ୟୁରୋପୀୟ ସାଂସଦଙ୍କ ମତ : କାଶ୍ମୀରରେ ମରୁଥିବା ଅଧିକାଂଶ ଆତଙ୍କୀ ପାକିସ୍ତାନୀ
ୟୁରୋପୀୟ ସାଂସଦଙ୍କ ମତ : କାଶ୍ମୀରରେ ମରୁଥିବା ଅଧିକାଂଶ ଆତଙ୍କୀ ପାକିସ୍ତାନୀ
admin
Oct 31, 2019 - 12:12
Updated: Oct 31, 2019 - 12:12
ଶ୍ରୀନଗର: ଜମ୍ମୁ କାଶ୍ମୀର ଗସ୍ତରେ ଯାଇଥିବା ୟୁରୋପୀୟ ସଂଘର ୨୩ ଜଣ ସାଂସଦ ଆଜି କହିଛନ୍ତି ଯେ କାଶ୍ମୀରରେ ମରୁଥିବା ଆତଙ୍କବାଦୀମାନେ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପାକିସ୍ତାନୀ ନାଗରିକ । ଆତଙ୍କବାଦ ଭାରତର ଆଭ୍ୟନ୍ତରୀଣ ମାମଲା ନୂହେଁ । କାରଣ ୟୁରୋପ ସମେତ ବିଶ୍ୱର ବିଭିନ୍ନ ଭାଗରେ ଆତଙ୍କବାଦ ଆକ୍ରମଣ ହେଉଛି । ଆତଙ୍କବାଦ ବିରୋଧରେ ଚାଲିଥିବା ଲଢେ଼ଇରେ ଆମେ ଭାରତକୁ ସମର୍ଥନ କରୁଛୁ । କାଶ୍ମୀର ଆଫଗାନିସ୍ଥାନ ଭଳିଆ ହେଉ ବୋଲି ଆମେ ଚାହୁଁନା ।
ଶ୍ରୀନଗରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସାଂସଦମାନେ କହିଥିଲେ ଯେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ଭାରତର ଆଭ୍ୟନ୍ତରୀଣ ମାମଲା ଅଟେ । ଭାରତର ରାଜନୀତିରେ ଆମର କୌଣସି ରୁଚି ନାହିଁ । ଆମେ କେବଳ କାଶ୍ମୀରର ସ୍ଥାନୀୟ ଲୋକଙ୍କ ସହିତ ମିଶିବାକୁ ଚାହୁଁଥିଲୁ । ଏହି ଅଞ୍ଚଳର ଲୋକେ ଶାନ୍ତି ଓ ସ୍ଥିରତା ଚାହାନ୍ତି । ସେମାନେ ସରକାରଙ୍କ ଠାରୁ ବହୁତ କିଛି ଆଶ କରନ୍ତି । ସେମାନେ ସ୍କୁଲ ଓ ହସ୍ପିଟାଲ ଆଦି ବହୁ ସଂଖ୍ୟାରେ ନିର୍ମାଣ କରାଯାଉ ବୋଲି ଦାବି କରୁଛନ୍ତି ।ଭାରତ ସରକାର ଏ ଦିଗରେ ପଦକ୍ଷେପ ନେବେ ବୋଲି ଆମେ ଆଶା କରୁଛୁ ।
କାଶ୍ମୀରରେ ଗତକାଲି ୬ ଜଣ ଶ୍ରମିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିବା ଘଟଣାର ନିନ୍ଦା କରି ସେମାନେ କହିଥିଲେ ଯେ ବିଦେଶୀ ମିଡିଆ ଅନେକ ସମୟରେ କାଶ୍ମୀରକୁ ନେଇ ରିପୋର୍ଟ ପ୍ରକାଶ କଲାବେଳେ ପକ୍ଷପାତ କରୁଛନ୍ତି । ସେମାନେ ୟୁରୋପକୁ ଫେରିଲା ପରେ ଏ ନେଇ ଦୃଷ୍ଟି ଆକର୍ଷଣ କରିବେ । ଏହି ସାଂସଦମାନେ ଅଭିଯୋଗ କରିଥିଲେ କି ପାକିସ୍ତାନ ଖ୍ରୀଷ୍ଟିୟାନ ସମୁଦାୟ ଉପରେ ଅତ୍ୟାଚାର କରାଯାଉଛି । ତେବେ ଭାରତ ଓ ପାକିସ୍ତାନ ମଧ୍ୟାରେ ଆଲୋଚନା ଜରିଆରେ ସବୁ ବିବାଦର ସମାଧାନ କରାଯିବା ଉଚିତ ବୋଲି ସେମାନେ ମତ ରଖିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ୟୁରୋପରୁ ୨୭ ଜଣ ସାଂସଦ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏନଏସଏ ଅଜିତ ଡୋଭାଲଙ୍କୁ ଭେଟିଥିଲେ । ସେମାନଙ୍କ ମଧ୍ୟରୁ ୨୩ ଜଣ ପରେ ଜମ୍ମୁ କାଶ୍ମୀର ଗସ୍ତରେ ଯାଉଥିବା ବେଳେ ବାକି ୪ ଜଣ ୟୁରୋପ ପ୍ରତ୍ୟାବର୍ତ୍ତନ କରିଥିଲେ ।