ସାର୍କ ଠାରୁ ୩୦୦ ଗୁଣ ଘାତକ ମଣିଷ

ନୂଆଦିଲ୍ଲୀ : ମଣିଷମାନେ ଉଚ୍ଚମାନର ଶିକାରୀ ଭାବେ ଜଣାଶୁଣା। ତେବେ ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ମଣିଷର ଏହି ଶିକାରୀ ଗୁଣ ଉପରେ ଏକ ତୁଳନାତ୍ମକ ଚିତ୍ର ରଖିଛନ୍ତି। ଗବେଷକମାନଙ୍କ ଆକଳନ ଅନୁଯାୟୀ, ଆମେ ଖାଦ୍ୟ, ଔଷଧ ଅଥବା ଗୃହପାଳିତ ପଶୁ ଭାବରେ ରଖିବା ଲାଗି ପ୍ରାୟ ଏକ-ତୃତୀୟାଂଶ ବନ୍ୟଜନ୍ତୁଙ୍କୁ ଶୋଷଣ କରିଥାଉ। ସେଥିଯୋଗୁଁ ପ୍ରାୟ ଅର୍ଦ୍ଧେକ ବନ୍ୟଜନ୍ତୁ ବିଲୁପ୍ତ ହେବାର ଆଶଙ୍କା ରହିଛି।
ହ୍ବାଇଟ୍ ସାର୍କ ପରି ପ୍ରାକୃତିକ ଶିକାରୀମାନଙ୍କ ଅପେକ୍ଷା ଆମେ ଶହ ଶହ ଗୁଣ ଅଧିକ ବିପଜ୍ଜନକ ବୋଲି ବୈଜ୍ଞାନିକମାନଙ୍କ ମତ।ଏହାର ପରିଣତି ଅତି ସାଂଘାତିକ ବୋଲି ଭବିଷ୍ୟବାଣୀ କରିବା ସହ ସମଗ୍ର ପର୍ଯ୍ୟାବରଣ ପ୍ରଣାଳୀ ପାଇଁ ଏହା ଗଭୀର ସଂକଟଜନକ ବିଷୟ ବୋଲି ମଧ୍ୟ ସେମାନେ ସତର୍କ କରିଛନ୍ତି ଏ ବାବଦରେ ଅକ୍ସଫୋର୍ଡସାୟାରର ଵାଲିଂଫୋର୍ଡ ସ୍ଥିତ ୟୁକେ ସେଣ୍ଟର ଫର ଇକୋଲୋଜି ଆଣ୍ଡ୍ ହାଇଡ୍ରୋଲୋଜିର ଗବେଷକମାନଙ୍କୁ ମିଳିଥିବା ନିର୍ଯାସ ସେମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି।
ଏହି ଗବେଷକମାନେ ପ୍ରାୟ ୫୦,୦୦୦ ପ୍ରକାରର ସ୍ତନ୍ୟପାୟୀ, ପକ୍ଷୀ, ସରୀସୃପ ଏବଂ ଉଭୟଚରଙ୍କୁ ସେମାନଙ୍କ ଅନୁଧ୍ୟାନରେ ସାମିଲ କରି ତଥ୍ୟ ବିଶ୍ଳେଷଣ କରିଥିଲେ।ଏହି ସବୁ ପ୍ରାଣୀଙ୍କୁ ମଣିଷ ନିଜର ଖାଦ୍ୟ, ଔଷଧ କିମ୍ବା ପୋଷାକ ପ୍ରସ୍ତୁତି ସମେତ ଗୃହପାଳିତ ପଶୁ ବ୍ୟବସାୟ ପାଇଁ ବିନିଯୋଗ କରି ଆସୁଥିବା କୁହାଯାଇଛି। ସେମାନଙ୍କ ଅନୁଧ୍ୟାନର ନିର୍ଯାସ ହେଲା, ଆମେ ନିଜର ବ୍ୟବହାର କିମ୍ବା ବାଣିଜ୍ୟ ପଇଁ ପ୍ରାୟ ୧୪,୬୬୩ ପ୍ରଜାତିର ଜୀବଙ୍କୁ ଉପଯୋଗ କରିଥାଉ, ଯାହା ମୋଟ ମେରୁଦଣ୍ଡୀ ପ୍ରାଣୀଙ୍କ ସଂଖ୍ୟାର ଏକ-ତୃତୀୟାଂଶ।
ସେହିପରି ସେମାନଙ୍କ ଭିତରୁ ୩୯ ପ୍ରତିଶତ ପ୍ରାଣୀ ବିଲୁପ୍ତ ହେବାକୁ ବସିଛନ୍ତି। ଆମର ଏଭଳି ନକାରାତ୍ମକ ପ୍ରଭାବ ଗ୍ରେଟ୍ ହ୍ବାଇଟ ସାର୍କ କି ସିଂହ କିମ୍ବା ବାଘ ପରି ଶୀର୍ଷସ୍ଥାନୀୟ ଶିକାରୀମାନଙ୍କ ତୁଳନାରେ ୩୦୦ ଗୁଣ ଅଧିକ ହେବ ବୋଲି ଗବେଷକମାନେ ଆକଳନ କରିଛନ୍ତି। ସମ୍ପ୍ରତି ପୃଥିବୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ମନୁଷ୍ୟର ପ୍ରଭାବ ଇତିହାସର ଯେ କୌଣସି ସମୟ ତୁଳନାରେ ସର୍ବାଧିକ ରହିଛି।