ଚଇତି ମଙ୍ଗଳବାର ଓଷା କଥା

ଚଇତି ମଙ୍ଗଳବାର ଓଷା କଥା

ଚଇତି ମଙ୍ଗଳବାର ଓଷା କଥା
ମାଆ ମଙ୍ଗଳା ପରମବୈଷ୍ଣବୀ ଦେବୀ । ଗବେଷକମାନଙ୍କ ମତରେ, ଏହି ଦେବୀ ବୌଦ୍ଧ ଦେବୀ ତାରାଙ୍କର ପରିବର୍ତ୍ତିତ ରୂପ । କିନ୍ତୁ ଏହି ଦେବୀ ପ୍ରାୟ ପ୍ରତି ଗ୍ରାମରେ ଗ୍ରାମଦେବୀ ଭାବରେ ପୂଜିତ ହୁଅନ୍ତି । ବଟମଙ୍ଗଳା, ବାଟମଙ୍ଗଳା, ସର୍ବମଙ୍ଗଳା, ସିଦ୍ଧମଙ୍ଗଳା, ଜୟମଙ୍ଗଳା ଆଦି ଏହାଙ୍କର ଅନେକ ନାମ । ଚୈତ୍ର ମାସର ମଙ୍ଗଳବାରଗୁଡ଼ିକରେ ଏହାଙ୍କର ପୂଜା ଓଡ଼ିଶାରେ ପ୍ରାୟ ପ୍ରତ୍ୟେକ ଗୃହିଣୀ କରିଥାନ୍ତି । ସାଧାରଣତଃ ଦାଣ୍ଡରେ ପନ୍ଥେଇ ଖୋଳି, ସେଥିରେ ପଣା ଭୋଗ ଦେଇ ଏହି ପୂଜା କରାଯାଇଥାଏ । କିନ୍ତୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ମିଳିଥିବା ଚୈତ୍ର ମଙ୍ଗଳବାର ଓଷା ପୋଥିର କାହାଣୀ ସମାନ ନୁହେଁ । ଟିକାଲି, ବୁଗୁଡ଼ା ଓ ଶେରଗଡ଼ ଆଦି ଅଞ୍ଚଳରୁ ମିଳିଥିବା ପୋଥିରେ ଉଲ୍ଲେଖ ଅଛି ଯେ ସ୍ୱର୍ଗରେ ନିତେଇ ଧୋବଣୀ ଓ ମର୍ତ୍ତ୍ୟରେ ଚଇତି ହାଡ଼ିଆଣୀ ଏହି ଓଷା କରନ୍ତି । ଏହା ସୂଚାଏ ଯେ ସମାଜର ବିଭିନ୍ନ ବର୍ଗର ମହିଳା ମାଆ ମଙ୍ଗଳାଙ୍କୁ ପୂଜା କରିଥାଆନ୍ତି । ଏହି ପୋଥିର କାହାଣୀ ଅନୁସାରେ, ଚଇତି ହାଡ଼ିଆଣୀ ସବୁଦିନ ସକାଳେ ଯାଇ ରାଜନଅର ଓଳାଏ । ଦିନେ ରାଜନଅର ଓଳାଇଲା ବେଳେ ସେ ରାଜାଙ୍କର ମୁଖ ଦର୍ଶନ କଲା । ସେହି ରାଜା ଅପୁତି୍ରକ ଥିଲେ । ସମାଜରେ ପ୍ରଚଳିତ ବିଶ୍ୱାସ ଅନୁସାରେ ଅପୁତ୍ରକର ମୁଖଁ ଦର୍ଶନ ଅଶୁଭ । ତେଣୁ ଚଇତି ମନ ଦୁଃଖ କଲା ଓ ତାହା କହିଦେଲା । ତାହା ଶୁଣି ରାଜା ରାଗିଯାଇ ତାର ସାତ ପୁଅଙ୍କୁ ଢ଼ିଙ୍କିରେ କୁଟାଇ ମାରିବାକୁ ଆଦେଶ ଦେଲେ । ଦୋସାଧୁ ନାମକ ଜଣେ ବ୍ୟକ୍ତି