୭୦ ହଜାର କ୍ବିଣ୍ଟାଲ ଧାନ ବିହନ ବିକ୍ରି ହୋଇ ପାରିନି
ଭୁବନେଶ୍ବର : ଚାଷୀଙ୍କ ଆବଶ୍ୟକତା ଅନୁସାରେ ବିହନ ଉତ୍ପାଦିତ ହୋଇନଥିଲା। ଯେତିକି ଉତ୍ପାଦନ ହୋାଇଥିଲା, ସେଥିରୁ ବିକ୍ରି ନ ହୋଇ ରହିଗଲା ୭୦ ହଜାର କ୍ବିଣ୍ଟାଲ ଧାନ ବିହନ। ଏଥିଯୋଗୁଁ ବିହନ ନିଗମ ପ୍ରାୟ ୧୪ କୋଟି ଟଙ୍କା ହରାଇବା ନେଇ ଆକଳନ କରାଯାଉଛି। ଓଟିପି ସମସ୍ୟା ସହିତ ସରକାରୀ ବିହନ ପ୍ରତି ଚାଷୀଙ୍କ ଅନାଗ୍ରହ ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିବା ବିହନ ବିଶେଷଜ୍ଞମାନେ ମତ ଦେଉଛନ୍ତି।
ସୂଚନା ଅନୁସାରେ, ଓଡ଼ିଶାକୁ ୧୪ ଲକ୍ଷ କ୍ବିଣ୍ଟାଲ ବିହନର ଆବଶ୍ୟତା ଥାଏ। ଖରିଫ ସମୟରେ ବିହନ ନିଗମ ପକ୍ଷରୁ ପୂର୍ବରୁ ୫ ଲକ୍ଷ କ୍ବିଣ୍ଟାଲ ଉତ୍ପାଦନ ହେଉଥିଲା। ୨୦୨୧ ମସିହା ବେଳକୁ ଏହା ୪ ଲକ୍ଷ କ୍ବିଣ୍ଟାଲକୁ ଖସି ଆସିଥିଲା। ଚଳିତ ବର୍ଷ ଉତ୍ପାଦନ ଆହୁରି କମ କରି ଦିଆଯାଇ ମାତ୍ର ୨ ଲକ୍ଷ ୮ ହଜାର କ୍ବିଣ୍ଟାଲରେ ସୀମିତ କରି ଦିଆଯାଇଛି। ହେଲେ ବାସ୍ତବତା ହେଲା, ଜୁଲାଇ ମାସ ଅନ୍ତିମ ସପ୍ତାହ ବେଳକୁ ମଧ୍ୟ ବିହନ ସରିପାରି ନାହିଁ।
ନିଗମ ପାଖରେ ଧାନ ବିହନ ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଏହା ଆସନ୍ତା ବର୍ଷ ପାଇଁ ସଂରକ୍ଷିତ କରି ରଖାଯାଇ ପାରିବ ନାହିଁ ବୋଲି କୃଷି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଗୁଳୁଗୁଳି ଏବଂ ଗରମ ପାଣିପାଗ ଯୋଗୁଁ ରବି ସମୟ ପର୍ଯ୍ୟନ୍ତ ଏହା ରଖିବା ମଧ୍ୟ ଅତ୍ୟନ୍ତ କଷ୍ଟକର ହେବ। ଏଣେ ଏତେ ପରିମାଣର ବିକ୍ରି ନ ହୋଇ ରହିଥିବା ବିହନ ନଷ୍ଟ ହୋଇଯିବା ସମ୍ଭାବନା ଅଧିକ। ଏ ଆଶଙ୍କା ଏଇଥିପାଇଁ ବଢ଼ିଯାଉଛି, କାରଣ ନିଗମ ତାର ବିକଳ୍ପ ବ୍ୟବହାର କରିବ କି ନାହିଁ, ସେ ନେଇ ସ୍ପଷ୍ଟ ଉତ୍ତର ମିଳି ନାହିଁ।