ଏଥର୍‌ ବଜା‌ରରେ ନୂଆ ଇଲେକ୍ଟ୍ରିକ୍‌ ସ୍କୁଟର୍‌ ‘ଏଥର୍‌ ୪୫୦ଏସ୍’

ଏଥର୍‌ ବଜା‌ରରେ ନୂଆ ଇଲେକ୍ଟ୍ରିକ୍‌ ସ୍କୁଟର୍‌ ‘ଏଥର୍‌ ୪୫୦ଏସ୍’

ଭାରତୀୟ ଇଲେକ୍ଟ୍ରିକ୍‌ ଗାଡ଼ି ବଜା‌ରରେ ପ୍ରବେଶ କରିଛି ଏଥର୍‌ର ନୂଆ ସ୍କୁଟର୍‌ ‘ଏଥର୍‌ ୪୫୦ଏସ୍‌’। ଏହା ଅନ୍ୟ ଇଭି ତୁଳନାରେ ଦେଖିବାକୁ ଆକର୍ଷଣୀୟ ଓ ଆରାମଦାୟକ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏଥର୍‌ ୪୫୦ଏସ୍‌ ଗୋଟିଏ ଭାରିଆଣ୍ଟ୍‌ ଏବଂ କସ୍‌ମିକ୍‌ ବ୍ଲାକ୍‌, ସଲ୍‌ଟ୍‌ ଗ୍ରିନ୍‌, ସ୍ପେସ୍‌ ଗ୍ରେ ଓ ଷ୍ଟିଲ୍‌ ହ୍ବାଇଟ୍‌ ପରି ୪ଟି ରଙ୍ଗରେ ଉପଲବ୍ଧ। ଏହାର ଏକ୍ସ-ସୋ’ରୁମ୍‌ ମୂଲ୍ୟ ୧,୨୯,୯୯୯ ଟଙ୍କା ରହିଛି। ଏହା ଘଣ୍ଟାପ୍ରତି ସର୍ବାଧିକ ୯୦ କି.ମି. ବେଗରେ ଗତି କରିପା‌ରିବ। ଏହାର ପ୍ରାମାଣିକ ଆଇଡିସି ରେଞ୍ଜ୍‌ ୧୧୫ କି.ମି.। ବ୍ୟାଟେରି ଉପରେ କମ୍ପାନି ପକ୍ଷରୁ ୫ ବର୍ଷର ୱାରେଣ୍ଟି ଦିଆଯାଇଛି। ଏଥିରେ ୭ ଇଞ୍ଚ୍‌ (୧୭.୭୮ ସେ.ମି.)ର ଡିପ୍‌-ଭିୟୁ ଡ୍ୟାସ୍‌ବୋର୍ଡ ଓ ଡୁଆଲ୍‌ ଡିସ୍କ୍‌ ବ୍ରେକ୍‌ ରହିଛି।

ହାଇ-ଏଣ୍ଡ୍‌ ବାଇକ୍‌ ଓ କାର୍‌ରେ ଉପଲବ୍ଧ ଇଏସ୍‌ଏସ୍‌ ଆଲର୍ଟ ଏଥର୍‌ର ଏହି ମଡେଲ୍‌ରେ ରହିଛି। ତେଣୁ ଗାଡ଼ି ଚୋରି ଉଦ୍ୟମ ହେଲେ କିମ୍ବା ଗାଡ଼ି ପ୍ରତି ବିପଦ ଆସିଲେ ଏହାର ପଛ ଲାଇଟ୍‌ ବ୍ଲିଙ୍କ୍‌ ହୋଇ ସତର୍କ କରାଇବ। ଏହାସହ ଯଦି ଗାଡ଼ି କୌଣସି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୁଏ କିମ୍ବା ଚାଳକ ଯଦି ଭାରସାମ୍ୟ ହରାଇ ପଡ଼ିଯା’ନ୍ତି ତେବେ ଗାଡ଼ି ଆଉ ଆଗକୁ ନ ଗଡ଼ି ସେହିଠାରେ ହିଁ ଲକ୍‌ ହୋଇଯିବ ଏବଂ ଗାଡ଼ିର ବିଦ୍ୟୁତ୍‌ ସଂଯୋଗ କଟିଯିବ। ସୁରକ୍ଷା ଦୃଷ୍ଟିରୁ ଦୁର୍ଘଟଣା ସତର୍କତା ପାଇଁ ଆଗୁଆ ଇଣ୍ଡିକେଟର୍‌ ବ୍ଲିଙ୍କ୍‌ ହେବ, ଯାହାଦ୍ବାରା ଚାଳକ ଦୁର୍ଘଟଣାରୁ ବର୍ତ୍ତିପାରିବେ ବୋଲି କମ୍ପାନି କହିଛି। ଉଲ୍ଲେଖଯୋଗ୍ୟ ଯେ ଦେଶରେ ଏଥର୍‌ର ୨୦୦୦ରୁ ଅଧିକ ଚାର୍ଜିଂ ଗ୍ରିଡ୍‌ ରହିଛି।