ବିପଦ ସମୟରେ ସାଥୀ ହୋଇଛି ରୋବଟ୍
ବିପଦ ସମୟରେ ସାଥୀ ହୋଇଛି ରୋବଟ୍
admin
Apr 9, 2020 - 12:40
Updated: Apr 9, 2020 - 12:40
କିଛି ବର୍ଷ ତଳେ ବିଜ୍ଞବ୍ୟକ୍ତିଙ୍କ ମତ ଥିଲା, ରୋବଟ୍ ଅଧିକ ପରିମାଣରେ ଉତ୍ପାଦନ କରାଗଲେ ଆଗାମୀ ଦିନରେ ଏହା କାରଣରୁ ଯୁବପିଢ଼ି ଚାକିରି ହରାଇ ବସିବେ । ଯଦିଓ ସେ କଥାର ସତ୍ୟତା ପ୍ରମାଣିତ ହୋଇନାହିଁ, କିନ୍ତୁ ବର୍ତ୍ତମାନ ଦୁଃସ୍ଥିତିରେ ରୋବଟ ହିଁ ମନୁଷ୍ୟର ପ୍ରକୃତ ସାଥୀ ପାଲଟିଛି । ବିଶ୍ୱର ପ୍ରମୁଖ ପ୍ରାନ୍ତ ଲକଡାଉନ ହୋଇ ରହିଥିବା ବେଳେ ଆମେରିକା, ସ୍ପେନ, ଇଟାଲୀ, ଚୀନରେ ଲୋକଙ୍କୁ ରୋବଟ ହିଁ ସାହାଯ୍ୟ ଯୋଗାଉଥିବାର ପ୍ରକାଶ ।
କରୋନା ରୋବଟ: ଡାକ୍ତରଙ୍କ ସାହାଯ୍ୟ ନ ନେଇ ଏଇ ରୋବଟ ରୋଗୀ କରୋନା ଆକ୍ରାନ୍ତ କିମ୍ବା ନୁହେଁ, ତାହା ସ୍ପଷ୍ଟ କରିଥାଏ । ଅଲଟ୍ରାସାଉଣ୍ଡ, ଲାଳ ପରୀକ୍ଷା, ଶରୀରର ତାପମାତ୍ରା ଯାଞ୍ଚ ସହ ରୋଗୀର ଖାଦ୍ୟ ତାଲିକା ମଧ୍ୟ ପ୍ରସ୍ତୁତ କରେ ରୋବଟ । ଅନ୍ୟ ପାଖେ ନର୍ସ ରୋଗୀର କକ୍ଷକୁ ନ ଆସି ମଧ୍ୟ ରୋବଟରେ ଖଞ୍ଜା ହୋଇଥିବା କ୍ୟାମେରା ଜରିଆରେ ସବୁ କିଛି ତଦାରଖ କରିପାରନ୍ତି । ରୋଗୀଙ୍କ ଚିକିତ୍ସା ପରେ ରୋବଟଟି ନିଜକୁ ସାନିଟାଇଜ ମଧ୍ୟ କରେ । କରୋନା ରୋବଟ ଏବେ ଇଟାଲୀ, ସ୍ପେନ ଓ ବ୍ୟାଙ୍କକରେ କାର୍ଯ୍ୟକାରୀ ହୋଇଥିବାର ଜଣାପଡ଼ିଛି ।
ଡେଲିଭରୀ ରୋବଟ: ସାମାଜିକ ଦୂରତା ହିଁ ଏଇ ରୋଗରୁ ମୁକୁଳିବାର ମୁଖ୍ୟ ଉପାୟ ବୋଲି ବିଶେଷଜ୍ଞଙ୍କ ମତ । ଏଣୁ ଆମେରିକାରେ ଲକଡାଉନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ହୋମ ଡେଲିଭେରୀ ବ୍ୟବସ୍ଥା ପ୍ରତ୍ୟେକ ପ୍ରାନ୍ତରେ ଉପଲବ୍ଧ । ଏପରି ସ୍ଥଳେ ସେଠାକାର କେତେକ ନାମୀ କମ୍ପାନୀ ଡେଲିଭରୀ ରୋବଟ ସହାୟତାରେ ଗ୍ରାହକଙ୍କୁ ସାମଗ୍ରୀ ଯୋଗାଉଛି । ବୟସ୍କ ପିଢ଼ିଙ୍କୁ ଖାଦ୍ୟପାନୀୟ, ଔଷଧ, ସଉଦା, ପନିପରିବା ଯଥା ସମୟରେ ଏଇ ଡେଲିଭରୀ ରୋବଟ ପହଞ୍ଚାଇଥାନ୍ତି । ଲସଆଞ୍ଜେଲସ ଓ ନ୍ୟୁୟର୍କରେ ଏହି ସୁବିଧା ଉପଲବ୍ଧ ।
ୟୁଭିଡି ରୋବଟ୍: ନିଜ ଚାରିପାଖ ଅଞ୍ଚଳକୁ ସାନିଟାଇଜ କରିବା ବର୍ତ୍ତମାନ ସମୟରେ ଜରୁରୀ । ଚିକିତ୍ସାଳୟ ଗୁଡ଼ିକ ଏଇ ପରିସ୍ଥିତିରେ ରୀତିମତ ପରିଷ୍କାର କରାଯାଉଛି । ଚୀନ ଚିକିତ୍ସାଳୟ ଏଇ ୟୁଭିଡି ରୋବଟ ନିଜ ଅତିବାଇଗଣି ରଶ୍ମୀ ସହାୟତାରେ ସାନିଟାଇଜ କରୁଥିବାର ପ୍ରକାଶ ।