଥାଏ ବୋଲି ଜଣାଯାଇଛି। ସେହିପରି ଚାରି ଘଣ୍ଟାରୁ ଅଧିକ ସମୟ ଫୋନ୍‌ ଦେଖୁଥିବା ଶିଶୁଙ୍କର ଏହି ବିକାଶ ବିଳମ୍ବ ପ୍ରକ୍ରିୟା ୪.୭୮ ଗୁଣ ଅଧିକ ହୁଏ। ଶିଶୁମାନେ ଫୋନ୍‌ରେ ଅଧିକ ଶବ୍ଦ ଶୁଣନ୍ତି ସତ, ମାତ୍ର ତାହା ଦ୍ବାରା ସେମାନଙ୍କର କଥା କହିବା ଅଭ୍ୟାସ ସକ୍ରିୟ ହୋଇପାରେ ନାହିଁ ବୋଲି କୁହାଯାଇଛି।