ଜେଏନ୍‌ୟୁକୁ ମିଳିଲା ପ୍ରଥମ ମହିଳା କୁଳପତି

ଜେଏନ୍‌ୟୁକୁ ମିଳିଲା ପ୍ରଥମ ମହିଳା କୁଳପତି

ଜେଏନ୍‌ୟୁକୁ ମିଳିଲା ପ୍ରଥମ ମହିଳା କୁଳପତି

ନୂଆଦିଲ୍ଲୀ: ଦେଶର ଅନ୍ୟତମ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ)କୁ ମିଳିଛି ପ୍ରଥମ ମହିଳା କୁଳପତି। ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ ଜେଏନ୍ୟୁର ପ୍ରଥମ ମହିଳା କୁଳପତି ଭାବେ ନିଯୁକ୍ତି ପାଇଛନ୍ତି। ସୋମବାର ଶିକ୍ଷା ମନ୍ତ୍ରଣାଳୟ ତାଙ୍କୁ ଜେଏନ୍ୟୁର କୁଳପତି ଭାବେ ନିଯୁକ୍ତି ଦେଇଛି।

ବର୍ତ୍ତମାନ ପ୍ରଫେସର ପଣ୍ଡିତ ମହାରାଷ୍ଟ୍ରର ସାବିତ୍ରୀବାଇ ଫୁଲେ ବିଶ୍ୱବିଦ୍ୟାଳୟରେ କୁଳପତି ଭାବେ କାମ କରୁଛନ୍ତି। ୫୯ ବର୍ଷୀୟା ଶାନ୍ତଶ୍ରୀ ପଣ୍ଡିତ ଜେଏନ୍ୟୁର ପୂର୍ବତନ ଛାତ୍ରୀ। ସେ ଏମଫିଲ ସହ ଅନ୍ତର୍ଜାତୀୟ ସମ୍ପର୍କ ବିଷୟରେ ଏଠାରେ ପିଏଚଡି କରିଥିଲେ। ଏବେ ତାଙ୍କୁ ଜେଏନୟୁର ପ୍ରଥମ ମହିଳା କୁଳପତି ହେବାର ଆଖ୍ୟା ମିଳିଛି। ସେ ଏହି ପଦରେ ୫ ବର୍ଷ ପାଇଁ କାର୍ୟ୍ୟ କରିବେ। ତାଙ୍କ ନିଯୁକ୍ତି ପତ୍ର ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଥିବା ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

୧୯୮୮ରୁ ପ୍ରଫେସର ପଣ୍ଡିତ ଗୋଆ ବିଶ୍ୱବିଦ୍ୟାଳୟରୁ ତାଙ୍କ ଶିକ୍ଷାଦାନ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୩ରେ ସେ ପୁଣେ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ। ଏକାଧିକ ଏକାଡେମିକ ସଂସ୍ଥାର ବିଭିନ୍ନ ପଦପଦବୀରେ ମଧ୍ୟ ସେ କାର୍ୟ୍ୟ କରିବାର ଅଭିଜ୍ଞତା ରଖିଛନ୍ତି।

ୟୁଜିସି, ଆଇସିଏସଏସ୍ଆରର ସେ ସଦସ୍ୟ ରହିଥିଲେ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭିଜିଟର ନୋମିନି ଭାବେ ଦାୟିତ୍ୱ ତୁଲାଇଛନ୍ତି। ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତଙ୍କ ନେତୃତ୍ୱରେ ୨୯ ଜଣ ଶିକ୍ଷାର୍ଥୀ ପିଏଚଡି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।