ନାଗାର୍ଜୁନ ବେଶ ଆଉ ୩ ଦିନ, ବେଶ ଲାଗିରେ ରହିବେ ୨୨ ପୁଷ୍ପାଳକ

ନାଗାର୍ଜୁନ ବେଶ ଆଉ ୩ ଦିନ, ବେଶ ଲାଗିରେ ରହିବେ ୨୨ ପୁଷ୍ପାଳକ

ନାଗାର୍ଜୁନ ବେଶ ଆଉ ୩ ଦିନ, ବେଶ ଲାଗିରେ ରହିବେ ୨୨ ପୁଷ୍ପାଳକ
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ବିଧି ପାଳନ ଆଉ ତିନି ଦିନ ରହିଛି । ଏହି ବେଶ ପାଇଁ ପ୍ରସ୍ତୁତି ବି ଚାଲିଛି । ସ୍ୱତ୍ୱାଧିକାର ମୁତାବକ ପୁଷ୍ପାଳକ ସେବକ ବେଶ କରିବେ । ପୂର୍ବ ରେକର୍ଡ କହୁଛି, ବେଶ ଲାଗିଲେ ଗର୍ଭଗୃହସ୍ଥ ସିଂହାସନ ଉପରେ ୧୨ ଏବଂ ସିଂହାସନ ତଳେ ଆଉ ୧୦ ପୁଷ୍ପାଳକ ସେବକ ଉପସ୍ଥିତ ରହିବେ । ବେଶ ବେଳେ ପାଳିଆ ଖୁଣ୍ଟିଆ, ମେକାପ ବି ରହିବେ । ଏମାନଙ୍କ ସଂଖ୍ୟା ସମ୍ପୃକ୍ତ ନିଯୋଗ ଚୂଡାନ୍ତ କରିବ । ଯାହା ସୂଚନା ମିଳୁଛି ଏହି ସେବକଙ୍କ ସଂଖ୍ୟା ୧୫ ଭିତରେ ସୀମିତ ରହିପାରେ । ୧୯୯୩ ଆଉ ୧୯୯୪ ରେ ନାଗାର୍ଜୁନ ବେଶରେ ଅଭିଜ୍ଞତା ଥିବା ଶ୍ରୀମନ୍ଦିରରେ ଜଣେ ବରିଷ୍ଠ ଅଫିସର କହିଛନ୍ତି, ସାଧାରଣତଃ ନାଗାର୍ଜୁନ ବେଶ ବେଳେ ତଳୁଛ, ଭିତରୁଛ, ପୁଷ୍ପାଳକ, ଖୁଣ୍ଟିଆ, ଭଣ୍ଡାର, ମେକାପ, ଚାଙ୍ଗଡା ମେକାପ, ଗରାବଡୁ, ପ୍ରତିହାରୀ ସେବକଙ୍କ ପ୍ରମୁଖଙ୍କ ଭୂମିକା ରହି ଆସିଛି । ବରିଷ୍ଠ ପୁଷ୍ପାଳକ ସେବକ ତଥା ପରିଚାଳନା କମିଟି ସଦସ୍ୟ ତଳୁଛ ନୀଳକଣ୍ଠ ମହାପାତ୍ର କହିଛନ୍ତି, ବେଶ ଲାଗି ପାଇଁ ପୁଷ୍ପାଳକ ସେବକଙ୍କ ସଂଖ୍ୟାରେ ସେମିତି କିଛି ସୀମା ନାହିଁ । ପୂର୍ବ ନାଗାର୍ଜୁନ ବେଶରେ ଅଭିଜ୍ଞତା ଆଧାରରେ ସେ କହିଛନ୍ତି ସିଂହାସନ ତଳେ ୧୦ ଜଣ ଏବଂ ଉପରେ ତିନିବାଡିର ୧୨ ପୁଷ୍ପାଳକ ସେବକ ରହନ୍ତି । ତଦନୁସାରେ ପୁଷ୍ପାଳକ ସେବକଙ୍କ ସଂଖ୍ୟା ଅନୁ୍ୟନ ୨୨ ରହିବକହିଲେ ଠିକ ହେବ । ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଖବର ମିଳିଛି, ନାଗାର୍ଜୁନ ବେଶ ଦିନ ଦ୍ୱାରଫିଟାରୁ ରାତି ପହୁଡ଼ ମଧ୍ୟରେ ୩୦ଟି ନୀତି ରହିଛି । ସ୍ୱତନ୍ତ୍ର ବେଶ ନୀତି ଥିବାରୁ ନଭେମ୍ବର ୨୭ ରେ ବିଭିନ୍ନ ନିଯୋଗର ୯୮ ରୁ ୧୦୦ ପାଳିଆ ସେବାୟତ ଶ୍ରୀମନ୍ଦିର ସେବା ପୂଜାରେ ନିୟୋଜିତ ହେବେ । କାର୍ତ୍ତିକ ପଞ୍ଚକ ନୀତି ପାଇଁ ଦୈନିକ ୮୬ ପାଳିଆ ସେବାୟତ ରହୁଛନ୍ତି । ନାଗାର୍ଜୁନ ବେଶ ଦିନ ପାଳିଆ ସେବାୟତଙ୍କ ସଂଖ୍ୟା ଶହେରେ ପହଞ୍ଚିବ । ଏହା ବ୍ୟତୀତ ଶ୍ରୀମନ୍ଦିରରୁ ଘଟଛତା, କାହାଳୀ, ବଜୟନ୍ତୀ ସେବା ସହ ସମ୍ପୃକ୍ତ ସେବକମାନେ ପଟୁଆରରେ ବେଶ ଆଣିବାକୁ ଯଜମାନ ଗୃହକୁ ଯିବେ । ଶ୍ରୀମନ୍ଦିରକୁ ବେଶ ଆଭୂଷଣର ପଟୁଆରରେ ଆଣିବାକୁ ଯଜମାନଙ୍କର ୨୫ ଲୋକ ସାମିଲ ହେବେ ବୋଲି ଯଜମାନ ଚକ୍ରକୋଟ ବଳରାମ ଖୁଣ୍ଟିଆ ସୂଚନା ଦେଇଛନ୍ତି । ବେଶ ଆଭୁଷଣ ଶୋଭାଯାତ୍ରାରେ ଯଜମାନଙ୍କ ବାସଭବନରୁ ରାତି ୨ଟାରେ ବାହାରିବେ ।