କଂଗ୍ରେସ ଟିକେଟ ଆବେଦନର ଆଜି ଶେଷ ଦିନ
ଭୁବନେଶ୍ୱର: କଂଗ୍ରେସ ଟିକେଟ ଆବେଦନର ଆଜି ଶେଷ ଦିନ । ଶେଷ ଖବର ସୁଦ୍ଧା ୧୪୭ ବିଧାନସଭା ଆସନ ପାଇଁ ୨୫ରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି । ସେହିପରି ଲୋକସଭା ଟିକେଟ ପାଇଁ ୫୦୦ରୁ ଅଧିକ ଆଶାୟୀ ଅନଲାଇନରେ ଆବେଦନ କରିଥିବା ସୂଚନା ମିଳିଛି ।
ଟିକେଟ ପାଇଁ ଦଳର ବରିଷ୍ଠ ନେତାଙ୍କ ସମେତ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ, ଡାକ୍ତର ଓ ଇଂଜିନିୟର ଆବେଦନ କରିଥିବା ପିସିସି ସଭାପତି କହିଛନ୍ତି । ଗତକାଲି ରାଜ୍ୟ ଅତିଥୀ ଭବନରେ ଆଶାୟୀ ପ୍ରାର୍ଥୀଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର । ପ୍ରାୟ ୮୭ଟି ନିର୍ବାଚନ ମଣ୍ଡଳୀର ଆଶାୟୀଙ୍କ ସହ ଆଲୋଚନା କରିବା ସହ ଦଳର ବରିଷ୍ଠ ନେତାଙ୍କ ସହ ମଧ୍ୟ ପ୍ରଭାରୀ ଆଲୋଚନା କରିଛନ୍ତି । ଅନ୍ୟ ଦିନରେ ବାକି ନିର୍ବାଚନମଣ୍ଡଳୀର ଆଶାୟୀଙ୍କୁ ଅଜୟ କୁମାର ଭେଟି ଆଲୋଚନା କରିବେ ବୋଲି ଜଣାପଡିଛି ।
ସମସ୍ତ ଆଶାୟୀଙ୍କୁ ସୋସିଆଲ ମିଡିଆରେ ଫଲୋଅର୍ସ ସଂଖ୍ୟା ବଢାଇବାକୁ କୁହାଯାଇଛି । ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ନେଇ ହ୍ୱାଟସଆପ ଗ୍ରୁପ କରିବା ଭଳି କାମ ଦିଆଯାଇଛି । ଯେଉଁ ଆଶାୟୀ ରାଜନୀତି ସଂପର୍କିତ କାମ ଅଧିକ କରିବେ ତାଙ୍କୁ ଟିକେଟ ମିଳିବ । ତେବେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକେଟ ଦେବାରେ ପ୍ରାଥମିକତା ଦିଆଯିବ ବୋଲି କଂଗ୍ରସ ମହଲରୁ ସୂଚନା ମିଳିଛି ।