ପୁଣି ବର୍ଷିଲେ ଅମିତ ଶାହା
ପୁଣି ବର୍ଷିଲେ ଅମିତ ଶାହା
admin
Apr 12, 2019 - 08:25
Updated: Apr 12, 2019 - 08:25
ଭୁବନେଶ୍ୱର : କେନ୍ଦୁଝରରେ ଆଜି ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଜିଲ୍ଲାର ମେଡିକାଲ କଲେଜ ପଡିଆରୁ ସେ କଂଗ୍ରେସ ଏବଂ ବିଜେଡି ସରକାର ଉପରେ ବର୍ଷିଛନ୍ତି । ଏହାସହ ବିଜେପିକୁ ଭୋଟ ଦେଇ ବିପୁଳ ପରିମାଣରେ ବିଜୟୀ କରିବାକୁ ସେ ଜନତାଙ୍କୁ ଆହ୍ୱାନ କରିଛନ୍ତି ।
ପ୍ରଥମେ ଶାହା ମା ତାରିଣୀ, ବଳଦେବଜିଉଙ୍କୁ ସ୍ମରଣ କରିଥିଲେ । ଏହାପରେ ସେ କେନ୍ଦୁଝର ମାଟିର ଧରଣୀଧର ନାୟକ, ଦୈତାରୀ ନାୟକ ଆଦି ବୀର ସନ୍ତାନ ଏବଂ ପୁଲୱାମାରେ ସହିଦ ୨ ଓଡିଆ ଯବାନଙ୍କୁ ପ୍ରଣିପାତ ଜଣାଇଥିଲେ । ଏହାପରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ, ଦେଶରେ ସବୁଠାରେ ମୋଦୀ ଲହର ଚାଲିଛି । ଓଡିଶାରୁ ଗୁରୁଜାତ ଯାଏଁ ମୋଦୀ ନାରା ଶୁଣା ଯାଉଛି । ୫ ବର୍ଷରେ ମୋଦି ସରକାର ଗରିବୀ ହଟାଇବାକୁ ବହୁ କାମ କରିଛନ୍ତି । ନିର୍ବାଚନରେ ମୋଦିଙ୍କୁ ଜିତାଇବା ସହ ନବୀନଙ୍କୁ ବିଦା କରିବାର ଅଛି । ୧୯ ବର୍ଷ ପରେ ବି ନବୀନ ଓଡ଼ିଆରେ କଥା ହୋଇପାରୁନାହାନ୍ତି । ଆପଣଙ୍କୁ ଏମିତି ମୁଖ୍ୟମନ୍ତ୍ରୀ ଦରକାର ଯିଏ ଆପଣଙ୍କ ଭାଷାରେ କଥା ହେବ ।
ଡିଏମଏଫରେ କେନ୍ଦୁଝର ଜିଲ୍ଲାକୁ ୧୬ଶହ କୋଟି ମଞ୍ଜୁର କରାଯାଇଛି । କେନ୍ଦୁଝର ମେଡିକାଲ କଲେଜ ଡିଏମଏଫ ପାଣ୍ଠିରେ ହେଉଛି । ମୋଦି ମେଡିକାଲ ପାଇଁ ପାଣ୍ଠି ଦେଲେ, ନବୀନ ଚାରିଣୀଟି ବି ଦେଲେନି । ବନଜାତ ଦ୍ରବ୍ୟରର ସମର୍ଥନ ମୂଲ୍ୟ ବି ମୋଦି ସରକାର କରିଛନ୍ତି
୧୯ ବର୍ଷ ହେଲା ନବୀନ ବାବୁ ଏଠି ଅଛନ୍ତି, ପାଣି ଟୋପେ ମିଳୁନି । ଏଠି ପିଇବା ପାଣି ମିଳୁନି, ଡାକ୍ତରଖାନାରେ ବି ଡାକ୍ତର ନାହାନ୍ତି । ହଜାର ହଜାର ଓଡ଼ିଆ ଯୁବକ କାମ ପାଇଁ ବାହାରକୁ ଯାଉଛନ୍ତି । ତେବେ ଓଡ଼ିଶାରେ ବିଜେପି ସରକାର ଆସିଲେ ଆଉ କାମ କରିବାକୁ ବାହାରକୁ ଯିବାକୁ ପଡ଼ିବନି ବୋଲି ଅମିତ ଶାହା କହିଥିଲେ ।
ଏହାଛଡ଼ା ସେ କହିଥିଲେ ଯେ, ନବୀନ ବାବୁ ଖଣିଜ ଘୋଟାଲା ଛଡ଼ା ଆଉ କିଛି କରିନାହାନ୍ତି । ନବୀନ ବାବୁଙ୍କ ପାଖରେ ଥିବା ବାବୁ ଲୋକ ଭ୍ରଷ୍ଟାଚାର କରୁଛନ୍ତି, ନବୀନ ନିର୍ବିକାର । ଓଡ଼ିଶା ପାଖରେ ଏତେ ଖଣିଜ ସମ୍ପଦ ଥାଇ ମଧ୍ୟ ଓଡ଼ିଶାର ଲୋକ ଗରିବ । ଚିଟଫଣ୍ଡରେ ସମ୍ପୃକ୍ତ ଲୋକଙ୍କ ପ୍ରତି ନବୀନ ବାବୁ କି କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ବୋଲି ଅମିତ ଶାହା ପ୍ରଶ୍ନ କରିବା ସହ ଥରେ ବିଜେପି ସରକାର ଆସିଲେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଜେଲ ପଠାଇବାକୁ ବୋଲି କହିଥିଲେ ।
ସେହିପରି ଓଡ଼ିଶାରେ ବିଜେପି ସରକାର ଗଢିଲେ କେନ୍ଦୁଝର ଜିଲ୍ଲାରେ ଆଉ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ଅମିତ ଶାହା କହିଥିଲେ । କେନ୍ଦୁପତ୍ର ଉପରୁ ଜିଏସଟି ସମ୍ପୂର୍ଣ୍ଣ ଛାଡ଼ କରାଯିବ ବୋଲି ମଧ୍ୟ କହିଛନ୍ତି । ଏହାଛଡ଼ା ଥରେ ବିଜେପିକୁ ଦାୟିତ୍ୱ ଦେଲେ ୫ ବର୍ଷରେ ଓଡ଼ିଶା ୧ ନଂ ହେବ ବୋଲି ଶାହା କହିଥିଲେ ।