ଚିତଉ ଅମାବାସ୍ୟା

ଚିତଉ ଅମାବାସ୍ୟା

ଆଜି ଓଡ଼ିଶାରେ ଘରେ ଘରେ ପାଳିତ ହେବ ଗୃହିଣାଂ ଚିତ୍ତଉ ଅମାବାସ୍ୟା । ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ପାଳନ କରାଯିବ, ବଡ଼ଠାକୁରମାନଙ୍କର ସୁବର୍ଣ୍ଣ ଚିତାଲାଗି ଅମାବାସ୍ୟା ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁମାନଙ୍କ ମସ୍ତକରୁ ଯେଉଁ ଚିତାମାଳ “ଉଲାଗି’ କରାଯାଇଥାଏ ସେଗୁଡ଼ିକୁ “ଲାଗି” କରିବା ଶ୍ରୀମନ୍ଦିରରେ ଏହି ଦିନର ଧାର୍ମିକ ପରମ୍ପରା । ତ୍ରୟୋଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ଏହି ଅମାବାସ୍ୟା ବିଧି ମୁତାବକ ଗଡ଼ି ଆସିଲାଣି । ପୁରୀ, ଗଞ୍ଜାମ ଆଦି ଅଞ୍ଚଳରେ ଏହି ଚିତଉ ଅମାବାସ୍ୟା ଭାବରେ ପ୍ରସିଦ୍ଧ । ଏହି ଅବସରରେ ବ୍ରାହ୍ମଣ ଶାସନର ପ୍ରତ୍ୟେକ ଘରେ ଚିତଉ ପିଠା ଓ ଖିରି, କୁଳଦେବତାଙ୍କୁ ଅର୍ପଣ କରାଯାଏ । ଏହା ମଧ୍ୟ ଏକ କୃଷିଭିତ୍ତିକ ପର୍ବ । କୃଷକମାନେ ଏହି ଦିନରେ ଖେତ ପୂଜା କରନ୍ତି । ଖେତକୁ ଅର୍ଘ୍ୟ ଦେଇ ଚିତଉ ପିଠା ବିଲରେ ପୋତି ଆସନ୍ତି । ଅଧିକ ଅମଳ ଆଶାରେ ଏପରି କରାଯାଏ । ବର୍ଷାଦିନେ ଗାଁ ଗଣ୍ଡାରେ ମୁଗ, ବିରି ମିଳେ ନାହିଁ । ତେଣୁ ଅରୁଆ ଚାଉଳରେ ଚିତଉ ପିଠା ପ୍ରସ୍ତୁତ କରାଯାଏ । ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଆଦିରେ ଏହାକୁ ଗେଣ୍ଡାକଟା ଅମାବାସ୍ୟା କୁହାଯାଏ । ବର୍ଷାଦିନେ ବିଲରେ ଅସଂଖ୍ୟ ଗେଣ୍ଡା ଜନ୍ମ ହୁଅନ୍ତି । ଏମାନଙ୍କ ଦ୍ୱାରା ଚାଷୀଙ୍କ ଗୋଡ଼ କଟିବାର ଆଶଙ୍କା ଥାଏ । ତେଣୁ ଗେଣ୍ଡାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଲ ତଥା ପୋଖରୀରେ ଚିତଉ ପିଠା ପୋତାଯାଏ । ଗ୍ରାମାଞ୍ଚଳରେ ଏହାର ନାମ ‘ଗେଣ୍ଡେଇସୁଣୀ ପୂଜା’ । ଏହି ଅବସରରେ ଚାଷୀ ଘରର ମହିଳାମାନେ ପିଠା ପକାଇଥାନ୍ତି ଗେଣ୍ଡେଇସୁଣୀ ଲୋ ଗେଣ୍ଡେଇସୁଣୀ, ମୋ ବାପା ଭାଇଙ୍କ ଗୋଡ଼ କାଟିବୁ ନାହିଁ । ଶ୍ରାବଣ ଅମାବାସ୍ୟାରେ ସମୁଦ୍ର ଫୁଲୁଥିବାରୁ ନଦୀ ଜଳ ନିଷ୍କାସିତ ହୋଇପାରେ ନାହିଁ । ଫଳରେ ବନ୍ୟା ଆଶଙ୍କା ଥାଏ । ତେଣୁ ଏହି ଦିନରେ ନଈ ବଡ଼ିରୁ ରକ୍ଷା ପାଇବା ପାଇଁ ଜଳ ଦେବତା ବରୁଣଙ୍କୁ ମଧ୍ୟ ଚିତଉ ଅର୍ପଣ କରାଯାଏ ।