କଂଗ୍ରେସକୁ ଭରସା : ପାଟକୁରାରେ ଜୟନ୍ତ, ବିଜେପୁରରେ ରିପୁନାଥ
କଂଗ୍ରେସକୁ ଭରସା : ପାଟକୁରାରେ ଜୟନ୍ତ, ବିଜେପୁରରେ ରିପୁନାଥ
admin
Jun 17, 2019 - 10:01
Updated: Jun 17, 2019 - 10:01
ଭୁବନେଶ୍ୱର : ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳ ମଧ୍ୟରେ ବରିଷ୍ଠ ନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଚାଲିଛି । ତେବେ ଆଗକୁ ପାଟକୁରା, ବିଜେପୁର ବିଧାନସଭା ନିର୍ବାଚନ ପାଇଁ ବିଜେଡି ଏବଂ ବିଜେପି ପ୍ରସ୍ତୁତି ଚଳାଇଥିବା ବେଳେ କଂଗ୍ରେସ ପାଇଁ ଆଉ ଏକ ଅଗ୍ନିପରୀକ୍ଷା ସମୟ ଆସିଛି । ପରାଜୟ ଗ୍ଲାନିର ପ୍ରଭାବରୁ ଦଳ ମୁକ୍ତ ହୋଇ ନଥିବା ବେଳେ ସାଧାରଣ ନିର୍ବାଚନରେ ଦଳ କାହିଁ କି ଖରାପ ପ୍ରଦର୍ଶନ କଲା ଏହାର କାରଣ ଖୋଜା ଚାଲିଛି । ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦଳର ପରାଜୟର ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ ପାଇଁ ୬ଟି ସବକମିଟି ଗଠନ କରାଯାଇଛି । ପରାଜୟର କାରଣ ଅପେକ୍ଷା ଆଗକୁ ପାଟକୁରା ଓ ବିଜେପୁର ଦୁଇଟି ବିଧାନସଭା ଆସନ କଂଗ୍ରେସ ପାଇଁ ଆହ୍ୱାନ ହୋଇଛି । ତେବେ ପାଟକୁରା ବିଧାନସଭାରେ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପାଇଁ ଅଟକି ରହିଥିବା ନିର୍ବାଚନ ଖୁବ ଶୀଘ୍ର ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଜିତିଥିଲେ ମଧ୍ୟ ବିଜେପୁର ବିଧାନସଭା ଆସନଟି ଛାଡ଼ିଥିବାରୁ ଏଠାରେ ମଧ୍ୟ ପାଟକୁରା ସହିତ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଚାଲିଉି । ପାଟକୁରା ନିମନ୍ତେ ତାରିଖ ଓ ବିଜେପୁର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ ଏଥିନେଇ ରାଜନୈତିକ ତତ୍ପରତା ପ୍ରକାଶ ପାଇଛି । ପାଟକୁରାରୁ କଂଗ୍ରେସ ଜୟନ୍ତ ମହାନ୍ତି ପ୍ରାର୍ଥୀ ହୋଇଥିବା ବେଳେ ବିଜେପରୁ ବିଜୟ ମହାପାତ୍ର ଓ ବିଜେଡିରୁ ସ୍ୱର୍ଗତ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜେଡି ପ୍ରାର୍ଥୀ କରିଛି ।
ବିଜେପିର ବରିଷ୍ଠ ନେତା ଓ କର୍ମକର୍ତ୍ତା ଏଠାରେ ଡେରା ପକାଇଥିବା ବେଳେ ବିଜେଡିର ମନ୍ତ୍ରୀ ବିଧାୟକ ପାଟକୁରାକୁ ଜଗି ରହିଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଯାଇଥିବାରୁ ପାଟକୁରା ରାଜନୀତି ଅଧିକ ଉଷ୍ମ ହେବ । କଂଗ୍ରେସ ପ୍ରସ୍ତୁତ ଅଛି ବୋଲି କହିଥିଲେ ମଧ୍ୟ ପ୍ରଚାର ଆରମ୍ଭ କରି ନାହିଁ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳ ପ୍ରସ୍ତୁତ ଅଛି ଏଥିପାଇଁ ଦଳୀୟ ସ୍ତରରେ ଆଲୋଚନା ଚାଲିଛି ବୋଲି କହିଛନ୍ତି । ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି ପାଟକୁରାରୁ ୮୯,୮୫୩ ଭୋଟ ପାଇଥିବା ବେଳେ କଂଗ୍ରେସ ଏଠାରୁ ୪୨, ୧୩୮, ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା ଓ ବିଜେପି ତୃତୀୟ ସ୍ଥାନରେ ରହିଥିଲା ।
ବିଜେଡି ଓ ବିଜପେି ପ୍ରସ୍ତୁତି ଆଗରେ ଅଛନ୍ତି । ପାଟକୁରା ନିର୍ବାଚନରେ କଂଗ୍ରେସ କିଭଳି ରଣନୀତି ଆପଣେଇବ ଅଦ୍ୟାବଧି ଖୁଲାସା କରିନାହିଁ । ତେବେ ହିଞ୍ଜିଳି ଓ ବିଜେପୁର ଆସନରୁ ନବୀନ ପଟ୍ଟନାୟକ ଜିତିଥିବା ବେଳେ ବିଜେପୁର ଆସନଟି ଛାଡ଼ି ଥିବାରୁ ସେଠାରେ ଉପନିର୍ବାଚନ ହେବ । ବିଜେପୁର ପାଇଁ ବିଜେଡି ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରି ଦଳର ସ୍ଥିତିକୁ ଅଧିକ ସୁଦୃଢ଼ କରିଛନ୍ତି । ଏକଦା କଂଗ୍ରେସରୁ ସୁବଳ ସାହୁ ଜିତି ବିଧାୟକହୋଇଥିଲେ । ତାଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନରେ ସ୍ୱର୍ଗତ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡିରୁ ପ୍ରାର୍ଥୀ ହୋଇ ଜିତିଥିଲେ ।
ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏଠାରେ ଜିତିବା ପରେ ଆସନ ଛାଡ଼ିଥିବାରୁ ଏଠାରେ ପୁନର୍ବାର ଉପନିର୍ବାଚନରେ ବିଜେଡି ରୀତାଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ବିଜେପି ମଧ୍ୟ ଏଠାରେ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଦେଲାଣି । ବିଜେପୁର ଆସନରୁ କଂଗ୍ରେସ ପୂର୍ବତନ ମନ୍ତ୍ରୀ ରଘୁନାଇ ସେଠୀଙ୍କୁ ପ୍ରାର୍ଥୀ କରିଥିଲା । ଏଠାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧,୧୦୬୦୪ ଭୋଟ ପାଇଥିବା ବେଳେ ବିଜେପିର ପ୍ରାର୍ଥୀ ସନତ କୁମାର ଗଡତିଆ ୫୩୪୮୨ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ଶ୍ରୀ ସେଠ ୧୪,୩୪୪ ଖଣ୍ଡ ଭୋଟ ପାଇଥିଲେ । ପୁନର୍ବାର ଉପନିର୍ବାଚନରେ କଂଗ୍ରେସ ଶ୍ରୀ ସେଠଙ୍କୁ ପ୍ରାର୍ଥୀ କରିବ କିମ୍ବା ଆଉ କାହାକୁ ଛିଡ଼ା କରିବ ତାହା ସ୍ଥିର କରି ନାହିଁ ।
ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦଳ ବିଚାର କରି ଏଠାରେ ପ୍ରାର୍ଥୀ ଘୋଷଣା କରିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏଠାରେ କଂଗ୍ରେସର ଆଉ କୌଣସି ଟାଣୁଆ ନେତା ନଥିବାରୁ ଶ୍ରୀ ସେଠ ଆଉଥରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଦଳରେ ଆଲୋଚନା ଚାଲିଛି ।