୩୫ କୋଟି ଟଙ୍କାର ଗାଈ

ଆନ୍ଧ୍ରପ୍ରଦେଶ : ଆମର ସବୁଠୁ ଉପକାରୀ ପ୍ରାଣୀ କହିଲେ ଗୋସମ୍ପଦକୁ ବୁଝାଏ। ବିଭିନ୍ନ କିସମର ଗୋସମ୍ପଦ ଆମର ବିଭିନ୍ନ କାର୍ଯ୍ୟରେ ଆସିଥା’ନ୍ତି। ହିନ୍ଦୁ ସଂସ୍କୃତିରେ ଗାଈକୁ ଗୋମାତା ରୂପେ ପୂଜା କରାଯାଇଥାଏ। ତେବେ ପୃଥିବୀର ସବୁଠାରୁ ଦାମୀ ଗାଈ ବ୍ରାଜିଲରେ ଅଛି। ବିଶେଷ ଗୁଣ ସଂପନ୍ନ ‘ଭିଆଟିନା-୧୯ ଏଫ୍ଆଇଭି ମାରା ଇମୋଭିସ’ ନାମକ ସାଢ଼େ ୪ ବର୍ଷର ଗାଈଟି ସମ୍ପ୍ରତି ବିଶ୍ବର ସବୁଠୁ ଦାମୀ ଗାଈର ମାନ୍ୟତା ରଖିଛି।
‘ନେଲୋର’ ଜାତିର ଗାଈଟିର ମୂଲ୍ୟ ୪୩ ଲକ୍ଷ ଡଲାର ବା ୩୫ କୋଟି ଟଙ୍କା। ନିକଟରେ ବ୍ରାଜିଲର ଆରାଣ୍ଡୁ ଠାରେ ଆୟୋଜିତ ଏକ ନିଲାମରେ ଏହି ଗାଈଟିର ଏକ-ତୃତୀୟାଂଶ ମାଲିକାନା ୧.୪୪ ନିୟୁତ ଡଲାରରେ ବିକ୍ରି ହୋଇ ତାହାର ମୋଟ ମୂଲ୍ୟକୁ ୪୩ ଲକ୍ଷ ଡଲାରରେ ପହଞ୍ଚାଇଛି।
ଆନ୍ଧ୍ରପ୍ରଦେଶର ନେଲୋରରେ ଏହି ପ୍ରଜାତିର ଗାଈ ପ୍ରଥମେ ଉତ୍ପନ୍ନ ହୋଇଥିବାରୁ ତଦନୁଯାୟୀ ତାହାର ନାମକରଣ କରାଯାଇଛି। ନିଜର କୋମଳ ଧଳା ଲୋମ ସାଙ୍ଗକୁ ଢିଲା ଚର୍ମ ଓ କାନ୍ଧ ପାଖରେ ଉନ୍ନତ ଗୋଲାକାର କୁଜ ପାଇଁ ପ୍ରସିଦ୍ଧ ନେଲୋର ପ୍ରଜାତି ଗାଈଗୁଡ଼ିକର ଅନ୍ୟାନ୍ୟ ବୈଶିଷ୍ଟ୍ୟ ହେଲା, ସେମାନେ ଉଷ୍ମ ଜଳବାୟୁ ପ୍ରତି ଭୀଷଣ ସହନଶୀଳ।
ଏଥି ସହିତ ଏକାଧିକ ପରଜୀବୀ ସଂକ୍ରମଣକୁ ପ୍ରତିହତ କରିପାରିବାର ଗୁଣ ମଧ୍ୟ ସେମାନଙ୍କର ରହିଛି ଏବଂ ସେମାନଙ୍କର ମୋଟା ଚର୍ମକୁ ଭେଦି କୌଣସି କୀଟ ରକ୍ତ ଶୋଷି ପାରନ୍ତି ନାହିଁ। ସେହିପରି ସେମାନଙ୍କର ଶାରୀରିକ ଗଠନ ମଧ୍ୟ ପ୍ରସବକୁ ସୁଗମ କରିଥାଏ। ଗତ ବର୍ଷ ଭିଆଟିନା-୧୯ର ଅଧା ମାଲିକାନା ୮ ଲକ୍ଷ ଡଲାରରେ ନିଲାମ ହୋଇଥିଲା, ଯାହା ସେ ସମୟରେ ରେକର୍ଡ ସ୍ଥାପନ କରିଥିଲା। ନେଲୋର ପ୍ରଜାତି ଷଣ୍ଢଙ୍କର ମଧ୍ୟ ଆନ୍ତର୍ଜାତିକ ଚାହିଦା ରହିଛି।
ଗାର୍ଡିଆନ୍ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୧୮ ମସିହାରେ ନେଲୋର ପ୍ରଜାତି ଷଣ୍ଢଠାରୁ ସଂଗୃହୀତ ଶୁକ୍ରାଣୁର ଗୋଟିଏ ଡୋଜ୍ ବା ୦.୫୫ ମି.ଲି.ର ଦାମ୍ ୫,୦୦୦ ଡଲାର ରହିଥିଲା। ଏଥିରୁ ନେଲୋର ପ୍ରଜାତିର ଚାହିଦା ଓ ମୂଲ୍ୟ ସହଜରେ ଅନୁମେୟ। ସମ୍ପ୍ରତି କେବଳ ବ୍ରାଜିଲରେ ନେଲୋର ପ୍ରଜାତିର ୧,୬୭,୦୦୦,୦୦୦ ଗାଈ ରହିଛନ୍ତି।