ମା’ କ୍ଷୀରରୁ ଅଳଙ୍କାର
ପ୍ରାଚୀନ କାଳରୁ ଗହଣା ପ୍ରତି ନାରୀମାନଙ୍କର ଅହେତୁକ ଆକର୍ଷଣ ରହିଆସିଛି। ପଥର, କାଠ, ଜୀବଜନ୍ତୁ, ମାଛର ହାଡ଼, ବିଭିନ୍ନ ଫୁଲ, ଫଳ, ମଞ୍ଜିଠୁ ଆରମ୍ଭ କରି ସୁନା, ରୁପା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁରେ ତିଆରି ଗହଣା ସହ ରହିଛି ରତ୍ନ ପଥରର ଚାହିଦା। ହୀରା, ନୀଳା, ମୋତି, ମାଣିକ, ପାନ୍ନା, ପ୍ରବାଳ, ଗୋମେଦ, ବୈଦୁର୍ଯ୍ୟ ପ୍ରଭୃତି ଖଞ୍ଜା ପାରମ୍ପରିକ ଗହଣାର ସମ୍ଭାର ଦେଖିଲେ ଆଖି ଲାଖିରହେ।
ମୁଣ୍ଡକଣ୍ଟା, ନାକଗୁଣାଠୁ ନେଇ ପାଉଁଜି, ଗୋଡ଼ମୁଦି ସବୁଠି ଥାଏ କାରିଗରଙ୍କ କୁଶଳୀ ହାତର ଛୁଆଁ। ପିଢ଼ି ପରେ ପିଢ଼ି ମାଆଠୁ ଝିଅ, ଶାଶୁଠୁ ବୋହୂକୁ ଦିଆ ଗହଣା ଭିତରେ ଥାଏ ଭଲପାଇବା ସହ ଆମ ପରମ୍ପରା। ଏବେ ଆଧୁନିକା ବୃତ୍ତିଜୀବୀ ନାରୀମାନେ ଖୋଜୁଛନ୍ତି ହାଲୁକା ଗହଣା। ରୋଜ୍ଗୋଲ୍ଡ, ପ୍ଲାଟିନମ୍, ହୀରାବସା ମୁଦି, କାନର ଷ୍ଟଡ୍ ଓ ଛୋଟିଆ ଲକେଟ୍ ଥବା ସରୁ ଚେନ୍। ଏବେ ଅନ୍ଲାଇନ୍ରେ ଗହଣା କାରବାର ବେଶ୍ ଲୋକପ୍ରିୟ ହେଲାଣି।
ପୂର୍ବରୁ ବାପାମାଆମାନେ ସେମାନଙ୍କ ପିଲାମାନଙ୍କ ପିଲାଦିନର ପୋଷାକ ଏବଂ ଖେଳନାକୁ ଅତି ଯତ୍ନର ସହିତ ରଖୁଥିଲେ। ଏହାପରେ ଡିଜିଟାଲ୍ ଫଟୋ ଏବଂ ଭିଡିଓ ସାହାଯ୍ୟରେ ପିଲାମାନଙ୍କର ଫଟୋଫ୍ରେମ୍ ତିଆରି କରି ରଖିଲେ। ତେବେ ବୃତ୍ତିରେ ଜଣେ ଦନ୍ତଚିକିତ୍ସକ ଥିବା ସୁରତର ଅଦିତି ମା’ କ୍ଷୀରରୁ ଅଳଙ୍କାର ତିଆରି କରି ଏହାକୁ ଏକ ନିଆରା ସ୍ମୃତିରେ ପରିଣତ କରୁଛନ୍ତି।
ଅଦିତି ପିଲାମାନଙ୍କ କେଶ ଓ ଜନ୍ମବେଳର ନାହିନାଡ଼ ବ୍ୟବହାର କରି ସୁନାରୁପାର ବ୍ରେସଲେଟ୍ ସହ ପଦକ ଏବଂ ଅନ୍ୟାନ୍ୟ ଅଳଙ୍କାର ଡିଜାଇନ୍ କରନ୍ତି। ସେଗୁଡ଼ିକ ତିଆରି କରିବା ପାଇଁ ସେ ମା’ର କ୍ଷୀର ସଂରକ୍ଷଣ କରି ରଖନ୍ତି ଏବଂ ଏହାକୁ ପଥରରେ ପରିଣତ କରନ୍ତି। ଏମିତି କରି ସେଥିରୁ ଅଳଙ୍କାର ଡିଜାଇନ୍ କରନ୍ତି।
ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରିବାକୁ ପ୍ରାୟ ୧୫ ଦିନ ଲାଗେ। ଅଦିତିଙ୍କ କହିବା କଥା, କ୍ଷୀରରୁ ନିର୍ମିତ ଏହି ଅଳଙ୍କାରର କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ବହୁତ ଚାହିଦା ରହିଛି ଏବଂ ସେ ବିଦେଶରୁ ମଧ୍ୟ ଅର୍ଡର ପାଉଛନ୍ତି। ମା’ କ୍ଷୀର ତାଙ୍କୁ ବିଦେଶରୁ କୋରିୟର୍ ମାଧ୍ୟମରେ ପଠାଯାଇଥାଏ ଏବଂ ସେ ଏଥିରୁ ସୁନ୍ଦର ଅଳଙ୍କାର ଡିଜାଇନ୍ କରନ୍ତି।
କାନାଡାର ଏକ ଦମ୍ପତିଙ୍କ ପାଇଁ ଏକ ଅଳଙ୍କାର ଡିଜାଇନ୍ କରିଥିଲେ। ଏଥିରେ ଶିଶୁର କେଶ ବ୍ୟବହାର କରି ପିଲାର ନାଁ ଏସ୍ ଆକାର ଦିଆଯାଇଥିଲା। ତାଙ୍କ ପାଇଁ ୭ ଏକ ଭାଗ୍ୟଶାଳୀ ସଂଖ୍ୟା ହୋଇଥିବାରୁ ସେ ଏହି ଜୁଏଲାରୀ ତିଆରି କରିବା ପାଇଁ ସାତଟି ହୀରା ବ୍ୟବହାର କରିଥିଲେ।