ରାଜାଦେଶ ପାଳନ କରି, ତାର ସାତପୁଅଙ୍କୁ ମାରି ଗଭୀର ପାଣିରେ ପକାଇ ଦେଲା । କିନ୍ତୁ ଚଇତି ହାଡ଼ିଆଣୀ ମାଆ ମଙ୍ଗଳାଙ୍କ ପୂଜା କରି ସେହି ଗଣ୍ଡରେ ଦୂତ ପ୍ରସାଦ ପକାଇବାରୁ, ସାତ ପୁଅ ବଞ୍ଚି ଫେରି ଆସିଲେ । ଫଳରେ ରାଜା ହାରିଲେ । ରାଣୀମାନଙ୍କୁ ଚୈତ୍ର ମଙ୍ଗଳବାର ଓଷାର ବିଧି ବତାଇବାକୁ ସେ ଚଇତିକୁ ଅନୁରୋଧ କଲେ । ସେ ତାହା ବଦାଇ ଦେବାରୁ ରାଣୀମାନେ ଚଇତି ମଙ୍ଗଳବାର ଓଷା କଲେ ଏବଂ ତାଙ୍କର ପୁତ୍ର ଲାଭ ହେଲା । ‘ଲକ୍ଷ୍ମୀପୁରାଣ’ର ରଚନାକାର ବଳରାମ ଦାସଙ୍କ ନାଅାଁରେ ଭଣିତା ଥାଇ ଚଇତି ମଙ୍ଗଳବାର ଓଷା ପୋଥି ମଧ୍ୟ ଅଛି । ସେଥିରେ ମଧ୍ୟ ପରିଶେଷରେ ଚଣ୍ଡାଳୁଣୀ ଓ ରାଜାଙ୍କ ମଧ୍ୟରେ ମିତ୍ରତା ସ୍ଥାପିତ ହୋଇଛି । ସେହି ପୋଥି ଅନୁସାରେ, ଶ୍ରୀୟା ଚଣ୍ଡାଳୁଣୀ ମାଆ ମଙ୍ଗଳାଙ୍କ ପୂଜା କରି ସାତପୁଅ, ସାତ ଝିଅଙ୍କର ମାଆ ହୋଇଥିଲା । ଦିନେ ଅପୁତି୍ରକ ରାଜାଙ୍କ ମୁହଁ ଦେଖିବାକୁ ‘ଆଜି ଖାଇବାକୁ ମିଳିବ ନାହିଁ’ ବୋଲି ସେ କହିଲା । ତାହା ଶୁଣି ରାଜା ରାଗି ଯାଇ ତାର ସାତ ପୁଅଙ୍କୁ ହାଣି ମାରି ଦେବାକୁ ଆଦେଶ ଦେଲେ । କିନ୍ତୁ ପାଞ୍ଚ ପାଞ୍ଚ ଥର ମାଆ ମଙ୍ଗଳା ଶ୍ରୀୟା ଚଣ୍ଡାଳୁଣୀର ପୁଅମାନଙ୍କୁ ରକ୍ଷା କଲେ । ଶେଷରେ ରାଜା ନିଜର ଭୁଲ ବୁଝିପାରି ଶ୍ରୀୟା ସହିତ ମିତ୍ରତା କଲେ । ସେ ରାଣୀମାନଙ୍କୁ ଚଇତି ମଙ୍ଗଳବାର ଓଷାର ପୂଜାବିଧି ବତାଇଲା । ସେହି ଅନୁସାରେ ପୂଜା କରିବାରୁ ରାଣୀମାନେ ପୁତ୍ର ସନ୍ତାନ ଲାଭ କଲେ । ରାଜାଙ୍କ ଅପୁତ୍ରକ ଦୋଷ କଟିଲା । ଏଣୁ ଚଇତି ମଙ୍ଗଳବାର ଓଷାର କାହାଣୀ କହେ ଯେ ମାଆ ମଙ୍ଗଳା ଚିର ମଙ୍ଗଳମୟୀ । ତାଙ୍କର ଓଷା, ପୂଜାରେ ଛୋଟ ବଡ଼ର କୌଣସି ସାମାଜିକ ଭେଦଭାବ ନାହିଁ ।