ରେକର୍ଡ କଲେ ନବୀନ
ଭୁବନେଶ୍ୱର : ରାଜନୀତିରେ ରେକର୍ଡ ପରେ ରେକର୍ଡ ସୃଷ୍ଟି କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସେ ନମ୍ବର ୱାନ ହୋଇଛନ୍ତି । ସବୁଠାରୁ ଅଧିକ ଦିନ ଧରି ଓଡ଼ିଶାର ସେ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଖାଲି ଓଡ଼ିଶାରେ ନୁହେଁ ଦେଶରେ ବି ନବୀନ ରେକର୍ଡ ସୃଷ୍ଟି କରିଛନ୍ତି । ନବୀନ ଏବେ ଦେଶର ଅନ୍ୟତମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କୁ ପଛରେ ପକାଇ ଦେଇଛନ୍ତି ।
ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବାରେ, ସେ ଏବେ ଦେଶର ଦୁଇ ନମ୍ବର ନେତାର ମାନ୍ୟତା ପାଇଛନ୍ତି । ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଂ । ସେ ସର୍ବାଧିକ ୨୪ ବର୍ଷ ୧୬୬ ଦିନ ମୁଖ୍ୟମନ୍ତ୍ରୀ ଥିଲେ । ୨୦୨୪ରେ ବାଜିମାତ କଲେ ନବୀନ ନୂଆ ରେକଡର଼୍ ସୃଷ୍ଟି କରିବେ । ଯାହା ଭାଙ୍ଗିବା ଅନ୍ୟ ନେତାଙ୍କ ପାଇଁ ମୁସ୍କିଲ ହୋଇପଡ଼ିବ ବୋଲି କୁହାଯାଉଛି ।
୨୦୦୦ ମସିହା ମାର୍ଚ୍ଚ ୫ରେ ନବୀନ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେବେଠାରୁ ନବୀନ ୫ ଥର ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ବିଜେଡ଼ି ପୁଣି ସରକାର ଗଠନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ନବୀନ ଚାମଲିଂଙ୍କ ରେକର୍ଡ ଭାଙ୍ଗି ଏକ ନମ୍ବର ହେବେବୋଲି ଆଶା କରାଯାଉଛି । ଏକଦା ରାଜନୀତିର ପାଖ ମାଡୁନଥିଲେ ନବୀନ । ଦିଲ୍ଲୀର ସମ୍ଭ୍ରାନ୍ତ ବର୍ଗଙ୍କ ମଧ୍ୟରେ ନବୀନ ବେଶ ପରିଚିତ ଥିବାବେଳେ ବିଜୁବାବୁଙ୍କ ପରଲୋକ ପରେ ରାଜନୀତିକୁ ଆସିଥିଲେ ।
ଆରମ୍ଭରୁ ହିଁ ସେ ସଫଳତାର ସ୍ୱାଦ ଚାଖିଥିଲେ । ପ୍ରଥମେ ସାଂସଦ ଓ ପରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ୨୦୦୦ ମସିହାରୁ ଓଡ଼ିଶାରେ ଆରମ୍ଭ ହୋଇ ଯାଇଥିଲା ନବୀନ ଯୁଗ । ନବୀନଙ୍କ ସ୍ଥାୟୀତ୍ୱ ନେଇ ସେତେବେଳେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କିନ୍ତୁ ସମସ୍ତଙ୍କୁ ଚକିତ କରି ନବୀନ ଏବେବି ଅପରାଜେୟ ରହିଛନ୍ତି । ଖାଲି ଓଡ଼ିଶା ରାଜନୀତିରେ ନୁହେଁ ଜାତୀୟ ରାଜନୀତିରେ ବି ନବୀନ ବେଶ ପ୍ରଭାବ ବିସ୍ତାର କରିଛନ୍ତି । ଦେଶର ଅନ୍ୟତମ ଲୋକପ୍ରିୟ ନେତାଙ୍କ ତାଲିକାରେ ବି ନବୀନ ରହିଛନ୍ତି ।