ମା’ କ୍ଷୀରରେ ତିଆରି ହେବ ଆଣ୍ଟିବଡ଼ି
ମା’ କ୍ଷୀରରେ ତିଆରି ହେବ ଆଣ୍ଟିବଡ଼ି
admin
May 11, 2020 - 10:41
Updated: May 11, 2020 - 10:41
ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଟିକା ତଥା ଏହାର ଉପଚାର ପାଇଁ ଔଷଧ ପ୍ରସ୍ତୁତ କରିବାକୁ ଦେଶବ୍ୟାପୀ ବୈଜ୍ଞାନିକ ଅଣ୍ଟା ଭିଡିଛନ୍ତି । ଏପରି ସ୍ଥଳେ ମା କ୍ଷୀରରୁ କରୋନା ଚିକିତ୍ସା ନିମନ୍ତେ କେତେକ ବୈଜ୍ଞାନିକ ଚେଷ୍ଟା ଚଳାଇଛନ୍ତି । ମା’କ୍ଷୀରରେ ଥିବା ଆଣ୍ଟିବଡ଼ିକୁ ବ୍ୟବହାର କରି ଔଷଓ ପ୍ରସ୍ତୁତ କରିବାକୁ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପରୀକ୍ଷା କରାଯାଉଛି । ଦ ଜର୍ନାଲ ଅଫ କ୍ଲିନିକାଲ ମାଇକ୍ରୋବାୟୋଲୋଜିରେ ପ୍ରକାଶିତ ଗବେଷଣା ରିପୋର୍ଟ ମୁତାବକ, କରୋନା ସଂକ୍ରମିତ ମହିଳାଙ୍କ କ୍ଷୀରରେ କରୋନା ବିରୋଧରେ ଆଣ୍ଟିବଡ଼ି ରହିଥାଏ । ଏହା ଶିଶୁକୁ କରୋନା ସଂକ୍ରମଣ ହେବାରୁ ରକ୍ଷା କରିପାରିବ । ଏହି କାରଣରୁ କରୋନା ସଂକ୍ରମିତ ମା’କ୍ଷୀର ସୁସ୍ଥ ଶିଶୁକୁ ଦେବା ଲାଗି ବର୍ତ୍ତମାନ ସୁଦ୍ଧା ବାରଣ କରାଯାଇପାହିଁ । ବରଂ କରୋନା ସଂକ୍ରମିତ ହୋଇଥିବା ମା’କ୍ଷୀର ପିଇଲେ ଶିଶୁ ଶରୀରରେ କରୋନା ସହ ଲଢ଼ିବାର ଶକ୍ତି ସୃଷ୍ଟି ହୋଇପାରିବ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି । ମା’କ୍ଷୀର ଜରିଆରେ ଭାଇରସ ସଂଚାରଣ ହୋଇନଥାଏ । ଏହା ବ୍ୟତୀତ ମା କ୍ଷୀର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । କରୋନା ସହ ଲଢ଼ିବା ପାଇଁ ସମସ୍ତଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ବର୍ତ୍ତମାନ ଗୁରୁତ୍ୱ ଦିଆଯାଉଛି । ଏଣୁ ମା କ୍ଷୀରରେ ଥିବା ବିଭିନ୍ନ ଉତ୍ପାଦ ସାହାଯ୍ୟରେ ସମସ୍ତଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ଔଷଧ ପ୍ରସ୍ତୁତ କରାଯାଇପାରିବ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି ।