ଆନ୍ଦୋଳନରୁ ହଟିନାହାଁନ୍ତି ଆଇନଜୀବୀ
ଆନ୍ଦୋଳନରୁ ହଟିନାହାଁନ୍ତି ଆଇନଜୀବୀ
ସମ୍ବଲପୁର: ସମ୍ବଲପୁରରେ ଜାରି ରହିବ ଆଇନଜୀବୀଙ୍କ ଆନ୍ଦୋଳନ । ସୁପ୍ରିମକୋର୍ଟଙ୍କ କଡା ତାଗିଦ ଏବଂ କାର୍ୟ୍ୟାନୁଷ୍ଠାନ ପରେ ମଧ୍ୟ ଆନ୍ଦୋଳନରୁ ପଛକୁ ହଟିନାହାଁନ୍ତି ଆଇନଜୀବୀ । ତେବେ କ୍ରିୟାନୁଷ୍ଠାନ କମିଟି ସଭାପତି ପ୍ରଦୀପ ବଇଦାରଙ୍କ ସୂଚନା ଅନୁସାରେ, ଲୋକଙ୍କ ସମର୍ଥନ ନେଇ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ । ତା ସହିତ ବାର୍ କାଉନସିଲ୍ ଇଣ୍ଡିଆ ତାଙ୍କୁ ଲାଇସେନ୍ସ ପ୍ରଦାନ କରିନି । ଓଡିଶା ବାର କାଉନସିଲ ଓକିଲମାନଙ୍କୁ ଲାଇସେନ୍ସ ଦେଇଛି, ତେଣୁ ସେଠୁ ନିର୍ଦ୍ଦେଶ ନଆସିବା ପର୍ୟ୍ୟନ୍ତ ମାନିବୁ ନାହିଁ ବୋଲି ସେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।
ତେବେ ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣାରେ କାର୍ୟ୍ୟାନୁଷ୍ଠାନ ହୋଇଛି । ୧୪ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଏମାନଙ୍କ ମଧ୍ୟରୁ ୯ ଜଣଙ୍କ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର । ଆଗକୁ ଆହୁରି ଗିରଫଦାରୀ ବଢିପାରେ ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ସମ୍ବଲପୁର କଚେରୀ ଛକରୁ ୫୦୦ ମିଟରରେ ୧୪୪ ଧାରା ଜାରି କରାଯାଇଛି । ନିଷିଦ୍ଧାଞ୍ଚଳ ମଧ୍ୟରେ କୌଣସି ସଭାସମିତି ହୋଇପାରିବ ନାହିଁ । ଏହାସହ ୫ ଜଣରୁ ଅଧିକ ଲୋକ ନିଷିଦ୍ଧାଞ୍ଚଳରେ ଏକାଠି ହୋଇପାରିବେ ନାହିଁ । ଏବେ ଘଟଣାସ୍ଥଳରେ ୨୧ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଆବଶ୍ୟକ ହେଲେ ଆହୁରି ଫୋର୍ସ ମୁତୟନ ହୋଇପାରେ ବୋଲି ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ଗତକାଲି ସମ୍ବଲପୁର ବାର ଆସୋସିଏସନର ଆନ୍ଦୋଳନକାରୀ ଓକିଲ କୋର୍ଟରେ ପଶି ଭଙ୍ଗାରୁଜା କରିଥିଲେ ।
ଅନ୍ୟପଟେ ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସକୁ ସସପେଣ୍ଡ କରାଯାଇଛି ।




admin 