ବେଦାନ୍ତ ସହିତ ଏମଓୟୁ ବାତିଲ କଲେ ସରକାର
ବେଦାନ୍ତ ସହିତ ଏମଓୟୁ ବାତିଲ କଲେ ସରକାର
admin
Mar 4, 2021 - 06:58
Updated: Mar 4, 2021 - 06:58
ଭୁବନେଶ୍ୱର: ରାଜ୍ୟ ସରକାର କଳହାଣ୍ଡି ଭବାନୀପାଟଣାର ପ୍ରସ୍ତାବିତ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ନିର୍ମାଣ ପ୍ରକି୍ରୟାରେ ବିଳମ୍ବ ପାଇଁ ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ଏହି ମେଡିକାଲ କଲେଜ ପାଇଁ ପ୍ରସ୍ତାବିତ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ଲାଗି ମେସର୍ସ ବେଦାନ୍ତ ଲିମିଟେଡ ସହିତ ହୋଇଥିବା ବୁଝାମଣା ପତ୍ରକୁ ବାତିଲ କରିଦିଆଯାଇଚି । ୨୦୧୮ ମସିହା ମାର୍ଚ୍ଚ ୨୭ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଓ ବେଦାନ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷ ଅହେତୁକ ବିଳମ୍ବ କରୁଥିବା ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଦର୍ଶାଇଛି । ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜ୍ୟ ସରକାର ପ୍ରଥମେ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ହସ୍ପିଟାଲ ପାଇଁ ବେଦାନ୍ତ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । ପରେ ଏହାକୁ ୬୫୦କୁ ବୃଦ୍ଧି କରିବାକୁ ଯୋଜନା ହୋଇଥିଲା । ୨୦୨୩ ରେ ସରକାର ଏମବିବିଏସ ନାମଲେଖା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି । କିନ୍ତୁ ବେଦାନ୍ତ କର୍ତ୍ତୃପକ୍ଷ ନିର୍ମାଣରେ କେବଳ ବିଳମ୍ବ କରୁଥିଲେ ତାହା ନୁହେଁ, ଏହି ବଧିତ ଶଯ୍ୟା କ୍ଷେତ୍ରରେ ଟାଳଟୁଳନୀତି ଅବଲମ୍ବନ କରୁଥିଲେ । ଯେହେତୁ ରାଜ୍ୟ ସରକାର ମେଡିକାଲ କଲେଜ କ୍ଷେତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ସେଥିପାଇଁ ଏଭଳି ଅପ୍ରୀତିକର ନିଷ୍ପତ୍ତି ନିଆଯାଇଛି । ସମାନ୍ତରାଳ ଭାବେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ସ୍ୱାସ୍ଥ୍ୟ ବିଭାଗ ପୂର୍ତ୍ତ ସଚିବଙ୍କୁ ଏକ ଚିଠି ଲେଖିଛି । ସେଥିରେ ଦର୍ଶାଯାଇଚି ଭବାନୀପାଟଣାରେ ପ୍ରସ୍ତାବିତ କଳାହାଣ୍ଡି ମେଡିକାଲ କଲେଜ ଓ ହସ୍ପିଟାଲ କାମ ସେମାନେ ହାତକୁ ନିଅନ୍ତୁ । ଏମଓୟୁ ବାତିଲ ହୋଇଥିବା ପରିପ୍ରେକ୍ଷୀରେ ପୂର୍ତ୍ତ ବିଭାଗ ଏହି କାର୍ଯ୍ୟ କରିବ । ନ୍ୟାସନାଲ ମେଡିକାଲ କମିସନ ଗାଇଡ ଲାଇନ ଅନୁସାରେ ଏହାର ନିର୍ମାଣ ହେବ । ବଳକା ଯେତିକି ଅର୍ଥ ଖର୍ଚ୍ଚ ହେବ ତାହାସ୍ୱାସ୍ଥ୍ୟ ବିଭାଗ ଭରଣା କରିବ ବୋଲି ମଧ୍ୟ ସ୍ପଷ୍ଟ କରିଦିଆଯାଇଛି ।