ବଡ଼ ଖବର: ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିଛନ୍ତି । ଆଜି ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଧିବଦ୍ଧଭାବେ ଶ୍ରୀ ପାଣିଗ୍ରାହୀ ବିଜେପିରେ ଯୋଗଦେଇଛନ୍ତି । ବିଜେପି ରାଜ୍ୟସଭାପତି ମନମୋହନ ସାମଲ ଓ ଦଳର ଅନ୍ୟ ବରିଷ୍ଠ ନେତା ଶ୍ରୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ବିଜେପିକୁ ସ୍ୱାଗତ କରିଥିଲେ ।
ବିଜେପିରେ ଯୋଗଦେବା ପରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ଆଜି ମୋ ପାଇଁ ଏକ ଗୌରବର ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ସାମିଲ ହେଲି । ବର୍ତ୍ତମାନର ସମୟ ହେଉଛି ଏକ ପରିବର୍ତ୍ତନର ସମୟ । ବର୍ତ୍ତମାନର ସମୟ ଏକ ସୁଦୃଢ ଭାରତ ଓ ଏକ ସୁଦୃଢ ଓଡ଼ିଶା ଗଠନର ସମୟ । ଓଡ଼ିଶାବାସୀ ବିଗତ ଦିନରେ ସବୁ ଦଳକୁ ସୁଯୋଗ ଦେଇଛନ୍ତି । ମୁଁ ଏବେ ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି ଯେ ବିଜେପିକୁ ଚଳିତ ନିର୍ବାଚନରେ ସୁଯୋଗ ଦିଅନ୍ତୁ । ଓଡ଼ିଶାକୁ ଦାଦନମୁକ୍ତ କରିବା ପାଇଁ ବିଜେପିକୁ ସୁଯୋଗ ଦିଅନ୍ତୁ । ଓଡ଼ିଶାକୁ ଆଗକୁ ବଢାଇବାକୁ ବିଜେପି ଓଡ଼ିଶାବାସୀ ବିଜେପିକୁ ସୁଯୋଗ ଦିଅନ୍ତୁ ।ଲୋକଙ୍କ ସରକାର ଲୋକଙ୍କ ପାଇଁ କାମ କରିବ । ଓଡ଼ିଶାରେ ଏବେ ପରିବର୍ତ୍ତନର ସମୟ ଆସିଛି । ଅନ୍ଧ, ମୂକ, ବଧୀର, ଗର୍ବୀ ଓ ଅହଙ୍କାରୀ ସରକାରଙ୍କୁ ହଟାଇବା । ଏକଛତ୍ରବାଦୀ ସରକାର ହଟାଇ ଗଣତନ୍ତ୍ର ସରକାର ଆଣିବା । ବିଜେପିକୁ ଥରେ ଟିଏ ସୁଯୋଗ ଦିଅନ୍ତୁ, ନୂଆ ସରକାର ଆଣନ୍ତୁ ।
ପ୍ରକାଶ ଯେ ୨୦୨୦ ମସିହା ନଭେମ୍ବର ୨୦ ତାରିଖରେ ଦଳ ବିରୋଧୀ କାର୍ୟ୍ୟ ପାଇଁ ପ୍ରଦୀପଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିଲା। ବିଜେଡିରୁ ବହିଷ୍କୃତ ହେବା ପରଠୁ ପ୍ରଶାସନିକ କାର୍ୟ୍ୟରେ ପ୍ରଦୀପଙ୍କୁ ଅଣଦେଖା କରାଯାଉଥିଲା। ବିଜେଡିରୁ ବହିଷ୍କୃତ ହେବା ପରେ ଶ୍ରୀ ପାଣିଗ୍ରାହୀ ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଆସୁଥିଲେ । ଏପରିକି ସାରା ରାଜ୍ୟ ଏବେ ଗେରୁଆମୟ ହେବାକୁ ଯାଉଥିବା ସେ କହିଥିଲେ । ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେ ବିଜେପି, ବିଜେଡି ଓ କଂଗ୍ରେସରେ ମିଶ୍ରଣ ପର୍ବ ଜୋର ଧରିଛି ।