ଫଟୋ ସାମ୍ବାଦିକ ଅଚ୍ୟୁତାନନ୍ଦଙ୍କୁ ହତ୍ୟା କରିଥିବା ନକ୍ସଲ ଗିରଫ

ଫଟୋ ସାମ୍ବାଦିକ ଅଚ୍ୟୁତାନନ୍ଦଙ୍କୁ ହତ୍ୟା କରିଥିବା ନକ୍ସଲ ଗିରଫ

ଫଟୋ ସାମ୍ବାଦିକ ଅଚ୍ୟୁତାନନ୍ଦଙ୍କୁ ହତ୍ୟା କରିଥିବା ନକ୍ସଲ ଗିରଫ
ଭୁବନେଶ୍ୱର - ଦାନ୍ତେୱାଡାରେ ହୋଇଥିବା ନକ୍ସଲ ଆକ୍ରମଣରେ ସଂପୃକ୍ତ ଜଣେ ନକ୍ସଲକୁ ପୁଲିସ ଆଜି ଗିରଫ କରିବାରେ ସଫଳ ହୋଇଛି । ଏହି ନକ୍ସଲ ଆକ୍ରମଣରେ ଦୂରଦର୍ଶନ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁ ଓ ୨ ଜଣ ଯବାନ ସହିଦ ହୋଇଥିଲେ। ଗିରଫ ନକ୍ସଲର ନାଁ କେଶା କୋହରାମ। ଅଚ୍ୟୁତାନନ୍ଦଙ୍କ ଘର ବଲାଙ୍ଗିର ଜିଲ୍ଲାରେ। ସେ ଦିଲ୍ଲୀରେ କାର୍ୟ୍ୟରତ ଥିଲେ। ସୂଚନାଥାଉ କି, ଦନ୍ତେୱାଡାର ଆରନପୁରରେ ନିର୍ବାଚନ ସଂପର୍କିତ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଦୂରଦର୍ଶନ ଟିମ୍ ଓ ସୁରକ୍ଷା କର୍ମୀଙ୍କ ଉପରେ ନକ୍ସଲମାନେ ଆକ୍ରମଣ କରିଥିଲେ। ମିଳିଥିବା ସୂଚନା ଅନୁସାରେ, ନିଲାୱାୟା ଜଙ୍ଗଲରେ କେଶା ଲୁଚି ରହିଥିବା ଖବର ମିଳିବା ପରେ ଡିଆର୍ଜି ଓ ପୋଟାଲି ପୁଲିସ୍ର ଏକ ମିଳିତ ଟିମ୍ ପୂରା ଜଙ୍ଗଲକୁ ଘେରି ଯାଇଥିଲେ। ଏହାପରେ କେଶାକୁ ଧରିବାରେ ସଫଳ ହୋଇଥିଲା। କେଶା ନାଁରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ତା’ନିକଟରୁ ପୁଲିସ୍ ବହୁ ଡିଟୋନେଟର୍ ଜବତ କରିଛି। ପୁଲିସ୍ର ସୂଚନା ଅନୁସାରେ, କେଶା, ନକ୍ସଲ ସଂଗଠନ ଦରଭା ଆକ୍ସନ ଟିମ୍ର ଜଣେ ସଦସ୍ୟ। ତେବେ ପଚରାଉଚରା ବେଳେ ତା’ନିକଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରାଯାଇପାରିବ ବୋଲି ଆଶଙ୍କା କରାଯାଉଛି। ଦନ୍ତେୱାଡା ପୁଲିସ୍ର ସୂଚନା ଅନୁସାରେ, କେଶାକୁ ଧରିବା ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ପ୍ରେସର୍ ଆଇ.ଡି ଓ ସ୍ପାଇକ୍ ହୋଲ୍ ଲଗାଇବାରେ ସେ ପୂରାପୂରି ମାହିର ବୋଲି ପୁଲିସ୍ ଦାବି କରିଛି। ପୁଲିସ୍ର ସୂଚନା ଅନୁସାରେ, ନିଲାୱାୟା ନକ୍ସଲ ଆକ୍ରମଣରେ ସମ୍ପୃକ୍ତ ବହୁ ନକ୍ସଲଙ୍କୁ ପୂର୍ବରୁ ଗିରଫ କରାଯାଇ ସାରିଛି।