ନିର୍ବାଚନ ପାଇଁ ସୀମାନ୍ତ ଅଂଚଳ ସିଲ୍

ନିର୍ବାଚନ ପାଇଁ ସୀମାନ୍ତ ଅଂଚଳ ସିଲ୍

ନିର୍ବାଚନ ପାଇଁ ସୀମାନ୍ତ ଅଂଚଳ ସିଲ୍
ମାଲକାନଗିରି : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଆଉ ଦିନକ ପରେ ଭୋଟ୍ । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା (୧୪୭) ଓ ମାଲକାନଗିରି (୧୪୬) ବିଧାନସଭା ଆସନ ସହ ନବରଙ୍ଗପୁର ଲୋକସଭା ଆସନ ପାଇଁ ୫୪୦ଟି ବୁଥ୍ ରେ ମତଦାନ ହେବ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାରେ ୧୯୮ଟି ବୁଥ୍ ମାଓ ପ୍ରବଣ ଅଂଚଳରେ ରହିଛି । ଏସବୁ ସମ୍ବେଦନଶୀଳ ବୁଥ୍ ରେ ସିସିଟିଭି ଓ ଭିଡ଼ିଓ ରେକର୍ଡ଼ିଂ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳିର ସ୍ୱାଭିମାନ ଅଂଚଳ, ଖଇରପୁଟ ବ୍ଲକର ବଣ୍ଡାଘାଟି ଓ ମାଥିଲି ବ୍ଲକର ମହୁଲପଦର ମାଓ ପ୍ରବଣ ଅଂଚଳ ହୋଇଥିବା ବେଳେ ମାଲକାନଗିରି ନିର୍ବାଚନମଣ୍ଡଳୀର କାଲିମେଳା ଓ ପଡ଼ିଆ ବ୍ଲକର ଅଧିକାଂଶ ଅଂଚଳ ନକ୍ସଲ ପ୍ରଭାବିତ ରହିଛି । ମାଓ ପ୍ରବଣ ଅଂଚଳ ସହିତ ଅନ୍ୟାନ୍ୟ ଅଂଚଳରେ ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ପରିଚାଳନା କରିବା ନେଇ ଜିଲ୍ଲାରେ ଥିବା ୪ ବାଟାଲିଅନ ବିଏସଏଫ ଯବାନ, ଜିଲ୍ଲା ପୋଲିସ କର୍ମଚାରୀ ଥିବାବେଳେ ଆଉ ଅଧିକ ୯ କମ୍ପାନୀ କେନ୍ଦ୍ରୀୟ କଳକୁ ମଧ୍ୟ ନିୟୋଜିତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ ବୁଥ୍ ରେ ଆବଶ୍ୟକ ସଂଖ୍ୟକ ପୋଲିସ କର୍ମଚାରୀଙ୍କୁ ମୁତୟନ କରିବାକୁ ନିଷ୍ପତି ନିଆଯାଇଛି । ଅନ୍ୟପକ୍ଷରେ ଆନ୍ଧ୍ର-ଛତିଶଗଡ଼, ତେଲେଙ୍ଗାନା ସୀମାକୁ ସିଲ୍ କରାଯାଇ ଏରିଆ ଡୋମିନେସନ ଓ ବିଶାଖାପାଟଣା, ଭଦ୍ରାଚଳମ୍, ସୁକୁମା, ବସ୍ତର ଓ କୋରାପୁଟ ଜିଲ୍ଲା ଏସପିଙ୍କ ସହ ସମନ୍ୱୟ ରକ୍ଷା ପୂର୍ବକ ସୀମାନ୍ତ ଅଂଚଳରେ ମିଳିତ ଭାବେ କମ୍ବିଂ ଅପରେସନ କରାଯାଉଥିବା ନେଇ ମାଲକାନଗିରି ଏସପି ଜଗମୋହନ ମୀନା ପ୍ରକାଶ କରିଛନ୍ତି । ଜିଲ୍ଲାର ଉଭୟ ପ୍ରବେଶ ପଥକୁ ପୋଲିସ ନାକାବନ୍ଦୀ କରିଛି । ସେହି ରୁଟ୍ ଦେଇ ଯାତାୟାତ କରୁଥିବା ଯାନବାହନ ଗୁଡିକୁ ଖାନତଲାସି କରି ଛଡାଯାଉଛି । ଅପରାଧ ନିୟନ୍ତ୍ରଣ ପାଇଁ ଗ୍ରାମାଚଂଳ ଓ ସହରାଚଂଳରେ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରି ଅସାମାଜିକ ଓ ଅପରାଧୀଙ୍କ ଉପରେ କଡ଼ା ନଜର ରଖିଛି । ନିର୍ବାଚନ ବେଳେ ଭୋଟରଙ୍କୁ ମଦ ଦେଇ ରାଜନୈତିକ ଦଳ ଯେପରି ପ୍ରଭାବିତ ନକରିବେ ସେନେଇ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଉଛି । ଆଜି ଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଦେଶୀ ଓ ବିଦେଶୀମଦ ଦୋକାନ ଗୁଡିକୁ ବନ୍ଦ କରାଯାଇଥିବା ଏସପି ଶ୍ରୀ ମୀନା କହିଛନ୍ତି । ଅପରପକ୍ଷରେ ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ୩୭୮୦ ଜଣ ପୁଲିଂ କର୍ମଚାରୀ ମାନଙ୍କ ମଧ୍ୟରୁ ଆଜି ଅଧିକାଂଶ ଇଭିଏମ୍ ମେସିନ ଓ ଅନ୍ୟାନ୍ୟ କାଗଜପତ୍ର ସହ ନିଜ ନିଜ ବୁଥ୍ କୁ ଯାଇ ସାରିଛନ୍ତି । ଚଳିତ ଥର ନିର୍ବାଚନରେ ପୋଲିସ ଓ ପୁଲିଂ କର୍ମଚାରୀମାନଙ୍କୁ ନେବା ଆଣିବା କରିବା ପାଇଁ କଟକ, ଭୁବନେଶ୍ୱରରୁ ୧୯୩ଟି ବସ୍, ବଲାଙ୍ଗିରରୁ ୭୦ଟି ବୋଲେରୋ ଗାଡି ଆସୁଥିବା ବେଳେ ଜିଲ୍ଲାର ପ୍ରାୟ ୩୦ଟି ବସ୍ ଓ ୧୦୦ରୁ ଉଦ୍ଧ୍ୱର୍ ଚାରିଚକିଆ ଗାଡିର ବନ୍ଦୋବସ୍ତ ହୋଇଛି । ସଦର ମହକୁମାରେ ଥିବା ୫ଟି ପେଟ୍ରୋଲ୍ ପମ୍ପ ମଧ୍ୟରୁ ତିନୋଟି ପେଟ୍ରୋଲ୍ ପମ୍ପରେ ଆଜି ତେଲ ନଥିବା ଯୋଗୁଁ କେବଳ ନିର୍ବାଚନ କାର୍ଯ୍ୟରେ ବ୍ୟବହୃତ କେତେକ ଗାଡିରେ ତେଲ ପକାଗଲା । ଏପରି ସ୍ଥିତିରେ ଆଉ ତେଲ ମିଳିବନି ଭୟରେ ଅନ୍ୟ ଦୁଇଟି ପମ୍ପରେ ତେଲ ପକାଇବା ପାଇଁ ମୋଟର ସାଇକେଲ ଓ ଚାରିଚକିଆ ଗାଡିର ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା ।