୧୨ ରେ ପୁଣି ଲଘୁଚାପ
୧୨ ରେ ପୁଣି ଲଘୁଚାପ
admin
Aug 10, 2019 - 05:12
Updated: Aug 10, 2019 - 05:12
ଭୁବନେଶ୍ୱର : ଆସନ୍ତା ୧୨ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ପ୍ରଭାବରେ ୪ ଦିନ ଧରି ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିବ । ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୌସୁମୀ ସକ୍ରିୟ ହେବାକୁ ଥିବାରୁ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ସୂଚନା ଅନୁଯାୟୀ ଲଘୁଚାପ ଯୋଗୁଁ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ । ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଯାଜପୁର, ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଶଙ୍କା ରହିଛି । ତେବେ ଏହି ସମୟ ମଧ୍ୟରେ ପବନରେ ବେଗ ଅଧିକ ରହିବନି । ସମୁଦ୍ର ଅଶାନ୍ତ ରହିବ କି ନାହିଁ ସେ ନେଇ ପାଣିପାଗ ବିଭାଗ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରି ନାହିଁ ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ପୂର୍ବରୁ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ ଦିଗରେ ଗତି କରି ଗୁଜରାଟ ମୁହାଁ ହୋଇଛି ।ଫଳରେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବିଶେଷ ବର୍ଷା ନାହିଁ । ଅଳ୍ପ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ତେବେ ୧୧ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ସମେତ ପୂର୍ବ ଭାରତରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହାକି ଉତ୍ତର ପଶ୍ଚିମ ଦିଗରେ ଅବସ୍ଥିତ ରହିବ । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଉତ୍ତର ପ୍ରଦେଶ ଉପରେ ଅବସ୍ଥିତ ରହିବ । ଏହା ଦ୍ୱାରା ୧୨ ତାରିଖ ଠାରୁ ପାଗରେ ପରିବର୍ତ୍ତନ ଆସିବ । ଉପକୂଳବର୍ତ୍ତୀ ଅଞ୍ଚଳରେ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ୧୨ ରୁ ୧୫ ତାରିଖ ଯାଏ ପଶ୍ଚିମ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଅନୁମାନ କରାଯାଉଛି ଯେ ନିକଟରେ ହୋଇଥିବା ଅବପାତ ପରି ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍ । ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବାକୁ ଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଅପେକ୍ଷାକୃତ କମ୍ ବର୍ଷା ହେବ । ତେବେ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୯୦ରୁ ୧୦୦ ମିମି ବର୍ଷା ହୋଇପାରେ । ଯେତେଶୀଘ୍ର ସମ୍ଭବ ଚାଷ କାର୍ଯ୍ୟ ଶେଷ କରନ୍ତୁ । ଢ଼ିପ ଜମିରେ ମୁଗ, ବିରି ବୁଣାବୁଣି କରିବାକୁ ସେ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ।