ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ଉପରକୁ ଟମୋଟୋ ମାଡ଼

ଭୁବନେଶ୍ୱର: ହାଇଟେକ ମେଡିକାଲରେ ବିସ୍ଫୋରଣରେ ମୃତକଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ ଘଟଣାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଘର ଉପରକୁ ଟମାଟୋ ମାଡ଼ କରାଯାଇଛି । ଗତକାଲି ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ କରାଯାଇଥିବାବେଳେ ଆଜି ଅଲ ଓଡ଼ିଶା ଷ୍ଟୁଡେଣ୍ଡ ଭଏସ ସଂଗଠନ ପକ୍ଷରୁ ଟମାଟୋ ମାଡ଼ କରାଯାଇଛି । ସଂଗଠନ ପକ୍ଷରୁ ମନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥ ସରକାରୀ ବାସଭବନ ଉପରକୁ ଟମାଟୋ ମାଡ଼ କରାଯାଇଛି । ହାଇଟେକ ହସ୍ପିଟାଲର ଲାଇସେନ୍ସ ରଦ୍ଧ ସହ ମାଲିକଙ୍କୁ ଗିରଫ କରାଯିବା ଦାବିରେ ଟମାଟୋ ମାଡ଼ କରାଯାଇଛି ।
ପ୍ରକାଶ ଯେ ଗତକାଲି ଛାତ୍ର କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥ ସରକାରୀ ବାସଭବନ ଉପରକୁ ଅଣ୍ଡାମାଡ଼ କରାଯାଇଥିଲା । ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ପ୍ରଥମେ ଏକ ଶୋଭାଯାତ୍ରାରେ ଆସି ମନ୍ତ୍ରୀଙ୍କ ବାସଭବନ ଆଗରେ ଆନେ୍ଦାଳନ କରିଥିଲେ । ପରେ ବାସଭବନ ଉପରକୁ ଅଣ୍ଡାମାଡ଼ କରିଥିଲେ ।
ହାଇଟେକ ଟ୍ରାଜେଡି ଘଟଣାରେ ସମ୍ପୃକ୍ତ ହସ୍ପିଟାଲର ଲାଇସେନ୍ସକୁ ରଦ୍ଧ କରାଯିବାକୁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା । ଏଥିସହ ହସ୍ପିଟାଲର ମାଲିକ ତିରୁପତି ପାଣିଗ୍ରାହୀଙ୍କୁ ଗିରଫ କରାଯିବାକୁ ମଧ୍ୟ ଦାବି କରାଯାଇଥିଲା ।
ତୁରନ୍ତ ତିରୁପତି ପାଣିଗ୍ରାହୀଙ୍କୁ ଗିରଫ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାନଗଲେ ଆଗାମୀ ଦିନରେ ନବୀନ ନିବାସ ଘେରାଉ କରାଯିବାକୁ ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଥିଲା ।