ଭୋଟ ଦେବ କେଉଁଠି- ଖଟ... ବାଇଗଣ... ପାନିଆଁ

ଭୋଟ ଦେବ କେଉଁଠି- ଖଟ... ବାଇଗଣ... ପାନିଆଁ

ଭୋଟ ଦେବ କେଉଁଠି- ଖଟ... ବାଇଗଣ... ପାନିଆଁ

ଭୁବନେଶ୍ୱର: ଭୋଟ ଦେବ କେଉଁଠି- ଖଟ (ଝୁଲୁଥିବା ବିଛଣା) ଚିହ୍ନ ଯେଉଁଠି! ବାଇଗଣ ଚିହ୍ନ ଯେଉଁଠି...ପାନିଆଁ ଚିହ୍ନ ଯେଉଁଠି! ଆଜ୍ଞା! ଏମିତି ସ୍ଳୋଗାନଟା କାନକୁ ଟିକିଏ ଅଖାଡ଼ୁଆ ଲାଗିପାରେ । ମାତ୍ର ଆଗାମୀ ପଂଚାୟତ ଭୋଟରେ ଏମିତି କିଛି ପ୍ରଚାର ନାରା ଶୁଣିବାକୁ ମିଳିପାରେ ଆପଣଙ୍କ ପଂଚାୟତରେ । 

  କଥା କ’ଣ କି ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ  ପୂରା କମର କଷି ପ୍ରସ୍ତୁତିରେ ଲାଗିଛନ୍ତି । ସରପଂଚ, ୱାର୍ଡ ମେମ୍ବର, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ସଙ୍କେତ ବା ଚିହ୍ନର ତାଲିକା ଜାରି କରିଛନ୍ତି କମିଶନ । ଏହାର ନକଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଯାଇଛି ।  

  ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ନିର୍ବାଚନରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ପ୍ରାର୍ଥୀ ଦଳୀୟ ଚିହ୍ନରେ ଲଢ଼ିବେ । ଏହାବାଦ ଅନ୍ୟ ପ୍ରାର୍ଥୀମାନଙ୍କ ପାଇଁ ୧୯ଟି ମୁକ୍ତ ନିର୍ବାଚନ ସଙ୍କେତ ରହିଛି । ଏ ତାଲିକାରେ ଖଟ (ଝୁଲୁଥିବା ବିଛଣା) ଚିହ୍ନ ବି ରହିଛି । ଏ ତାଲିକାରେ ବାଳକ-ବାଳିକା, ବାଲତି, ଚିଠି ବାକ୍ସ, ନାଗରା, ହାର, ଜଗ୍, ମୁଦି, କରତ, ସିଲେଇ ମେସିନ, ନୌକା, ଟେବୁଲ ଲ୍ୟାମ୍ପ, ନଟୁ, ଭାଓଲିନ, ଗ୍ୟାସ ଷ୍ଟୋଭ, ହାରମୋନିୟମ, ରୋଡ ରୋଲର, ଟେଲିଭିଜନ, ପାଣି ବୋତଲ ଚିହ୍ନ ବି ଅଛି। 

  ୱାର୍ଡ ମେମ୍ବର, ସରପଂଚ, ସମିତିସଭ୍ୟ ନିର୍ବାଚନ ବିନା ଦଳୀୟ ଚିହ୍ନରେ ଲଢ଼ାଯିବ । ଏଥର ସରପଂଚ ନିର୍ବାଚନ ପାଇଁ ୩୨ଟି ସଙ୍କେତ ରହିଛି । ଏହା ଭିତରେ ଟୋପି, ହ୍ୱିସିଲ, ଉଲ, ସେଓ, ବାଇଗଣ, ବେଲୁନ, କଦଳୀ, ଚୁଡ଼ି, ପାନିଆଁ, ସବାରି ଆଦି ଚିହ୍ନ ବି ରହିଛି । 

  ସମିତିସଭ୍ୟ ପ୍ରାର୍ଥୀ ଚିହ୍ନ ତାଲିକାରେ ସପୁରୀ, କଣ୍ଢେଇ, ମକା ଆଦି ରହିଛି । ୱାର୍ଡ ମେମ୍ବର ନିର୍ବାଚନ ପାଇଁ ମୋଟ ୧୫ଟି ସଙ୍କେତ ଜାରି ହୋଇଛି । ଏ ତାଲିକା ଭିତରେ ଚାମଚ, ଫ୍ରକ, ଚାରା ଲଗାଉଥିବା ବାଳକ ଆଦି ଚିହ୍ନ ରହିଛି ।  ପ୍ରାର୍ଥୀମାନଙ୍କ ଓଡ଼ିଆ ନାମକୁ ଚିହ୍ନ ଆବଣ୍ଟନ ହେବ ।