ସମ୍ପୂର୍ଣ୍ଣ ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ!
ଭୁବନେଶ୍ୱର: କଟକସ୍ଥିତ ବାରବାଟୀ ଷ୍ଟାଡିୟମ ସମ୍ପୂର୍ଣ୍ଣଭାବେ ଭଙ୍ଗାଯିବ । ପ୍ରଥମେ ଷ୍ଟାଡିୟମକୁ ସମ୍ପୂର୍ଣ୍ଣଭାବେ ଭଙ୍ଗାଯିବ । ଆଉ ତା’ପରେ ନୂଆ କରି ଷ୍ଟାଡିୟମ ନିର୍ମାଣ ହେବ । ଭଙ୍ଗାଯିବା ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ଷ୍ଟାଡିୟମକୁ ଭଙ୍ଗାଯାଇ ସମ୍ପୂର୍ଣ୍ଣ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯିବ । ନୂଆ ଷ୍ଟାଡିୟମ କରାଯାଇ ଅଧିକ ଦର୍ଶକ କ୍ଷମତା ବୃଦ୍ଧି କରାଯିବ । ଏବେ ୪୨ ହଜାର ଦର୍ଶକ କ୍ଷମତା ରହିଛି । ତେବେ ଆଗକୁ ଏହାକୁ ୬୦ ହଜାରକୁ ବୃଦ୍ଧି କରାଯିବ । ଷ୍ଟାଡିୟମର ମୂଳ ଭିତ୍ତି ୧୯୫୨ ମସିହାରେ ତିଆରି ହୋଇଥିଲା । ସମ୍ପୂର୍ଣ୍ଣ ଭଙ୍ଗାନଗଲେ ନୂଆ କରି ତିଆରି କରାଯାଇପାରିବନି ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।
ପ୍ରକାଶ ଯେ ଆଗାମୀ ତିନି ବର୍ଷ ମଧ୍ୟରେ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମର ମାନ୍ୟତା ପାଇବ ଐତିହାସିକ ବାରବାଟୀ ଷ୍ଟାଡିୟମ । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ବାରବାଟୀ ଷ୍ଟାଡିୟମ ବୁଲି ନୂଆ ପ୍ରକଳ୍ପର ବ୍ଲୁପ୍ରିଣ୍ଟ ଦେଖିଥିଲେ। ଏଥି ସହିତ ପିଚ, ଗ୍ରାଉଣ୍ଡ, ଗ୍ୟାଲେରୀର ସ୍ଥିତି ଅନୁଧ୍ୟାନ କରିଥିଲେ। ସାଥିରେ ବିଜେଡିର ସାଂଗଠନିକ ସଂପାଦକ ତଥା ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ଓସିଏ ସମ୍ପାଦକ ସଂଜୟ ବେହେରା ,କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ଷ୍ଟାଡିୟମ ବୁଲି ଦେଖିଥିଲେ।
ପିଚ ଉପରେ ପାଣ୍ଡିଆନ ରଣଜୀ ଖେଳାଳି ଓ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ କରିବେ। ପରେ ତିନି ବର୍ଷ ମଧ୍ୟରେ ଷ୍ଟାଡିୟମ କାମ ଶେଷ ହେବ । ନବୀକରଣ ପ୍ରକଳ୍ପ ଅଧିନରେ ବାରବାଟୀର ପୁରୁଣା ଗ୍ୟାଲେରୀ ସବୁ ଭଙ୍ଗା ହୋଇ ନୂଆ ହେବ। ପରେ ପୁରା ଷ୍ଟାଡିୟମରେ ଦର୍ଶକ ପାଇଁ ୬୦ ହଜାର ନୂଆ ଚେୟାର ଲାଗିବ।
ଏଥି ସହିତ ପଡିଆ ଭିତରର ସୌନ୍ଦର୍ୟ୍ୟକରଣ ହେବ। ଏଥି ସହିତ ଡ୍ରେସିଂ ରୁମ, ଜିମ, ସୁଇମିଂ ପୁଲ, ଇଣ୍ଡୋର ଗେମର ବ୍ୟବସ୍ଥା ହେବ। ଏଥି ସହିତ ଷ୍ଟାଡିୟମ ବାହାରର ସୌନ୍ଦର୍ୟ୍ୟକରଣ ସହ ଅନ୍ୟାନ୍ୟ ଖେଳର ଭିତ୍ତିଭୂମି ବିକାଶ କରାଯିବ।