ବ୍ରହ୍ମଗିରି ରେ ପ୍ରଭୁ ଅଲାରନାଥ
ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ମନ୍ଦିର ରହିଛି । ଗଙ୍ଗବଂଶୀ ରାଜା ମଦନମୋହନ ଦେବ ୧୧୭୦ ଖ୍ରୀଷ୍ଟାବ୍ଦରେ ଅଲାରନାଥଙ୍କ ମନ୍ଦିର ପ୍ରତିଷ୍ଠା କରିଥିଲେ । ସେହି କାଳରୁ ସେ ବ୍ରହ୍ମଗିରିରେ ପୂଜା ପାଇ ଆସୁଛନ୍ତି । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ବିକଳ୍ପ ଦେବତା ଭାବେ ଗ୍ରହଣ କରାଯାଏ । ଶ୍ରୀଜଗନ୍ନାଥଙ୍କ ଅଣସର ସମୟରେ ଭକ୍ତମାନେ ଅଲାରନାଥଙ୍କୁ ଯାଇ ଦର୍ଶନ କରି ପୂଣ୍ୟଲାଭ କରନ୍ତି । ‘ଅଲୱାର’ ଏକ ତାମିଲ ଶବ୍ଦ ଓ ଏହାର ଅର୍ଥ ଦିବ୍ୟଯୋଗୀ । ଦକ୍ଷିଣ ଭାରତରେ ଅଲୱାର ସମ୍ପ୍ରଦାୟର ସାଧୁମାନେ ବିଷ୍ଣୁଭକ୍ତ ଥିଲେ ଓ ସେମାନେ ପ୍ରେମଭକ୍ତିକୁ ବିଶେଷ ଗୁରୁତ୍ୱ ଦେଉଥିଲେ । ଶ୍ରୀରାମାନୁଜ ଥିଲେ ଏହି ଅଲୱାର ସମ୍ପ୍ରଦାୟର ସାଧୁ । ‘ଅଲୱାରମାନଙ୍କ ନାଥ’ ଅର୍ଥାତ୍ ‘ଭକ୍ତଙ୍କ ନାଥ’ ଅଲାରନାଥ ହିଁ ବିଷ୍ଣୁ । ବ୍ରହ୍ମଗିରିରେ ପୂଜିତ ବିଷ୍ଣୁଙ୍କୁ ତେଣୁ ‘ଅଲାରନାଥ’ ବୋଲି କୁହାଯାଉଥିଲା । ଦକ୍ଷିଣରୁ ଆସିଥିବା ଗଙ୍ଗବଂଶୀୟ ରାଜା ମଦନମୋହନ ଦେବ ୧୨ଶ ଶତାବ୍ଦୀରେ ଅଲାରନାଥ ମନ୍ଦିର ପ୍ରତିଷ୍ଠା କରିଥିବା ଜଣାଯାଏ ।