ଓଡ଼ିଶାକୁ ମିଳିବ ‘ଆଇକନିକ ଐତିହ୍ୟ’
ଓଡ଼ିଶାକୁ ମିଳିବ ‘ଆଇକନିକ ଐତିହ୍ୟ’
admin
Aug 20, 2019 - 10:24
Updated: Aug 20, 2019 - 10:24
ଭୁବନେଶ୍ୱର: ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । କାରଣ ଓଡ଼ିଶା ଏବେ ଆଇକନିକ ଐତିହ୍ୟସ୍ଥଳ ତାଲିକାରେ ସ୍ଥାନ ପାଇବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ । ଦିଲ୍ଲୀରେ ଅନୁଷ୍ଠିତ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀରେ ଶ୍ରୀ ପଟେଲ ଏହା କହିଛନ୍ତି।
ସେ କହିଛନ୍ତି ଯେ, ଖୁବ ଶୀଘ୍ର ଓଡ଼ିଶାକୁ ଆଇକନିକ ହେରିଟେଜର ମାନ୍ୟତା ମିଳିବ । ପୂର୍ବରୁ ଓଡ଼ିଶା ଡକୁ୍ୟମେଣ୍ଟରେ ଅଭାବ ଥିବାରୁ ମାନ୍ୟତା ମିଳିନଥିଲା । ପୁରୀ ଓ କୋଣାର୍କ ଏମିତି ଜାଗା, ଯାହା ସ୍ଥାନ ପାଇବା ଜରୁରୀ । ଏହା ଏମିତି ଜାଗା, ଯାହାକୁ କେହି ଅଣଦେଖା କରିପାରିବେ ନାହିଁ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଛନ୍ତି ।
ପ୍ରକାଶ ଯେ, ଗତ ଅଗଷ୍ଟ ୯ ତାରିଖ ଦିନ ପୁରୀ ଓ କୋଣାର୍କ ପାଇଁ ରାଜ୍ୟର ସବୁ ବିଜେପି ସାଂସଦଙ୍କ ପକ୍ଷରୁ ଚିଠି ଲେଖାଯାଇଥିଲା । କେନ୍ଦ୍ର ପର୍ୟ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କୁ ସମସ୍ତ ବିଜେପି ସାଂସଦ ଚିଠି ଲେଖିଥିଲେ । ପୁରୀ ଓ କୋଣାର୍କକୁ ଆଇକନିକ ପର୍ୟ୍ୟଟନ କ୍ଷେତ୍ରରେ ସାମିଲ କରିବା ପାଇଁ ସାଂସଦମାନେ ଏହି ଚିଠି ଲେଖିଥିଲେ ।
ପୂର୍ବରୁ ଦେଶର ୧୭ଟି ଆଦର୍ଶ ପର୍ୟ୍ୟଟନସ୍ଥଳୀ ତାଲିକା ସହ ଏହି ତାଲିକାରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିରକୁ ସାମିଲ କରାଯିବା ନେଇ କେନ୍ଦ୍ର ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ ଯେ ୨୦୧୯-୨୦ ଆର୍ଥିକ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପର୍ୟ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ୧୭ଟି ପ୍ରତିଷ୍ଠିତ ପର୍ୟ୍ୟଟନ କ୍ଷେତ୍ରକୁ ବିକଶିତ କରାଯିବ ବୋଲି ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଏହି ୧୭ଟି କ୍ଷେତ୍ରକୁ ମଡେଲ ପର୍ୟ୍ୟଟନ କ୍ଷେତ୍ର ଭାବରେ ବିକଶିତ କରି ବିଦେଶୀ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରାଯିବାର ଯୋଜନା ରଖିଛନ୍ତି ।
ଶ୍ରୀ ପ୍ରଧାନ କହିଥିଲେ ଯେ ଓଡ଼ିଶାଳ କଳା, ଭାସ୍କର୍ୟ୍ୟ ତଥା ସଂସ୍କୃତି ଓ ପର୍ୟ୍ୟଟନର ଧାରା ପରିସ୍ଫୁଟ । ବିଶେଷତଃ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ସୂର୍ୟ୍ୟ ମନ୍ଦିର ଭଳି ପବିତ୍ର ସ୍ଥଳୀ ପର୍ୟ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ହିନ୍ଦୁଙ୍କ ପବିତ୍ର ୪ ଧାମ ମଧ୍ୟରୁ ପୁରୀର ଜଗନ୍ନାଥ ମନ୍ଦିର ଅନ୍ୟତମ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମଧ୍ୟ ଏଠାରେ ଅନୁଷ୍ଠିତ ହୁଏ ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ସେହିପରି କୋଣାର୍କ ସୂର୍ୟ୍ୟ ମନ୍ଦିର ଓଡ଼ିଶାର କଳାକୃତିର ପରିଚୟ ଦିଏ ଏବଂ ଏହା ବିଶ୍ୱସ୍ତରରେ ମାନ୍ୟତା ପାଇଛି । ଓଡ଼ିଶାର ସ୍ୱର୍ଣ୍ଣ ତି୍ରଭୁଜ ଭୁବନେଶ୍ୱର, ପୁରୀ ଏବଂ କୋଣାର୍କ ମନ୍ଦିର ବିଶ୍ୱର ଲକ୍ଷ ଲକ୍ଷ ପର୍ୟ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ ଓ ଓଡ଼ିଆ ସମାଜ ସଂସ୍କୃତିର ପରିଚୟ ଦିଏ ।