ଆଜି ମାଲକାନଗିରି ବିମାନବନ୍ଦର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି:ମଙ୍ଗଳବାର ମାଲକାନଗିରି ବିମାନବନ୍ଦରର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ । ବିମାନବନ୍ଦର ଉଦଘାଟନ ସହିତ ରୂପାନ୍ତରଣ ଅଧ୍ୟାୟରେ ମାଲକାନଗିରି ଲେଖିବ ନୂଆ ଇତିହାସ । ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ସହଜରେ ପହଞ୍ଚି ପାରିବ ।
୧୦୬ ହେକ୍ଟର ଜମିରେ ମାଲକାନଗିରି ବିମାନବନ୍ଦର ନିର୍ମିତ ହୋଇଛି । ଏଥିରେ ପ୍ରାୟ ୧୬୨୦ ମିଟର ରନଓ୍ବେ ରହିଛି । ଆବଶ୍ୟକ ପଡ଼ିଲେ ଏହାକୁ ୩ କିଲୋମିଟର ପର୍ୟ୍ୟନ୍ତ ସଂପ୍ରସାରଣ କରାଯାଇପାରିବ । ଏହି ବିମାନବନ୍ଦରରେ ମଧ୍ୟମ ବର୍ଗର ଉଡାଜାହାଜ ଅବତରଣ କରିପାରିବା ସୁବିଧା ରହିଛି । ମାତ୍ର ୧୪ ମାସରେ ୫୪ କୋଟି ଟଙ୍କା ବ୍ୟୟରେ ଏୟାରପୋର୍ଟ ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଛି । ବିମାନ ବନ୍ଦରର ସମସ୍ତ ନିର୍ମାଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି ।
ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉତ୍କେଲା, ରାଉରକେଲା ପରେ ମାଲକାନଗିରି ଆକାଶପଥ ବା ବିମାନ ଉଡ଼ାଣ ସୂଚୀରେ ସାମିଲ ହେବାକୁ ଯାଉଛି । ବିମାନ ସେବା ଆରମ୍ଭ ହେଲେ ଜିଲ୍ଲାରେ ସାମାଜିକ ଓ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ । ପୂର୍ବରୁ ପରୀକ୍ଷା ମୂଳକ ଭାବେ ଭିଟି-୧୦୦ ବିମାନ ଅବତରଣ କରିଥିଲା । ଟ୍ରାଏଲ ରନ୍ ସଫଳ ସହ ଭିତ୍ତିଭୂମିକୁ ସମସ୍ତେ ପ୍ରଶଂସା କରିଥିଲେ ପାଇଲଟ ।