ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଏମିତି କହିଲେ ହାଇକୋର୍ଟ
ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଏମିତି କହିଲେ ହାଇକୋର୍ଟ
ଲକ୍ଷ୍ନୌ:ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ଟପିଗଲାଣି। ଏପରି ସ୍ଥିତିରେ ଆସନ୍ତାବର୍ଷ ପ୍ରଥମ ଭାଗରେ ୟୁପି ନିର୍ବାଚନ। ନିର୍ବାଚନୀ, ସଭା, ରାଲିରେ ଶତାଧୀକ ଲୋକ ଏକତ୍ରିତ ହେବାକୁ ଥିବାରୁ ଅଣାୟତ୍ତ ହୋଇପାରେ ଓମିକ୍ରନ୍। ତେଣୁ ନିର୍ବାଚନକୁ ଟାଳିବା ସହ ରାଲି ଉପରେ କଟକଣା ଲଗା ନ ଗଲେ ଏହାର ପରିଣାମ ଦ୍ୱିତୀୟ ଲହରଠୁ ବି ଭୟଙ୍କର ହୋଇପାରେ ବୋଲି ସତର୍କ କରାଇଛନ୍ତି ଆହ୍ଲାହାବାଦ ହାଇକୋର୍ଟ।
ହାଇକୋର୍ଟ ଜଜ ଶେଖର ଯାଦବ କହିଛନ୍ତି ଯେ, ଜୀବନ ଥିଲେ ଦୁନିଆ ଅଛି। ଅଦାଲତରେ ପ୍ରତିଦିନ ଶହ ଶହ ଲୋକଙ୍କ ଭିଡ଼ ହେଉଥିବା ବେଳେ ଏଥିଯୋଗୁ କରୋନା ପୁଣି ଥରେ ବ୍ୟାପିବାର ଆଶଙ୍କା ବ୍ୟକ୍ତି କରିଛନ୍ତି ବିଚାରପତି। ଏଥିସହ ଗତଥରର ଉଦାହାରଣ ଦେବାକୁ ଯାଇ ସେ କହିଛନ୍ତି, ୟୁପି ଗ୍ରାମପଞ୍ଚାୟତ ନିର୍ବାଚନ ଓ ପଶ୍ଚିମବଙ୍ଗ ନିର୍ବାଚନ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଥିଲା। ଯେଉଁମାନଙ୍କ ମଧ୍ୟରୁ ବହୁ ଜଣଙ୍କ ଜୀବନ ମଧ୍ୟ ଚାଲିଗଲା। ବିଭିନ୍ନ ରାଜନୈତିକ ଦଳ ଏବେଠୁ ୟୁପି ବିଧାନସଭା ନିର୍ବାଚନ ନିମନ୍ତେ ରାଲି ଓ ସଭାର ଆୟୋଜନ କରିବାରେ ବ୍ୟସ୍ତ। ଏପରି ଆୟୋଜନରେ ଶତାଧିକ ଲୋକ ରୁଣ୍ଡ ହେଉଥିବା ବେଳେ କୋଭିଡ ପ୍ରୋଟୋକଲ ପାଳନ ଅସମ୍ଭବ ।
ଏଥିସହ ଯେକୌଣସି ପ୍ରକାରେ ନିର୍ବାଚନ ନିମନ୍ତେ ହେବାକୁ ଥିବା ରାଲି ଓ ସଭା ଉପରେ ରୋକ ଲଗାଇବାକୁ ବିଚାରପତି ନିର୍ବାଚନ ଆୟୋଗଙ୍କ ନିକଟରେ ଅନୁରୋଧ କରିଛନ୍ତି। ଏପରିକି ରାଜନୈତିକ ଦଳ ସିଧାସଳଖ ପ୍ରଚାର ନ କରି ଦୁରଦର୍ଶନ କିମ୍ବା ଖବରକାଗଜ ମାଧ୍ୟମରେ ପ୍ରଚାର କରିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ଏଥିସହ ସବୁ ଭାରତୀୟଙ୍କର ବଞ୍ଚିବାର ଅଧିକାର ଥିବା ମଧ୍ୟ ସେ କହିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତାବର୍ଷ ପ୍ରଥମ ଭାଗରେ ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେ ଠାରୁ ରାଜନୀତିକ ଦଳଗୁଡ଼ିକ ଜୋରଦାର ପ୍ରଚାର କରୁଛନ୍ତି। ତେବେ ଦେଶରେ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ କାୟା ବିସ୍ତାର କରୁଥିବା ବେଳେ ନିର୍ବାଚନ ରାଲିରେ ଭିଡ଼ ଜମିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏଥିପାଇଁ ଟିକାକରଣ କାର୍ୟ୍ୟକ୍ରମକୁ ଜୋରଦାର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।




admin 