କଟକ ବଡ଼ ଡାକ୍ତରଖାନାରେ ଅଗ୍ନିକାଣ୍ଡ

କଟକ ବଡ଼ ଡାକ୍ତରଖାନାରେ ଅଗ୍ନିକାଣ୍ଡ

କଟକ : କଟକ ବଡ଼ ମେଡିକାଲରେ ଲାଗି ଯାଇଛି ନିଆଁ। ଡାକ୍ତରଖାନାରେ ପାଥୋଲୋଜି ବିଭାଗର ଦୁଇଟି ରୁମ୍ରେ ନିଆଁ ଲାଗି ଯାଇଛି। ଆସବାବପତ୍ର ସହିତ ଅନେକ ଯନ୍ତ୍ରାଂଶ ଏଥିରେ ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ବିପୁଳ ପରିମାଣରେ କ୍ଷତି ହୋଇଛି। ଆଜି ସକାଳେ ଡିପାର୍ଟମେଣ୍ଟ ଖୋଲିବା ପରେ ହିଁ ଏହି ଘଟଣା ସଂପର୍କରେ ଜଣାପଡ଼ିଥିଲା। ରାତିରୁ ଏଠାରେ ନିଆଁ ଲାଗି ସବୁ କିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି।ସର୍ଟ ସର୍କିଟ୍ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ସାଧାରଣତଃ ପାଥୋଲୋଜି ବିଭାଗର ଏହି ରୁମ୍ଗୁଡ଼ିକ ରାତିରେ ବନ୍ଦ ରହିଥାଏ। ତେବେ ନିଆଁ ଲାଗିବା ସତ୍ତ୍ୱେ କେହି କେମିତି ଜାଣିପାରିଲେ ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତଦନ୍ତ ପରେ ହିଁ କେମିତି ନିଆଁ ଲାଗିଲା ଓ କେତେ କ୍ଷୟକ୍ଷତି ହୋଇଛି, ତାହା ଜଣାପଡ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି।