ପୋଲିସ-ମହିଳା କଂଗ୍ରେସ ଧସ୍ତାଧସ୍ତି
ଭୁବନେଶ୍ୱରରେ : ଭୁବନେଶ୍ୱରରେ ମହିଳା କଂଗ୍ରେସର ଗର୍ଜନ । ନବୀନ ନିବାସ ଘେରିବା ପାଇଁ ଗଲାବେଳେ ମହିଳା କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୋଲିସ । ଯାହାକୁ ନେଇ ମହିଳା କଂଗ୍ରେସ କର୍ମୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ଲଗାଇଥିବା ବ୍ୟାରିକେଡ୍ ପ୍ରତିହତ କରି ମହିଳା କର୍ମୀ ଆଗକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଅଟାଇଛି । ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।
ସେପଟେ, ମହିଳା କଂଗ୍ରେସର ସଭାପତି ଅଳକା ଲାମ୍ବା କହିଛନ୍ତି, ଏଠି ମିଶନ ଶକ୍ତି ଫେଲ ମାରିଛି । ମହିଳାଙ୍କୁ ରାସ୍ତାରେ ଅଟକାଇ ଲୋକତନ୍ତ୍ରକୁ ହତ୍ୟା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ପୋଲିସ ପ୍ରଶାସନ ସହାୟତା କରିବା ବଦଳରେ ଆମକୁ ଅଟକାଉଛନ୍ତି ।
ରାଜଧାନୀରେ ବିଶାଳ ସମାବେଶ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଏଆଇସିସି ମହିଳା ସଭାନେତ୍ରୀ ଅଳକା ଲାମ୍ବା । କହିଛନ୍ତି, ଏ ଉଭୟ ସରକାର ଶ୍ରମିକ ମାରକ ସରକାର । ରାଜ୍ୟରେ ମହିଳା ସଂଖ୍ୟା ସମୁଦାୟ ଜନସଂଖ୍ୟାର ଅର୍ଦ୍ଧେକ । କିନ୍ତୁ ସେମାନଙ୍କ ସୁରକ୍ଷା ପ୍ରତି ବିଜେଡି ଶାସିତ ସରକାରଙ୍କ ନିଘା ନାହିଁ । ୨୫ ବର୍ଷରେ ସେମାନଙ୍କ ଅବସ୍ଥାରୁ ଖରାପରୁ ଅଧିକ ଖରାପ ହୋଇଛି । ଦେଶରେ ୨ ବର୍ଷ ମଧ୍ୟରେ ପାଖାପାଖି ୧୦ ଲକ୍ଷ ଝିଅ ନିଖୋଜ ହୋଇଥିବାବେଳେ ସେଥିରେ ଓଡିଶାର ଝିଅ ମଧ୍ୟ ଅଛନ୍ତି । କିନ୍ତୁ ସେମାନଙ୍କ ଉଦ୍ଧାର କରିବାରେ ରାଜ୍ୟ ସରକାର ଉଦାସୀନ ।
ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀର ନାଁ ନେଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଆଳରେ ମହିଳାଙ୍କୁ ଲୁଟୁଛନ୍ତି ସରକାର । ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମୂଳୋତ୍ପାଟନ କରିବାକୁ ପଡିବ । ଏହା କେବଳ ମହିଳାମାନେ ହିଁ କରିପାରିବେ ବୋଲି ଆଡ୍ୱାନ ଦେଇଛନ୍ତି ଅଳକା ଲାମ୍ବା ।